Sambad
ଜଗତସିଂହପୁର/ବାଲିକୁଦା: ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ପ୍ରଶାସନ ଦେଇଥିବା ମହଲତ ଗତ ୧୫ ତାରିଖରୁ ସରିଲାଣି। ଏଯାଏ ଘେରି ଉଚ୍ଛେଦ କରାଗଲା ନାହିଁ। ବେଆଇନ ଘେରି ଉଚ୍ଛେଦ ପାଇଁ ଯେମିତି ଅଧିକାରୀଙ୍କ ଆନ୍ତରିକତା ନାହିଁ! ରାଜସ୍ବ ବିଭାଗର ମୌନବ୍ରତ ଓ ଜଙ୍ଗଲ ବିଭାଗର ବର୍ଷା ପାଇଁ ଉଚ୍ଛେଦ ନହୋଇ ପାରିବା ବାହାନା ସନ୍ଦେହ ସୃଷ୍ଟି କରିଛି। ଅନ୍ୟପଟେ ଘେରି ଉଚ୍ଛେଦ କେବେ ହୋଇ ପାରିବ ନାହିଁ ବୋଲି ବାହାସ୍ଫୋଟ ମାରୁଛନ୍ତି ଚିଙ୍ଗୁଡ଼ି ଓ ଜଙ୍ଗଲ ଜମି ମାଫିଆ। ପ୍ରଶାସନକୁ ଚ୍ୟାଲେଞ୍ଜ ବି ଦେଉଛନ୍ତି। ହେଲେ କେଉଁ ଅଜଣା ଚାପରେ ଅସହାୟ ଭଳି ପ୍ରଶାସନ ଚୁପ୍ ବସିଛି। ପ୍ରଶାସନର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପ୍ରକ୍ରିୟାକୁ ନେଇ ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜଗତସିଂହପୁର ଜିଲ୍ଲାର ପାରାଦୀପଠାରୁ ବନ୍ଦର ପର୍ଯ୍ୟନ୍ତ ବିସ୍ତୀର୍ଣ୍ଣ ସମୂଦ୍ର ବେଳାଭୂମି ରହିଛି। ମହାନଦୀ, ଦେବୀ, ହଂସୁଆ, ଜଟାଧାର ଭଳି ନଦୀଗୁଡ଼ିକ ମହାନଦୀରେ ମିଶିଛି। ଉପକୂଳ ଜଙ୍ଗଲ, ହଜାର ହଜାର ଏକର ହେନ୍ତାଳବନ, ଝାଉଁ ଜଙ୍ଗଲ ଉପକୂଳକୁ ମାଫିଆମାନେ ନଷ୍ଟ କରିବାରେ ଲାଗିଛନ୍ତି। ନଦୀର ସ୍ରୋତକୁ ଅଟକାଇ ରାଜ୍ ଚଳାଛନ୍ତି। ହଜାର ହଜାର ଏକର ଚିଙ୍ଗୁଡ଼ି ଘେରି ବେଆଇନ ଭାବେ କରାଯାଇଛି। ଜଙ୍ଗଲ ଜମି, ଅନାବାଦି, ଗୋଚର ଜମିରେ ଘେରି ଖୋଳା ଯାଉଛି। ନଦୀ ଭିତରେ ଓ ନଦୀ ବନ୍ଧ ନିକଟରେ କୋଷ୍ଟାଲ ରେଗୁଲେସନ ଜୋନ୍ (ସିଆଆର୍ଜେଡ୍) ନିୟମକୁ ଉଲ୍ଲଂଘନ ସହ ଓଡ଼ିଶା ମେରାଇନ୍ ଫିସୋରିଜ୍ ଆକ୍ଟକୁ ମଧ୍ୟ ଖୋଲା ଉଲ୍ଲଂଘନ କରାଯାଇ ଘେରି କରାଯାଇଛି। ତେବେ ଏନେଇ କେବଳ ‘ସମ୍ବାଦ’ରେ ତଥ୍ୟ ଭିତ୍ତିକ ଖବର ପ୍ରକାଶ ପାଇବା ପରେ ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଗୁରୁତର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବାଲିକୁଦା ଓ ଏରସମା ତହସିଲ ଅଧୀନରେ ଜବର ଦଖଲ ହୋଇଥିବା ସରକାରୀ ଜମିକୁ ଚିହ୍ନଟ କରାଯାଇଥିଲା। ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ ଜବର ଦଖଲ କରି ବେଆଇନ ଚିଙ୍ଗୁଡ଼ି ଘେରି କରିଥିବା ୨୨୮ ଜଣଙ୍କୁ ନୋଟିସ୍ ଦେଇଥିଲେ। ନୋଟିସ୍ ପରେ ଗୋଟିଏ ମାସ ମହଲତ ଦିଆଯାଇଥିଲା।
ଯାହା ସେପ୍ଟେମ୍ବର ମାସ ୧୫ ତାରିଖରେ ଶେଷ ହୋଇଥିଲା। ଅନ୍ୟପଟେ ଜିଲ୍ଲାପାଳଙ୍କ ଚିଠି ପରେ ରାଜନଗର ବନଖଣ୍ତ ଅଧିକାରୀ ଉପକୂଳ ଜଙ୍ଗଲ ଜମିକୁ ମାପ କରିବା ସହ ସେପ୍ଟେମ୍ବର ୧୬ ତାରିଖରେ ମାଇକ୍ ପ୍ରଚାର କରି ସେପ୍ଟେମ୍ବର ୧୮ ତାରିଖ ଠାରୁ ଜଙ୍ଗଲ ଜମିରେ କରାଯାଇଥିବା ବେଆଇନ ଘେରି ଉଚ୍ଛେଦ କରାଯିବ ବୋଲି କହିଥିଲେ। ଯେଉଁମାନେ ଜବର ଦଖଲ କରିଛନ୍ତି ତୁରନ୍ତ ଘେରି ଜମି ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅନ୍ୟପଟେ ଏହାକୁ ବିରୋଧ କରି ମାଫିଆମାନେ ମେଳି ବାନ୍ଧଥିଲେ। ସେପ୍ଟେମ୍ବର ୧୭ ତାରିଖ ଦିନ ୨୦ରୁ ଅଧିକ ଗାଡ଼ିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଘେରି ଉଚ୍ଛେଦ ନକରିବା ପାଇଁ ପ୍ରଶାସନକୁ ଦାବିପତ୍ର ଦେଇଥିଲେ। ଶକ୍ତି ପ୍ରଦର୍ଶନ କରିବା ସହ ଯଦି ଘେରି ଉଚ୍ଛେଦ କରାଯାଏ ତେବେ ଜୀବନ ଜୀବିକା ପାଇଁ ଆତ୍ମାହୁତି ଧମକ ଦେବାକୁ ପଛାଇ ନଥିଲେ। ରାଜନଗର ବନଖଣ୍ତ ଅଧିକାରୀ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ୧୮ ତାରିଖ ଦିନ ତେନ୍ତୁଲିବେଲାରୀ ନିକଟରୁ ଘେରି ଉଚ୍ଛେଦ ଆରମ୍ଭ କରିଥିଲେ। କିନ୍ତୁ ମାଫିଆମାନେ ଷଡ଼ଯନ୍ତ୍ର କରି ଏହି ଉଚ୍ଛେଦକୁ ଜୋରଦାର ବିରୋଧ କରିଥିଲେ। ଘେରିରେ ଚିଙ୍ଗୁଡ଼ି ଥିବାରୁ ନଭେମ୍ବର ୧୫ ତାରିଖ ଯାଏ ପ୍ରଶାସନ ଦୁଇ ମାସର ମହଲତ ଦେଇଥିଲା। ଏହାପରେ ମଧ୍ୟ ଉଚ୍ଛେଦକୁ ବିରୋଧ କରିଥିବା ଶତାଧିକ ବ୍ୟକ୍ତିଙ୍କ ନାମରେ ପ୍ରଶାସନ ପକ୍ଷରୁ ବାଲିକୁଦା ଥାନାରେ ମାମଲା ରୁଜୁ କରାଯାଇଥିଲା। ୫ ଦିନ ହେବ ମହଲତ ସରିଲାଣି। ହେଲେ ଉଚ୍ଛେଦର ନାଁ ଧରୁ ନାହିଁ ପ୍ରଶାସନ। ରାଜସ୍ବ ବିଭାଗ ଯେମିତି ଚିର ନିଦ୍ରାରେ ଶୋଇଛି। ଅନ୍ୟପଟେ ରାଜନଗର ବନଖଣ୍ତ ଅଧୀନରେ କାର୍ଯ୍ୟରତ ଏସିଏଫ୍ ଅଧୀର ବେହେରା କହିଛନ୍ତି ଯେ ଆମେ ୧୬ ତାରିଖରୁ ଉଚ୍ଛେଦ ପାଇଁ ପ୍ରସ୍ତୁତ ଥିବା ବେଳେ ବର୍ଷା ପାଇଁ ଉଚ୍ଛେଦ ହୋଇ ପାରି ନାହିଁ। ତେବେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଘେରି ଉଚ୍ଛେଦ ହେଉଛି ନା ପ୍ରତି ଥର ଭଳି ଏଥର ମଧ୍ୟ ଫୁସୁରି ଯାଉଛି ତାହା ସମୟ କହିବ।
Follow Us