Sambad
କୁଜଙ୍ଗ: ଆଜି ଅପରାହ୍ନ ପ୍ରାୟ ତିନିଟା ସମୟରେ ଇଫ୍କୋ କାରଖାନାର ଜନୈକ ଅଧିକାରୀଙ୍କ କାର କୁଜଙ୍ଗ ଥାନା ଅନ୍ତର୍ଗତ କଟକ-ପାରାଦ୍ବୀପ ରାଜ୍ୟ ରାଜପଥର ଚୌଧୁରୀଗଡା ନିକଟରେ ଏକ ଗଛରେ ପିଟିହୋଇ ଥିବା ଜଣାପଡ଼ିଛି। ଏହି ଘଟଣାରେ କାରର ଚାଳକଙ୍କ ସମେତ ଇଫ୍କୋ ଅଧିକାରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କର ପତ୍ନୀ ଏବଂ ପୁତ୍ର ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଇଫ୍କୋ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଆଜି ମଧ୍ୟାହ୍ନ ତିନିଟା ସମୟରେ ଇଫ୍କୋର ସିନିୟର ଷ୍ଟୋର ମ୍ୟାନେଜର ରମାକାନ୍ତ ମିଶ୍ର(୪୫) ଏକ କାର ନଂ- (ଓଡି-୦୨-ଏଏକ୍ସ-୩୩୦୬) ଯୋଗେ ପାରାଦ୍ବୀପରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ମାତ୍ର କୁଜଙ୍ଗ ଥାନା ଅନ୍ତର୍ଗତ କଟକ-ପାରାଦ୍ବୀପ ରାଜ୍ୟ ରାଜପଥର ତାଳଦଣ୍ଡା-ଚୌଧୁରୀଗଡା ନିକଟରେ କାରଟି ଦୃତ ଗତିରେ ଯାଇ ଏକ ବର ଗଛରେ ପିଟି ହୋଇଥିଲା। ଫଳରେ କାରର ଆଗ ପାର୍ଶ୍ବଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଥିଲା।
ଦୁର୍ଘଟଣା ସ୍ଥଳରେ କାରର ଚାଳକ ପାରାଦ୍ବୀପ ପଲକ ଥାନା ଅନ୍ତର୍ଗତ ବାଲିଡିଆ ଗ୍ରାମର ନିତ୍ୟାନନ୍ଦ ସେଠୀଙ୍କ ପୁତ୍ର ପ୍ରତାପ କୁମାର ସେଠୀ(୩୫)ଙ୍କର ମୃତ୍ୟୁ ହୋଇ ଯାଇଥିଲା। ସେହିପରି ଭାବେ ଗୁରୁତ୍ବର ଭାବେ ଗାଡିରୁ ଉଦ୍ଧାର ହୋଇଥିବା ଇଫ୍କୋ ଅଧିକାରୀ ରମାକାନ୍ତ ମିଶ୍ରଙ୍କୁ ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗାଡିର ପଛ ସିଟରେ ବସିଥିବା ମୃତ ରମାକାନ୍ତଙ୍କ ପତ୍ନୀ ମିନାକ୍ଷୀ ଏବଂ ପୁତ୍ର ରୋହିତଙ୍କୁ ଗୁରୁତର ଅବସ୍ଥାରେ ଇଫ୍କୋ କମ୍ପାନୀର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଇଫ୍କୋର ଇଂ. ସୀମାଂଚଳ ପଣ୍ଡା ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ସହିତ ଏହି ଦୁଖଦ ଘଟଣାରେ ସମବେଦନା ପ୍ରକାଶ କରିଛନ୍ତି।
Follow Us