ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା: ବଢ଼ୁଛି ଅସନ୍ତୋଷ, ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣା: ବଢ଼ୁଛି ଅସନ୍ତୋଷ, ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

Sambad

ନିଆଳି: ନିଆଳି ମାଧବସ୍ଥିତ ସଦା ବାବାଜୀ ତୋଟାରେ ନିର୍ମାଣାଧୀନ ସହିଦ ସ୍ମୃତି ଉଦ୍ୟାନରେ ଦୁର୍ବୃତ୍ତମାନେ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରା ପ୍ରତିମୂର୍ତ୍ତି ସମେତ ଅନ୍ୟ କେତେକ ମୂର୍ତ୍ତି ଭାଙ୍ଗିବା ଘଟଣାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଗମନର ଶହେବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିଲା ବେଳେ ନିଆଳି ଅଞ୍ଚଳରେ ଏଭଳି ଘଟଣାକୁ ନେଇ ବହୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ସମାଜସେବୀ, ସାହିତ୍ୟିକ ଓ ଜନସାଧାରଣ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦୁର୍ବୃତ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। କାର୍ଯ୍ୟାନୁଷ୍ଠାନ ନ ହେଲେ ବିଭିନ୍ନ ସଂଗଠନ ଧାରଣାରେ ବସିବାକୁ ଚେତାବନୀ ମଧ୍ୟ ଦେଇଛନ୍ତି। ସେହିପରି ଘଟଣା ସମ୍ପର୍କରେ ଆଜି ନିଆଳି ଥାନାରେ ଅଭିଯୋଗ କରାଯାଇଛି।

ସୂଚନା ମୁତାବକ, ସ୍ବାଧୀନତା ଓ ମାନବବାଦର ସୁରକ୍ଷା ପାଇଁ ପ୍ରାଣବଳୀ ଦେଇଥିବା ପୂଣ୍ୟାତ୍ମାମାନଙ୍କ ସମ୍ମାନରେ ସମର୍ପିତ ସହିଦ ସ୍ମୃତି ଉଦ୍ୟାନରେ ୧୪ଜଣ ସହିଦଙ୍କ ପ୍ରତିମୂର୍ତ୍ତି ସହ ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରା, ଉତ୍କଳମଣି ଗୋପବନ୍ଧୁ, ସୁଭାଷଚନ୍ଦ୍ର ବୋଷ, ବିଜୁ ପଟ୍ଟନାୟକଙ୍କ ସମେତ ବହୁ ସ୍ବାଧୀନତା ସ˚ଗ୍ରାମୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି।

ଏଠାରେ ବାଜି ରାଉତ ଘାଟ ସହ ତୋଟାର ନାମକରଣ କରାଯାଇଥିବା ସଦା ବାବାଜୀଙ୍କ ପ୍ରତିମୂର୍ତ୍ତି ବି’ ରହିଛି। ପ୍ରାୟ ୧ କୋଟି ଟଙ୍କା ବ୍ୟୟ ଅଟକଳରେ ଉକ୍ତ ଉଦ୍ୟାନ ନିର୍ମାଣକାର୍ଯ୍ୟ ଜାରି ରହିଛି। ହେଲେ, ଗତ ୨୪ ତାରିଖ ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ସ୍ମୃତି ଉଦ୍ୟାନ ଭିତରେ ପଶି ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରା ପ୍ରତିମୂର୍ତ୍ତି ଓ ତୋଟାରେ ଥିବା ସଦା ବାବାଜୀଙ୍କ ମୂର୍ତ୍ତି ଭାଙ୍ଗିଦେଇଥିଲେ। କେତେକ ମୂର୍ତ୍ତିର ଅ˚ଶବିଶେଷ ଦୁର୍ବୃତ୍ତମାନେ ବିଭିନ୍ନ ସ୍ଥାନରେ ଫୋପାଡ଼ି ଦେଇଛନ୍ତି। ଏହା ଜଣାପଡ଼ିବା ପରେ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ନିଆଳି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ, ଘଟଣାକୁ ୪ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ୍‌ କାହାରିକୁ ଗିରଫ କରିନାହିଁ। ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଏଭଳି ଅପମାନ କରିଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କରାଯିବା ସହିତ ସ୍ବତନ୍ତ୍ର ଦଳ ଏହାର ଅନୁସନ୍ଧାନ କରି ସେମାନଙ୍କୁ ଗିରଫ କରିବା ପାଇଁ ନିଆଳି ଅଞ୍ଚଳର ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ କର୍ମକର୍ତ୍ତା ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe