Sambad
ମାଛଗାଁ: ବାଲିକୁଦା ବ୍ଳକର ସମୁଦ୍ର ଉପକୂଳବର୍ତୀ ଅଞ୍ଚଳରେ ଜଙ୍ଗଲ ଜମି ଉପରେ ଗଢିଉଠିଥିବା ବେଆଇନ ଚିଙ୍ଗୁଡି ଘେରିକୁ ଏକ ମାସ ବ୍ୟବଧାନ ପରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟକ୍ରମ ପୁଣି ଆରମ୍ଭ ହୋଇଛି। ରାଜନଗର ଲୁଣା ଜଙ୍ଗଲ ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତିଙ୍କ ନିର୍ଦ୍ଦେଶ କ୍ରମେ କୁଜଙ୍ଗ ବନାଞ୍ଚଳ ଅଧିକାରୀ ରଞ୍ଜନ କୁମାର ମିଶ୍ରଙ୍କ ଉପସ୍ଥିତରେ ବନ୍ଦର ବନାଞ୍ଚଳ ଅଧିକାରୀ ମଙ୍ଗଳ ହେମ୍ବ୍ରମ, ବିନିତା ଜେନା, ବନଜା ମହାପାତ୍ର, ଜ୍ଞାନ ପ୍ରକାଶ ମହାନ୍ତି, ସୁରେଶ ରାଉତ, କର୍ମଚାରୀ ଭଗବାନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରମିକଙ୍କ ସହାୟତାରେ ତେନ୍ତୁଲିବେଲାରୀର ୧୨ ହେକ୍ଟର ଜବରଦଖଲ ଘେରିକୁ ଉଚ୍ଛେଦ କରିଥିଲେ। ପୂର୍ବରୁ କୁସୁପୁର ପଞ୍ଚାୟତ ନଉପାଳ ଅଞ୍ଚଳରେ୧୫ ହେକ୍ଟର ଘେରି ଉଚ୍ଛେଦ କରାଯାଇଥିବା ବେଳେ ଆଜିକୁ ମିଶାଇ ସମୁଦାୟ ୨୭ ହେକ୍ଟର ଘେରି ଉଚ୍ଛେଦ ହୋଇଥିବା ସୂଚନା ଦେଇଛନ୍ତି ବନ୍ଦର ବନାଞ୍ଚଳ ଅଧିକାରୀ। ପୁଣି ଏହା କିଛି ଦିନ ବନ୍ଦ ରହିବା ପରେ ଆଉ ଏକ ଦିନ ଧାର୍ଯ୍ୟ କରାଯାଇ ଚିଙ୍ଗୁଡ଼ିଘେରିକୁ ଉଚ୍ଛେଦ କରାଯିବ। ତେବେ ପର୍ଯ୍ୟାୟକ୍ରମେ ସମସ୍ତ ୧୦୦୦ ହେକ୍ଟର ଜଙ୍ଗଲ ଜମିରେ ଗଢି ଉଠିଥିବା ବେଆଇନ ଚିଙ୍ଗୁଡି ଘେରି ଉଚ୍ଛେଦ କରାଯାଇ ବନୀକରଣ ମାଧ୍ୟମରେ ଜଙ୍ଗଲ ସୃଷ୍ଟି କରାଯିବ। କିନ୍ତୁ ଗତ ଏକ ମାସ ପ୍ରଶାସନ ନିରବ ରହିବା କାରଣରୁ ସାଧାରଣ ଜନତାଙ୍କ ମନରେ ଘେରି ଉଚ୍ଛେଦ ହେବା ନେଇ ଆଶଙ୍କା ପ୍ରକାଶ ପାଇଥିଲା।
ଏପରିକି ରାଜନୈତିକ ଚାପରେ ଉଚ୍ଛେଦ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା କିନ୍ତୁ ଆଜିର ଉଚ୍ଛେଦ ଫଳରେ ଘେରି ଉଚ୍ଛେଦ କରାଯାଇ ଜଙ୍ଗଲ ସୃଷ୍ଟି ହେବାର ଆଶା ସଞ୍ଚାର ହୋଇଛି। ଉଲ୍ଲେଖଯୋଗ୍ୟ ଏଠାରେ ଗଢ଼ି ଉଠିଥିବା ବେଆଇନ୍ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ପାଇଁ ଜାତୀୟ ଗ୍ରିନ୍ ଟ୍ରିବ୍ୟୁନାଲ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲ୍ଲା ପ୍ରଶାସନ ଘେରି ଉଚ୍ଛେଦ ଉଦ୍ୟମ ଆରମ୍ଭ କରିବାରୁ ଚିଙ୍ଗୁଡ଼ି ଘେରି ମାଲିକମାନେ ଜୀବନଜୀବିକାର ପ୍ରଶ୍ନ ଉଠାଇ ପ୍ରତିବାଦ କରିଥିଲେ। ଜିଲ୍ଲାପାଳଙ୍କୁ ଭେଟି ଶତାଧିକ ଘେରିମାଲିକ ପ୍ରଥମେ ତିନି ମାସ ସମୟ ମାଗିଥିଲେ। ପରେ ଗତମାସ ଶେଷ ବେଳକୁ ଉଚ୍ଛେଦ ଆରମ୍ଭ କରାଯାଇ ପୁଣିଥରେ ସ୍ଥଗିତ ରଖାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଛେଦ ପରେ ଜଙ୍ଗଲ ଜମିରେ ହେନ୍ତାଳ ବଣ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Follow Us