ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁ ଅଟକି ରହିଛି ବକ୍ସି ଜଗବନ୍ଧୁ ପ୍ରତିମୂର୍ତ୍ତି ସ୍ଥାନାନ୍ତର

Advertisment
ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗୁ ଅଟକି ରହିଛି ବକ୍ସି ଜଗବନ୍ଧୁ ପ୍ରତିମୂର୍ତ୍ତି ସ୍ଥାନାନ୍ତର

Sambad

ଖୋର୍ଦ୍ଧା: ପାଇକ ସଂଗ୍ରାମର କେନ୍ଦ୍ରଭୂମୀ ଐତିହାସିକ ଖୋର୍ଦ୍ଧା ସହରର ଦୁଇପଟେ ପଞ୍ଚପାଇକ ସ୍ମାରକୀ ଓ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତି ଏହାର ପରିଚୟ ବହନ କରୁଥିଲା। ୧୬ ନମ୍ବର ରାଜରାସ୍ତାରେ ଯାତାୟତ କରୁଥିବା କୌଣସି ବ୍ୟକ୍ତି ଏହି ଦୁଇଟି ସ୍ମାରକୀ ଦେଖି ଖୋର୍ଦ୍ଧା ସହରର ଅବସ୍ଥିତିକୁ ଜାଣି ପାରୁଥିଲା। ବର୍ତ୍ତମାନ ଜାତୀୟ ରାଜପଥ ପ୍ରଶସ୍ତୀକରଣରେ ଦୀର୍ଘ ବାଦବିବାଦରେ ପଞ୍ଚପାଇକ ପ୍ରତିମୂର୍ତି ସ୍ଥାନାନ୍ତର ହୋଇଯାଇଥିବା ବେଳେ ପଲ୍ଲା ଛକ ଠାରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତି ସ୍ଥାନାନ୍ତର ନେଇ ଅଡ଼ୁଆ ବଢ଼ିଛି। ୧୬ ନମ୍ବର ଜାତୀୟ ରାଜପଥ କଡ଼ ପଲ୍ଲା ଛକରେ ଉନ୍ମୁକ୍ତ ଖଣ୍ଡା ସହ ଘୋଡ଼ା ଉପରେ ବସିଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତି ଖୋର୍ଦ୍ଧା ସହରର ଅନ୍ୟତମ ପରିଚୟ ଥିଲା। ଜାତୀୟ ରାଜପଥ ପ୍ରଶସ୍ତୀକରଣ ବେଳେ ପଞ୍ଚପାଇକ ସ୍ମାରକୀର ସ୍ଥାନାନ୍ତର ଭଳି ଏହାର ସ୍ଥାନାନ୍ତର ପାଇଁ ସମସ୍ୟା ସୃଷ୍ଟି ହୋଇଥିଲା। ପଲ୍ଲାଛକରେ ଏକ ଗୋଲେଇ କରି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ଥିବା ଯୁଦ୍ଧ ଘୋଡ଼ାର ପ୍ରତିମୂର୍ତି ଭଳି ରଖିବାକୁ ଜିଲ୍ଲା ପ୍ରଶାସନ ଓ ଜାତୀୟ ରାଜପଥ କର୍ତୃପକ୍ଷଙ୍କ ମିଳିତ ବୈଠକରେ ଯୋଜନା କରାଯାଇଥିଲା। ପରେ ପଲ୍ଲା ଛକରେ ଏକ ଭେହିକଲ ଅଣ୍ଡରପାସ ନିର୍ମାଣ ପାଇଁ ଦାବି ହେବାରୁ ଏହି ଯୋଜନାକୁ ପରିବର୍ତନ କରାଯାଇଥିଲା। ନୂଆ ଯୋଜନା ଅନୁସାରେ, ପ୍ରତିମୂର୍ତିଟିକୁ ସ୍ଥାନାନ୍ତର କରି ରାଜପଥ କଡ଼ରେ ଥିବା ସରକାରୀ ଜାଗାକୁ ସ୍ଥାନାନ୍ତର କରାଯିବ।

ଅପରପକ୍ଷରେ, ମୂର୍ତିଟି ପୂର୍ବ ସ୍ଥାନରୁ ବାହାର କରିବା ବେଳେ ଅସାବଧନତା ହେତୁ ଘୋଡ଼ାର ଏକ ଗୋଡ଼ ଭାଙ୍ଗିଯାଇଛି ଓ ଏହାକୁ ମରାମତି କରିବାକୁ ପଠାଯାଇଛି। ଏହା ମରାମତି ହୋଇ ଆସିବାକୁ ଆହୁରି ୧୫-୨୦ ଦିନ ସମୟ ଲାଗିବ। ମୂର୍ତିଟି ଯେଉଁ ସ୍ଥାନକୁ ସ୍ଥାନାନ୍ତରିତ ହେବ ସେଠାରେ ଏକ ସୁରମ୍ୟ ପିଣ୍ଡି ନିର୍ମାଣ ମଧ୍ୟ ଶେଷ ହୋଇଛି, କିନ୍ତୁ ପିଣ୍ଡି ସମ୍ମୁଖରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଥିବାରୁ ଏହି ପ୍ରତିମୂର୍ତି ସାଧାରଣ ଲୋକଲୋଚନକୁ ଆସିବ ନାହିଁ ବୋଲି ସହରର ବୁଦ୍ଧିଜୀବୀ ମହଲ ଓ ବିଭିନ୍ନ ପାଇକ ସଂଗଠନ ପକ୍ଷରୁ ଚିନ୍ତାବ୍ୟକ୍ତ କରାଯାଇଛି। ଏନେଇ ପୂର୍ବତନ ବିଧାୟକ ତଥା ବରୁଣେଇ ଓ ଖୋର୍ଦ୍ଧା ଗଡ଼ ବିକାଶ ମଂଚର ଡଃ. ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି, ଟ୍ରାନ୍ସଫର୍ମର ଯୋଗୁଁ ପ୍ରତିମୂର୍ତିର ସୌନ୍ଦର୍ଯ୍ୟ ନଷ୍ଟ ହେବ। ଏଣୁ ଟ୍ରାନ୍ଫର୍ମରଟିକୁ ହଟାଇବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି। ଟ୍ରାନ୍ସଫର୍ମରଟିକୁ ସ୍ଥାନାନ୍ତରିତ କରିବାକୁ ମଧ୍ୟ ଉପଜିଲ୍ଲାପାଳ ଓ ତହସିଲଦାର ପ୍ରତିଶ୍ରୁତି ଦେଇଛନ୍ତି। ତେବେ ସୂଚନାନୁସାରେ, ଟ୍ରନ୍ସଫର୍ମରଟିକୁ ହଟାଇବାକୁ ଯେଉଁ ସ୍ଥାନ ପ୍ରଶାସନ ପକ୍ଷରୁ ଚିହ୍ନଟ କରାଯାଇଛି ତା ନିକଟରେ ବ୍ୟକ୍ତିଗତ ଜମି ଓ ବାସ ଗୃହ ରହିଛି। ସେହି ଘର ମାଲିକ ଟ୍ରାନ୍ସଫର୍ମର ସ୍ଥାନାନ୍ତରକୁ ବିରୋଧ କରିଛି ଫଳରେ ଚିହ୍ନଟ ସ୍ଥାନକୁ ଟ୍ରାନ୍ସଫର୍ମର ସ୍ଥାନାନ୍ତର ନେଇ ଅଡ଼ୁଆ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe