ରଘୁନାଥପୁର ଏରଣ୍ଡପାଳରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ଚର୍ଚ୍ଚା, ବିଧାୟକଙ୍କ ବଦଳରେ ଥାନାବାବୁ କଲେ ଉଦ୍‌ଘାଟନ

Advertisment
ରଘୁନାଥପୁର ଏରଣ୍ଡପାଳରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ଚର୍ଚ୍ଚା, ବିଧାୟକଙ୍କ ବଦଳରେ ଥାନାବାବୁ କଲେ ଉଦ୍‌ଘାଟନ

Sambad

ଜଗତସିଂହପୁର: ପ୍ରତିମୂର୍ତ୍ତି ଉନ୍ମୋଚନ ବିବାଦ ରଘୁନାଥପୁର ବ୍ଲକ୍ ପିଛା ଛାଡ଼ୁନି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିକଟରେ ପୂର୍ବତନ ବିଧାୟକ ସ୍ବର୍ଗତ ବିଷ୍ଣୁ ଚରଣ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ୨ ମାସ ହେଲା ବିବାଦ ଲାଗି ରହିଛି। ଠିକ୍ ଏହି ସମୟରେ ଏରଣ୍ଡପାଳ ଚିକିଣିଆରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନକୁ ନେଇ ଆଉ ଏକ ବିବାଦ ଦେଖା ଦେଇଛି। ଏହି ପ୍ରତିମୂର୍ତ୍ତିକୁ ବିଧାୟକ ବିଜୟ ଶଙ୍କର ଦାସ ଉଦଘାଟନ କରିବେ ବୋଲି ସ୍ଥିର ହୋଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ରଘୁନାଥପୁର ଥାନା ଇନସପେକ୍ଟର ଦେବେନ୍ଦ୍ର ମହାପାତ୍ର ଏହାକୁ ଉଦ୍‌ଘାଟନ କରିଛନ୍ତି। ଫଳରେ ଏହାକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ମୁତାବକ, ଚିକିଣିଆ ପଞ୍ଚାୟତ ଏରଣ୍ଡପାଳ ଗାଁରେ ରାଜକିଶୋର ସ୍ବାଇଁ (ମିଟୁନା) ଜଣେ ସାମାଜିକ କର୍ମୀ ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା। ସେ ଗାଁ ଆରମ୍ଭରୁ ବିଲୁପ୍ତ ହୋଇଯାଉଥିବା ଗଛଗୁଡ଼ିକୁ ଲଗାଇଛନ୍ତି। ଗଛ ଲାଗିବା ପରେ ଏହି ଅଞ୍ଚଳକୁ ଅଧିକ ସରସ ସୁନ୍ଦର କରିବା ପାଇଁ ସେଠାରେ ସେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଗତ ୨ ତାରିଖରେ ଗାନ୍ଧୀ ଜୟନ୍ତୀରେ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ସ୍ଥିର କରିଥିଲେ। ଏହି ପ୍ରତିମୂର୍ତ୍ତିକୁ ବିଧାୟକ ବିଜୟ ଶଙ୍କର ଦାସ ଉନ୍ମୋଚନ କରିବାକୁ ଯୋଜନା ପ୍ରସ୍ତୁତ କରାଗଲା। ରାଜନୀତିରେ ରୁଚି ରଖୁନଥିବା ରାଜକିଶୋର ବିଧାୟକଙ୍କୁ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ଡାକିବା ଘଟଣା ପ୍ରଚାର ହେବା ପରେ ଏହାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରି ପାରିନଥିଲେ। ତଥାପି ଉନ୍ମୋଚନ ଦିନକୁ ସମସ୍ତେ ଅପେକ୍ଷା କରି ରହିଥିଲେ। ବିଧାୟକ ବିଜୟ ଶଙ୍କର ମଧ୍ୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାକୁ ଘରୁ ବାହାରି ଆସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସି ରହିଥିଲେ। ମାତ୍ର ପରିସ୍ଥିତି କ’ଣ ହେଲା ଯେ, ହଠାତ୍ ବିଧାୟକ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଘଟଣାକୁ ଜୋରଦାର ବିରୋଧ ଆରମ୍ଭ ହୋଇଯାଇଥିଲା।

ଏମିତିକି ଫଳକ ଲେଖା ହେବା ପାଇଁ ସମସ୍ତ ବନ୍ଦୋବସ୍ତ ଶେଷ ହୋଇଥିଲେ ହେଁ ଏହାକୁ ଶେଷ ମୂହୂର୍ତ୍ତରେ ଅଟକାଇ ଦିଆଯାଇଥିଲା। ବିବାଦ ବଢ଼ୁଥିବା ଦେଖି ବିଧାୟକ ମଧ୍ୟ ସେଠାକୁ ଯିବାକୁ ଉଚିତ୍ ମନେ କରିନଥିଲେ। ଏମିତିକି ପ୍ରତିମୂର୍ତ୍ତି ନିର୍ମାଣ କରିଥିବା ରାଜକିଶୋର ମଧ୍ୟ ବିଧାୟକ ଏହାକୁ ଉନ୍ମୋଚନ କରନ୍ତୁ ବୋଲି କୁଆଡ଼େ ଚାହୁଁନଥିଲେ। ତାଙ୍କ ଉପରେ ଚାପ ପକାଯାଇ ବିଧାୟକଙ୍କ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯାଇଥିଲା। ଫଳରେ ଏଥିରେ ବିବାଦ ଦେଖା ଦେଲା ବୋଲି ଶୁଣିବାକୁ ମିଳୁଛି। ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ବିଧାୟକ ସ୍ବର୍ଗତ ଦାସ ଓ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କ ଗୋଷ୍ଠୀ ମଧ୍ୟରେ ଥିବା ବିବାଦର ଏଠାରେ ପ୍ରତିଫଳନ ହେଲା ବୋଲି ଆଲୋଚନା ହେଉଛି। ପୂର୍ବଭଳି ଏହି ବିବାଦ ବର୍ତ୍ତମାନ ନାହିଁ ବୋଲି ଦଳର ମୁଖିଆମାନେ ଆଲୋଚନା କରୁଥିଲେ ହେଁ ଛୋଟଛୋଟ ଘଟଣାର ଏପରି ବିବାଦ ସାମ୍ନାକୁ ଆସିଛି। କାରଣ ଏଠାରେ ବିଧାୟକଙ୍କ ଏହି ଉନ୍ମୋଚନ କାର୍ଯ୍ୟକ୍ରମକୁ ସାଂସଦଙ୍କ ଗୋଷ୍ଠୀ ବିରୋଧ କରିଥିଲେ ବୋଲି ଆଲୋଚନା ହେଉଛି। ରଘୁନାଥପୁର ବ୍ଲକରେ ବିଜେଡିର ବିଭିନ୍ନ ପଦ ପଦବିରେ ଥିବା ନେତାମାନେ ବିଧାୟକଙ୍କ ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ। ଏଣୁ ବିବାଦ ଧୀ‌ରେ ଧୀରେ ବଢ଼ୁଥିବା ଦେଖି ବାଧ୍ୟ ହୋଇ ବିଧାୟକ ସେଠାକୁ ଯାଇନଥିଲେ ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe