ଜଳୁଛି ବେଆଇନ ଇଟାଭାଟି, ଦୂଷିତ ହେଉଛି ପରିବେଶ

ଜଳୁଛି ବେଆଇନ ଇଟାଭାଟି, ଦୂଷିତ ହେଉଛି ପରିବେଶ

କରଦାଙ୍ଗି : ତେଲକୋଇ ରେଞ୍ଜ ଅଧୀନସ୍ଥ ବିଭିନ୍ନ ଗ୍ରାମାଞ୍ଚଳରେ ମାଳମାଳ ବେଆଇନ ଇଟାଭାଟି ଜଳୁଛି। ଗ୍ରୀଷ୍ମ ପ୍ରବାହ ବଢ଼ି ବଢ଼ି ଚାଲିଥିବା ବେଳେ ଏବେ ଇଟାଭାଟି ଧୂଆରେ ତାପମାତ୍ର ଆହୁରି ବଢ଼ି ଯାଉଛି। ସ୍ଥାନୀୟ ଅଞ୍ଚଳର ପରିବେଶ ପ୍ରତି ଏହା ଗଭୀର ପ୍ରଭାବ ପକାଉଥିବା ଅଭିଯୋଗ ହେଉଛି।

ମାଟି ଇଟାକୁ ପୋଡ଼ିବା ପାଇଁ ବେଆଇନ ଭାବେ ଇଟା ବ୍ୟବସାୟ କରୁଥିବା ଇଟା ମାଫିଆଙ୍କ ଲୋଲୁପ ଦୃଷ୍ଟି ଏବେ ତେଲକୋଇ ଅଞ୍ଚଳର ସଂରକ୍ଷିତ ଜଙ୍ଗଲ ଉପରେ ପଡିଛି। ଇଟା ମାଫିଆମାନେ ଜଙ୍ଗଲରୁ ଶହଶହ ଶାଳ, ପିଆଶାଳ, କଷି, ଗମ୍ଭାରୀ, ଅଶନ, ଭଳି ମୂଲ୍ୟବାନ ଗଛକୁ କାଟି ଭାଟିରେ ଇଟା ପୋଡ଼ିବା କାମରେ ଲଗାଉଛନ୍ତି। ସେଥିପାଇଁ ଜଙ୍ଗଲ ଫାଙ୍ଖା ହୋଇଗଲାଣି। ଫଳରେ ହାତୀପଲ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହୋଇ ଧନଜୀବନ ନଷ୍ଟ କରୁଥିବା ଅଭିଯୋଗ ହେଉଛି।

ମାଫିଆମାନେ ଜଙ୍ଗଲକୁ କାଟି ସଫା କରୁଥିବା ବେଳେ ବନ ବିଭାଗ ନିରବଦ୍ରଷ୍ଟା ସାଜିଛି। ସେପଟେ ସରକାର ନୂତନ ଜଙ୍ଗଲ ସୃଷ୍ଟି ଓ ଜଙ୍ଗଲ ସୁରକ୍ଷା ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ବନ ବିଭାଗ କର୍ମଚାରୀ ଓ ଇଟା ମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସଂରକ୍ଷିତ ଜଙ୍ଗଲ ଏବେ ପଦା ହେବାକୁ ବସିଲାଣି।

ଏ ସମ୍ପର୍କରେ ତେଲକୋଇ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଥିଲେ ଏ ବିଷୟରେ ସମସ୍ତ ଫରେଷ୍ଟ ଗାର୍ଡଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି। ସେମାନେ ନିଜ ନିଜ ଅଞ୍ଚଳକୁ ଯାଇ ବେଆଇନ ଇଟାଭାଟିର ତାଲିକା ପ୍ରସ୍ତୁତ କରି ପଠାଇବେ। ତାଲିକା ମିଳିବା ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe