ଅସନ୍ତୋଷ ପରେ ସୁଧାର, ମୟୂରଭଞ୍ଜ କୋଭିଡ ହସ୍ପିଟାଲରୁ ଆସିଲା ସକରାତ୍ମକ ଚିତ୍ର, ବୃଦ୍ଧ ରୋଗୀଙ୍କୁ ଖୁଆଇ ଦେଉଛନ୍ତି ହସ୍ପିଟାଲ କର୍ମଚାରୀ

ପିଆରଏମ ମେଡିକାଲରୁ ଦୈନିକ କୋଭିଡ ହସ୍ପିଟାଲ ଯାଇ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି ଡାକ୍ତର

ଅସନ୍ତୋଷ ପରେ ସୁଧାର, ମୟୂରଭଞ୍ଜ କୋଭିଡ ହସ୍ପିଟାଲରୁ ଆସିଲା ସକରାତ୍ମକ ଚିତ୍ର, ବୃଦ୍ଧ ରୋଗୀଙ୍କୁ ଖୁଆଇ ଦେଉଛନ୍ତି ହସ୍ପିଟାଲ କର୍ମଚାରୀ

ବାରିପଦା : ମୟୂରଭଞ୍ଜର ଏକମାତ୍ର କୋଭିଡ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ତୀଵ୍ର ଅସନ୍ତୋଷ ଦେଖାଦେଇଥିଲା। ଆଜି କିନ୍ତୁ ହସ୍ପିଟାଲ ଭିତରୁ ସକରାତ୍ମକ ଚିତ୍ର ସାମ୍ନାକୁ ଆସିଛି। ଜଣେ ବୃଦ୍ଧ ରୋଗୀଙ୍କୁ ହସ୍ପିଟାଲର ଜଣେ କର୍ମଚାରୀ ଖୁଆଇଦେବାର ଦୃଶ୍ୟ ପଦାକୁ ଆସିଛି। ଯାହାକି ହସ୍ପିଟାଲରେ ଚାଲିଥିବା ଅବ୍ୟବସ୍ଥା ରୂପକ ଅସନ୍ତୋଷକୁ ପ୍ରଶମିତ କରିବାରେ ସହାୟକ ହୋଇଛି। ସେହିପରି ଆଜି ହସ୍ପିଟାଲରେ ସିସିଟିଭି ସଂଯୋଗ ହୋଇଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେଣୁ ଆଜିଠାରୁ ଏହି ହସ୍ପିଟାଲରେ ରୋଗୀମାନଙ୍କ ଗତିବିଧି ସହିତ ହସ୍ପିଟାଲ କର୍ମଚାରୀଙ୍କ ଆଚରଣ ସମ୍ପର୍କରେ ସଠିକ ସୂଚନା ରଖାଯାଇପାରିବ। ସେହିପରି ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରିଥିବା ରୋଗୀଙ୍କୁ ଆବଶ୍ୟକତା ଅନୁଯାୟୀ ସେବା ଯୋଗାଇଦେବାକୁ ଜିଲ୍ଲାପାଳ ବିନିଥ ଭରଦ୍ବାଜ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। ବାଙ୍କିଷୋଳ କିମ୍ସ କୋଭିଡ ହସ୍ପିଟାଲରୁ ଯେପରି ଆଉ ରୋଗୀଙ୍କୁ ଅବହେଳାର ଅଭିଯୋଗ ନଆସେ ସେନେଇ ସମସ୍ତେ ଯତ୍ନବାନ ହେବାକୁ ଜିଲ୍ଲାପାଳ କଡ଼ାକଡ଼ି ଭାବେ କହିଛନ୍ତି। ଇତିମଧ୍ୟରେ ଏହି କୋଭିଡ ହସ୍ପିଟାଲକୁ ପିଆରଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରୁ ପ୍ରତିଦିନ ଡାକ୍ତରମାନେ ଯାଇ ରୋଗୀଙ୍କ ସହିତ କଥାହୋଇ ଉନ୍ନତ ଚିକିତ୍ସା ଯୋଗାଇଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ୱାରା କୋଭିଡ ହସ୍ପିଟାଲରେ ଥିବା ରୋଗୀଙ୍କୁ ଆହୁରି ଅଧିକ ଉନ୍ନତ ଚିକିତ୍ସା ମିଳିପାରିବ। ଉଲ୍ଲେଖଯୋଗ୍ୟ ଯେ ଏହି ହସ୍ପିଟାଲରେ ରୋଗୀଙ୍କୁ ଉପଯୁକ୍ତ ଯତ୍ନ ନିଆଯାଉନଥିବା ଅଭିଯୋଗରେ ଗତ କିଛିଦିନ ହେବ ପୁରା ଜିଲ୍ଲାରେ ତୀବ୍ର ଅଶାନ୍ତି ଦେଖାଯାଇଥିଲା। ଏହି ହସ୍ପିଟାଲରେ ଥିବା କିଛି ରୋଗୀ ଅତ୍ୟନ୍ତ ଅସହାୟ ଭାବେ ଉଲଗ୍ନ ହୋଇ ଶୌଚାଳୟ ଆଦି ନିକଟରେ ପଡିବାର ଚିତ୍ର ବାହାରକୁ ଆସିବା ପରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଅକଳରେ ପଡିଥିଲା ଜିଲ୍ଲା ପ୍ରଶାସନ। ବିଭିନ୍ନ ରାଜନୈତିକ ଦଳ ଠାରୁ ଆରମ୍ଭ କରି ସାମାଜିକ ସଂଗଠନ ପର୍ୟ୍ୟନ୍ତ ସମସ୍ତେ ଏପରି ସମ୍ବେଦନଶୀଳ ଘଟଣାକୁ ନେଇ ଜିଲ୍ଲା ପ୍ରଶାସନକୁ ଘେରିଥିଲେ। ସବୁଠି ଅସନ୍ତୋଷ ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ବିଜେପି ହସ୍ପିଟାଲ କର୍ତ୍ତୃପକ୍ଷ ଏଵଂ ଜିଲ୍ଲା ପ୍ରଶାସନ ବିରୋଧରେ ବାରିପଦା ସଦର ଥାନାରେ ଅଭିଯୋଗ ମଧ୍ୟ କରିଛି। ସେହିପରି ଗତକାଲି କେନ୍ଦମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ପିପିଇ କିଟ ପିନ୍ଧି ହସ୍ପିଟାଲ ପରିଦର୍ଶନ କରିଥିଲେ। ଜିଲ୍ଲାପାଳ ମଧ୍ୟ ସୋମବାର ଦିନ ହସ୍ପିଟାଲ ପରିଦର୍ଶନ କରି ରୋଗୀଙ୍କ ସହିତ କଥା ହୋଇଥିଲେ। ସିସିଟିଭି ଲାଗିବା ପରେ ରୋଗୀଙ୍କ ସହିତ ସେମାନଙ୍କ ସମ୍ପର୍କୀୟମାନେ ଯେପରି ସମ୍ପର୍କ ରଖିପାରିବେ ସେ ବ୍ୟବସ୍ଥା କରିବାକୁ ଦାବି ହୋଇଛି। ଏହି ବ୍ୟବସ୍ଥା ଅନ୍ୟାନ୍ୟ କିଛି ଜିଲ୍ଲାରେ ଆରମ୍ଭ ହୋଇସାରିଛି। ଏହା ମୟୂରଭଞ୍ଜ ମଧ୍ୟ ଆରମ୍ଭ ହେଉ ବୋଲି ଦାବି ଉଠିଛି। ଜିଲ୍ଲାବ୍ୟାପୀ ଅସନ୍ତୋଷ ପରେ କୋଭିଡ ହସ୍ପିଟାଲରେ ଏପରି ବ୍ୟବସ୍ଥା କୁ ନେଇ ସବୁଠି ଖୁସି ଜାହିର କରାଯାଇଛି। ମାତ୍ର ବିରୋଧ ହେବା ପୂର୍ବରୁ ଏପରି ହୋଇଥିଲେ ଭଲ ହୋଇଥାନ୍ତା ବୋଲି ମତପ୍ରକାଶ ପାଇଛି। ଏପରି ସୁବ୍ୟବସ୍ଥା ଜାରି ରହିବା ଆବଶ୍ୟକ ବୋଲି ଜିଲ୍ଲାବାସୀ ମତ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe