ମନରେଗା ଦୁର୍ନୀତି ବଳୟରେ ସିମନବାଡ଼ି ପଞ୍ଚାୟତ

Advertisment
ଖୋର୍ଦ୍ଧାରେ ମନରେଗା: ଆବେଦନକାରୀଙ୍କ ମଧ୍ୟରୁ ୫୦ ପ୍ରତିଶତ କାମ ପାଇବାରୁ ବଂଚିତ

Representative Photo

ଦାରିଙ୍ଗବାଡ଼ି: କେତେବେଳେ ମୃତ ବ୍ୟକ୍ତି କାମ କରିଥିବା ଦର୍ଶାଇ ଟଙ୍କା ହଡ଼ପ ହେଉଛି ତ, ଆଉ କେତେବେଳେ କାମ ନକରି ଲୋକଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି। କିନ୍ତୁ ବିଭାଗୀୟ ଅଧିକାରୀ ସବୁ ଜାଣି ଚୁପ୍‌ ରହୁଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ପଞ୍ଚାୟତରେ ମନରେଗାରେ ଏଭଳି ମହାଦୁର୍ନୀତି ଚାଲିଥିବା ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣ ଓ ଜମି ଉନ୍ନୟନ କାମରେ ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ୍‌ ହୋଇଥିବା ଅଭିଯୋଗ ଆସିଛି। ଏକାଧିକ ପ୍ରକଳ୍ପ କାମରେ ଆଜି ପର୍ଯ୍ୟନ୍ତ ସୂଚନା ଫଳକ ଲଗା ନଯାଇ ଲୋକଙ୍କୁ ଅନ୍ଧାରରେ ରଖି ବ୍ୟାପକ ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି। ଲକ୍ଷାଧିକ ଟଙ୍କାର ମିଥ୍ୟା ବିଲ୍‌ କରାଯାଇଥିଲେ ସୁଦ୍ଧା କାର୍ଯ୍ୟ କରିଥିବା ଶତାଧିକ ଶ୍ରମିକ ଏପର୍ଯ୍ୟନ୍ତ ନିଜର ପାରିଶ୍ରମିକ ପାଇ ନ ଥିବା ନେଇ ପଞ୍ଚାୟତରୁ ଆରମ୍ଭ କରି ବ୍ଲକ୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି। ମନରେଗା କାର୍ଯ୍ୟ ତଦାରଖ ପାଇଁ ପଞ୍ଚାୟତ, ବ୍ଲକ୍‌ ଓ ଜିଲ୍ଲାସ୍ତରରେ ଅଧିକାରୀ ମାନେ ଥିଲେ ସୁଦ୍ଧା ତଦାରଖ ଅଭାବରୁ ଏଭଳି ଦୁର୍ନୀତି ବଢ଼ି ଚାଲିଥିବା ଅଂଚଳବାସୀ ଅଭିଯୋଗ କରିବା ସହ ଏହାର ତଦନ୍ତ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟନୁଷ୍ଠାନ ଦାବି ହୋଇଛି। ସିମନବାଡ଼ି ଜିଆରଏସ୍‌ ବିଜୟ ସାହୁଙ୍କୁ ପଚାରିବାରୁ ସେ କହିଲେ, ସେମିତି କିଛି ହୋଇନାହିଁ, ସବୁ ଠିକ୍‌ ବିଲ୍‌ ହୋଇଛି। କନିଷ୍ଠ ଯନ୍ତ୍ରୀ ତୁଷାର ରଞ୍ଜନ ସେଠୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସମ୍ଭବ ହୋଇନଥିଲା। ଅଭିଯୋଗ ପ୍ରକାରେ, ଜଗନ୍ନାଥ ମନ୍ଦିର ଠାରୁ ଜୁଡ଼ାବାଡ଼ି ମୋରମ୍‌ ରାସ୍ତାରେ ୪୫୦ ଦିନର ଶ୍ରମ ଦିବସ ବାବଦକୁ ୯୬ ହଜାର ୭୭୫ ଟଙ୍କା ବିଲ୍‌ କରାଯାଇଛି। ମାତ୍ର ୧୭୦ ଶ୍ରମ ଦିବସ ମଧ୍ୟରେ କାର୍ଯ୍ୟ ହୋଇଥିବା ବେଳେ ବଳକା ୨୮୦ ଶ୍ରମ ଦିବସ ବାବଦରେ ୬୦ ହଜାର ଟଙ୍କାର ମିଥ୍ୟା ବିଲ୍‌ କରାଯାଇଛି।

ସେହିପରି ସିମନବାଡ଼ି ପୂର୍ତ୍ତ ରାସ୍ତା ଠାରୁ ଗବାଟବାଡ଼ି ଗ୍ରାମ ରାସ୍ତା ନିମନ୍ତେ ୧୦୨୫ ଶ୍ରମ ଦିବସ ସୃଷ୍ଟି କରାଯାଇ ୨ ଲକ୍ଷ ୨୦ ହଜାର ଟଙ୍କା ବିଲ୍‌ କରାଯାଇଥିବା ଦର୍ଶାଯାଇଛି। ମାତ୍ର ଏଥିରେ ୫୦୦ ଶ୍ରମ ଦିବସ ମଧ୍ୟରେ କାର୍ଯ୍ୟ ହୋଇଥିବା ବେଳେ ଆଉ ୫ ଶହ ୨୫ ଶ୍ରମ ଦିବସ ବାବଦରେ ୧ଲକ୍ଷ ଟଙ୍କାର ମିଥ୍ୟା ବିଲ୍‌ ହୋଇଛି। ଦଡ଼ିବାଡ଼ି ପୁସିମାହା ଠାରୁ ପୁରୁଣାପୋଷ୍ଟ୍ ରାସ୍ତା କାମରେ ୧୪୦୦ ଶ୍ରମ ଦିବସ ବାବଦକୁ ୩ ଲକ୍ଷ ଟଙ୍କା ବିଲ୍‌ ହୋଇଥିବା ବେଳେ ୫ ଶହ ଶ୍ରମ ଦିବସ ମଧ୍ୟରେ କାର୍ଯ୍ୟ ହୋଇ ୯ ଶହ ଶ୍ରମ ଦିବସ ବାବଦରେ ୧ ଲକ୍ଷ ୮୦ ହଜାର ଟଙ୍କାର ମିଥ୍ୟା ବିଲ୍‌ କରାଯାଇଛି। ଲାରୀବାଡ଼ି ଠାରୁ କୁଡିମୁଂଜା ରାସ୍ତା କାର୍ଯ୍ୟରେ ୨୦୭୬ ଶ୍ରମ ଦିବସ ବାବଦକୁ ୪ ଲକ୍ଷ ୨୪ ହଜାର ଟଙ୍କା ବିଲ୍‌ ହୋଇଥିବା ବେଳେ ୮ ଶହ ଶ୍ରମ ଦିବସ ମଧ୍ୟରେ କାର୍ଯ୍ୟ ହୋଇ ୧୧୦୦ ଶ୍ରମ ଦିବସ ବାବଦରେ ୨ ଲକ୍ଷ ୩୦ ହଜାର ଟଙ୍କା ମିଥ୍ୟା ବିଲ୍‌ କରାଯାଇଛି। ଜୁଡ଼ାବାଡ଼ି ଠାରୁ ବ୍ରହ୍ମପାଙ୍ଗା ରାସ୍ତା କାମରେ ୧୩୦୨ ଶ୍ରମ ଦିବସ ବାବଦକୁ ୨ ଲକ୍ଷ ୮୦ ହଜାର ଟଙ୍କା ବିଲ୍‌ ହୋଇଥିବା ବେଳେ ୩ ଶହ ଶ୍ରମ ଦିବସ ମଧ୍ୟରେ କାମ କରାଯାଇ ୧ ହଜାର ଶ୍ରମ ଦିବସ ବାବଦରେ ୨ ଲକ୍ଷରୁ ଅଧିକ ଟଙ୍କା ମିଥ୍ୟା ବିଲ୍‌ କରାଯାଇଛି। ସିମନବାଡ଼ି ଜମି ଉନ୍ନୟନ କାମ ଆଦୌ ହୋଇ ନ ଥିବା ବେଳେ ୧୭୩୭ ଶ୍ରମ ଦିବସ ବାବଦକୁ ୩ ଲକ୍ଷ ୭୦ ହଜାର ଟଙ୍କା ସମ୍ପୂର୍ଣ୍ଣ ମିଥ୍ୟା ବିଲ୍‌ ହୋଇଥିବା ଗୁରୁତର ଅଭିଯୋଗ ଆସିଛି। ପାଟଖଣ୍ଡା ମନ୍ଦିର ଠାରୁ ମଶାଣି ରାସ୍ତା କାମରେ ୭୮୬ ଶ୍ରମ ଦିବସ ବାବଦକୁ ୧ ଲକ୍ଷ ୭୦ ହଜାର ବିଲ୍‌ ହୋଇଥିବା ବେଳେ ମାତ୍ର ୨ ଶହ ଶ୍ରମ ଦିବସ ମଧ୍ୟରେ କାର୍ଯ୍ୟ କରାଯାଇ ୯୦ ହଜାର ଟଙ୍କାର ମିଥ୍ୟା ବିଲ୍‌ କରାଯାଇଛି। ଏଭଳି ଭାବେ ଗବାଟବାଡ଼ି ଜମି ଉନ୍ନୟନ କାମ, ଜୁଡ଼ାବାଡ଼ି ସାହି ରାସ୍ତା କାମ, ଗବାଟବାଡ଼ି ଜମି ଉନ୍ନୟନ କାମ ଓ ଡକରବାଡ଼ି ରାସ୍ତା ପାଇଁ ମନରେଗା କାର୍ଯ୍ୟରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe