କେନ୍ଦ୍ରାଞ୍ଚଳ ଆଇଜିଙ୍କ ସମୀକ୍ଷା: ବ୍ରାଉନସୁଗାର ଓ ଅପରାଧ ନିୟନ୍ତ୍ରଣରେ ବିଫଳତା ନେଇ ବର୍ଷିଲେ ଦକ୍ଷିଣାଞ୍ଚଳ ଆଇଜି

Advertisment
କେନ୍ଦ୍ରାଞ୍ଚଳ ଆଇଜିଙ୍କ ସମୀକ୍ଷା: ବ୍ରାଉନସୁଗାର ଓ ଅପରାଧ ନିୟନ୍ତ୍ରଣରେ ବିଫଳତା ନେଇ ବର୍ଷିଲେ ଦକ୍ଷିଣାଞ୍ଚଳ ଆଇଜି

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ବର୍ତ୍ତମାନ ବ୍ରାଉନସୁଗାରର ପେଣ୍ଠ ପାଲଟିଛି। ଅପରାଧୀ ଦିନ ଦିପହରେ ଅପରାଧ ଘଟାଉଛନ୍ତି। ପୁଲିସର ବିଫଳତା ନେଇ ସାଧାରଣରେ ସମାଲୋଚନା ହେଉଛି ବୋଲି ଆଜି ଖୋର୍ଦ୍ଧା ଗ୍ରାମାଞ୍ଚଳ ଜିଲ୍ଲାର ଅପରାଧିକ କାର୍ଯ୍ୟକଳାପର ସମୀକ୍ଷାରେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହ ଖୋର୍ଦ୍ଧା ପୁଲିସ କଡ଼ା ନିର୍ଦେଶ ଦେଇଛନ୍ତି। ଆଜି ସକାଳ ୧୧ଟାରୁ ଆରମ୍ଭ ହୋଇ ପ୍ରାୟ ୪ ଘଣ୍ଟା ଧରି ଖୋର୍ଦ୍ଧା ଜିଲ୍ଲା ପୁଲିସ ମୁଖ୍ୟ କାର୍ଯ୍ୟାଳୟର ଆରକ୍ଷୀ ଅଧୀକ୍ଷକଙ୍କ ପ୍ରକୋଷ୍ଠରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଇଜି ଶ୍ରୀ ସିଂହ ବ୍ରାଉନସୁଗାର ଧରପଗଡ଼ ଓ ଅପରାଧ ନିୟନ୍ତ୍ରଣକୁ କଡ଼ାକଡ଼ି କରିବାକୁ ନିର୍ଦେଶ ଦେଇଛନ୍ତି। ପୁଲିସ ଉପରେ ଜନସାଧାରଣଙ୍କ ଆସ୍ଥା କମି ଆସୁଥିବାରୁ ଜନସାଧାରଣଙ୍କ ପୁଲିସ ପ୍ରତି ଆସ୍ଥା ଓ ବିଶ୍ୱାସ ବଢ଼ାଇବାକୁ ଅଭିଯୋଗର ସମାଧାନ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ନିୟମିତ ପାଟ୍ରୋଲିଂ, ରାତିରେ ଯାଞ୍ଚ ଆଦି ବ୍ୟାପକ କରିବାକୁ କହିଥିଲେ। ସମୀକ୍ଷା ସମୟରେ, ପ୍ରତି ଥାନାୱାରି ମାମଲାର ବିବରଣୀ, ବିଗତ ବର୍ଷର ଗୁରୁତ୍ୱପୂର୍ଣ୍ଣ ଅପରାଧିକ ମାମଲା ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ପୁଂଖାନୁପୁଂଖ ତଥ୍ୟ ମାଗିଥିଲେ।

ଖୋର୍ଦ୍ଧା ଜିଲ୍ଲାର ବିଶେଷତଃ ଖୋର୍ଦ୍ଧା ଟାଉନ ଥାନା, ସଦର ଥାନା, ବେଗୁନିଆ ଥାନା ଇଲାକାରେ ବଢ଼ୁଥିବା ବ୍ରାଉନସୁଗାର କାରବାର ଓ ଅପରାଧିକ ଗତିବିଧି ସମ୍ପର୍କରେ ଆଲୋଚନା କରିବା ସହ ଅପରାଧିଙ୍କୁ ଧରିବାକୁ ନୂତନ ରଣନୀତି ପ୍ରସ୍ତୁତ କରିବାକୁ କେତେକ ପରାମର୍ଶ ଦେଇଥିଲେ। ଏହାସହ ସରକାରୀ ସମ୍ପତ୍ତି ଜବରଦଖଲ ମାମଲାକୁ ଗୁରୁତ୍ୱ ଦେବାକୁ ମଧ୍ୟ କହିଥିଲେ। ପୁଲିସ ପରିଚାଳନା, ବିଭିନ୍ନ ଥାନାର ଭିତ୍ତିଭୂମି, ସରକାରୀ କ୍ୱାଟର ଆଦିର ଅବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସମୀକ୍ଷା ସମ୍ପର୍କରେ ଶ୍ରୀ ସିଂହ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଖୋର୍ଦ୍ଧାରେ ବ୍ରାଉନସୁଗାର ଓ ଅପରାଧିକ ଗତିବିଧି ଉପରେ ହିଁ ସେ ଅଧିକ ଗୁରୁତ୍ୱ ଦେଇଛନ୍ତି। ପ୍ରତି ଥାନା ଅଧିକାରୀ ଯେପରି ଏହି ମାମଲାରେ କୌଣସି ଢିଲା ମନୋଭାବ ପୋଷଣ ନକରିବାକୁ ସେ ନିର୍ଦେଶ ଦେଇଛନ୍ତି। ଏନେଇ ସେ ସତର୍କ ନଜର ରଖିଛନ୍ତି। ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଏସଡ଼ିପିଓ ଦିଲ୍ଲୀପ କୁମାର ଦାସ, ବାଲୁଗାଁ ଏସଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ସମସ୍ତ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ, ଡିଏସପି ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe