ଚାଷ ଉଜାଡ଼ୁଛି ବେଆଇନ ଚିଙ୍ଗୁଡ଼ି ଘେରି: ମେଳି ବାନ୍ଧିଲେଣି ଚାଷୀ, ଦାନା ବାନ୍ଧୁଛି ଆନ୍ଦୋଳନ

Advertisment
ଚାଷ ଉଜାଡ଼ୁଛି ବେଆଇନ ଚିଙ୍ଗୁଡ଼ି ଘେରି: ମେଳି ବାନ୍ଧିଲେଣି ଚାଷୀ, ଦାନା ବାନ୍ଧୁଛି ଆନ୍ଦୋଳନ

Sambad

ରାଜକନିକା: ବେଆଇନ ଚିଙ୍ଗୁଡ଼ି ଘେରି ରାଜକନିକା ବ୍ଲକ୍‌ ହଟାସାହି, ଅବଦୁଲପୁର, ନମତରା, ଚରପଡା, ସିହୋପଡା ଓ ଦେଉଳତରା ପଞ୍ଚାୟତର ଚାଷୀମାନଙ୍କ ନିଦ ହଜାଇ ଦେଇଛି। ଚିଙ୍ଗୁଡ଼ିଘେରିରେ ବ୍ୟବହୃତ ରସାୟନିକ ଔଷଧ ମିଶ୍ରିତ ପାଣି ଜମିରେ ମା‌ଡ଼ି ଫସଲ ଉଜାଡ଼ି ଦେଉଛି। ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଏପଟେ ପ୍ରଶାସନ ହାତବାନ୍ଧି ବସିଛି। ଏଥର ଚାଷୀମାନେ ଧାରକରଜ କରି ଦୁଇ ଶହ ଏକର ଜମିରେ ଡ଼ାଳୁଅ ଧାନ, ମୁଗ, ସୂର୍ଯ୍ୟମୁଖୀ, ଚିନାବାଦାମ, ଆଳୁ ଓ ପନିପରିବା ଚାଷ କରିଥିଲେ। ଯାହା ଚିଙ୍ଗୁଡ଼ି ଘେରି ପାଇଁ ନଷ୍ଟ ହୋଇଗଲାଣି।

ଫସଲ ନଷ୍ଟ ହେବା ପରେ ସେମାନେ ଧାରକରଜ କେମିତି ସୁଝିବେ ସେହି ଚିନ୍ତାରେ ପଡ଼ିଛନ୍ତି। ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଦାବିରେ ଚାଷୀମାନେ ୩ ଦିନ ତଳେ ଅନ୍ନପୂର୍ଣ୍ଣା ପଡିଆରେ ବୈଠକ କରିବା ସହ ତହସିଲଦାରଙ୍କୁ ଦାବିପତ୍ର ଦେଇଛନ୍ତି। ତୁରନ୍ତ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ନ ଗଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଶୁଣାଇଛନ୍ତି।

‘ଗୁହାଣି ଶୁଣୁ ପ୍ରଶାସନ’

ବାହାର ଦେଶରେ ଏକ ହୋଟେଲ ବ୍ୟବସାୟ କରୁଥିଲି। ଗାଁକୁ ଆସି ୭୦ ଏକର ଜମିରେ ମିଶ୍ରିତ କୃଷି ଆରମ୍ଭ କରିଛି। ହେଲେ ଏହି ଲୁଣା ଓ ରାସାୟନିକ ଚିଙ୍ଗୁଡ଼ି ଘେରି ପାଣି ନାଳକୁ ଛାଡି ଦେଉଥିବାରୁ ଫସଲ ଉଜୁଡ଼ି ଯାଇଛି। ଏହି ବିଷାକ୍ତ ପାଣି ପିଇ ତିନୋଟି ବାଛୁରୀ ମୃତ୍ୟୁ ବରଣ କରିଛନ୍ତି। ଧାନ, ସୂର୍ଯ୍ୟମୂଖୀ ଗଛ ମରିଯାଇଛି ।
-ସୁମନ୍ତ ଦାସ
ମୁଁ ୯ ଏକର ବିଲରେ ଡ଼ାଳୁଅ ଧାନ ଚାଷ କରିଥିଲି। ସମିତିରୁ ୨ ଲକ୍ଷ ଟଙ୍କା ସୁଧରେ ଆଣି ଚାଷ କରିଥିଲି। ହେଲେ ଚିଙ୍ଗୁଡ଼ି ଘେରିର ବିଷାକ୍ତ ପାଣି ମାଡ଼ିଯିବାରୁ ମୋର ସୁନାର ଫସଲ ସବୁ କିଛି ଉଜୁଡି ଗଲା। ପ୍ରଶାସନ ଆମକୁ ସହାୟତା ନ କଲେ ଆମେ ଆନ୍ଦୋଳନ କରିବୁ।
-ଅଦ୍ବୈତ ମଲିକ
ଏ ବର୍ଷ ୨ ଲକ୍ଷ ଟଙ୍କା କରଜ କରି ବିଲରେ ଡ଼ାଳୁଅ ଧାନ ଚାଷ କରିଥିଲି l ଏହି ଜମିରେ ଚଙ୍ଗୁଡ଼ି ଘେରି ଲୁଣା ପାଣି ପୂରାଇଲା ପରେ ଆଉ ଧାନ ଗଛ ବଢିଲା ନାହିଁ l ଗଛଗୁଡିକ ମରିଗଲା। ଏବେ କରଜ ଟଙ୍କା କେମିତି ସୁଝିବି ଓ ମୋର ପରିବାର କେମିତି ଚଳିବ ଚିନ୍ତାରେ ପଡ଼ିଛି। ଯଦି ସରକାରୀ ସାହାଯ୍ୟ ନ ମିଳେ ଆତ୍ମହତ୍ୟା କରିବି।
-ପ୍ରତାପ ମଲିକ
ଶାରଦ ଧାନ ଚାଷ ବର୍ଷା ଅଭାବରୁ ଭଲ ହେଲା ନାହିଁ। ପରିବାର ଚଳାଇବା ଲାଗି ୧୨ ଏକର ବିଲରେ ଡ଼ାଳୁଅ ଧାନ ଚାଷ କରିଥିଲି l ଚିଙ୍ଗୁଡ଼ି ଘେରିର ବିଷାକ୍ତ ପାଣିରେ ଆମର ଧାନ ଗଛ ଜଳିଗଲା। ବେଆଇନ ଚିଙ୍ଗୁଡ଼ି ଘେରି କରି ସେମାନେ ବଡ଼ ଲୋକ ହେଉଛନ୍ତି l ଆମେ ଚାଷୀ ମରୁଛୁ। ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରା ନ ଗଲେ ଚାଷୀ ସବୁ ମରିବୁ।

-ବୀରକିଶୋର ବେହେରା
ଆମ ପଞ୍ଚାୟତରେ କିଛି ଲୋକ ବେଆଇନ ଚିଙ୍ଗୁଡ଼ି ଘେରି କରି ଲାଭବାନ ହେଉଛନ୍ତି l ହେଲେ ଆମ ଜୀବନଜୀବିକା ଉଜୁଡି ଯିବାକୁ ବସିଛି। ଏହି ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଲାଗି ଦାବିପତ୍ର ଦେଇଛୁ। ଚାଷୀମାନେ ଏକାଠି ହୋଇ ଆନ୍ଦୋଳନ ଲାଗି ବୈଠକ କରିଛୁ। ଘେରି ଉଚ୍ଛେଦ ନ ହେଲେ ଆନ୍ଦୋଳନ ହେବ।
-ଦିଲ୍ଲୀପ ନାୟକ
ମୁଁ ୨୨ ଏକର ଜମିରେ ଆଳୁ, ପିଆଜ ଚାଷ କରି ମୋର ପରିବାର ପ୍ରତିପୋଷଣ କରିଆସୁଛି। ୮ ଲକ୍ଷ ଟଙ୍କା ସୁଧରେ ଆଣି ଚାଷ କରିଥିଲି। ହେଲେ, ଘେରିର ଲୁଣା ପାଣି ଜମିରେ ମାଡ଼ିଯିବା ଦ୍ୱାରା ଆଳୁ ଗଛ ମରିଗଲା। ଧାରକରଜ ସୁଝିବୁ କେମିତି ଚିନ୍ତାରେ ପଡ଼ିଛୁ।
-ଗୋଲଖ ବିହାରୀ ଆର୍ଯ୍ୟ
ଖୁବଶୀଘ୍ର ଘଟଣାସ୍ଥଳକୁ ଯାଇ ତଦନ୍ତ କରିବି। ଚିଙ୍ଗୁଡ଼ି ଘେରି ବେଆଇନ ହୋଇଥିଲେ ଉଚ୍ଛେଦ କରାଯିବ ଓ ଘେରି ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଅଶୋକ କୁମାର ଦେହୁରୀ, ତହସିଲଦାର୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe