ମହାନଦୀରେ ଡଙ୍ଗା ଭାସିଯିବା ଘଟଣା, ନିଲାମଧାରୀଙ୍କ ନାଁରେ ମାମଲା; ଖସିଯିବେ ଅଧିକାରୀ

Advertisment
ମହାନଦୀରେ ଡଙ୍ଗା ଭାସିଯିବା ଘଟଣା, ନିଲାମଧାରୀଙ୍କ ନାଁରେ ମାମଲା; ଖସିଯିବେ ଅଧିକାରୀ

Sambad

କେନ୍ଦ୍ରାପଡ଼ା/ମହାକାଳପଡ଼ା: ମହାକାଳପଡ଼ା ବ୍ଲକ୍‌ର ମହାନଦୀରେ ଯାତ୍ରୀବାହୀ ଡଙ୍ଗା ଭାସିଯିବା ଘଟଣାକୁ୨୪ଘଣ୍ଟା ବିତିବାକୁ ବସିଲାଣି। ହେଲେ ଏଯାଏ ନା’ ଡଙ୍ଗା ଚାଳକ ନା’ ଫେରିଘାଟ ନିଲାମ ଧରିଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ରାମନଗର ପଞ୍ଚାୟତ ନିର୍ବାହୀ ଅଧିକାରୀ ମୃତ୍ୟୁଞ୍ଜୟ ରାଉତ ଆଜି ଏହି ଘଟଣାରେ ନିଲାମଧାରୀ ବ୍ୟକ୍ତି ଏବଂ ଚାଳକଙ୍କ ବିରୋଧରେ ଜମ୍ଭୁ ଥାନାରେ ଏତଲା ଦେଇଛନ୍ତି। ଘାଟ ବନ୍ଦ ସତ୍ତ୍ବେ ଡଙ୍ଗା ଚଳାଇଥିବାରୁ ଉଭୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଂଚାୟତ ଅଧିକାରୀ ଏତଲାରେ ଦର୍ଶାଇଛନ୍ତି। ହେଲେ ଏତଲା ଦେଇ ପଂଚାୟତ ଅଧିକାରୀ ନିଜ ଭୁଲ ତଥା ଚରମ ଅବହଳାକୁ ଲୁଚାଇ ପାରିବେ ନାହିଁ। ଏମାନଙ୍କ ଅବହେଳା ତଥା ଖାମଖିଆଲ ମନୋଭାବ ପାଇଁ ଯେ ଏଭଳି ଅଘଟଣ ଘଟିଲା, ତାହାକୁ ଅସ୍ବୀକାର କରାଯାଇପାରିବ ନାହିଁ। ତଥ୍ୟ କହୁଛି, ମହାନଦୀରେ ପ୍ରବଳ ବନ୍ୟା ପାଣି ଆସିବା କାରଣରୁ ଗତ ୧୬ତାରିଖରେ ଘାଟ ବନ୍ଦ କରିବାକୁ ନିଲାମଧାରୀକୁ ନୋଟିସ୍ କରାଯାଇଥିଲା। ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପଞ୍ଚାୟତ ପକ୍ଷରୁ ଘାଟକୂଳରେ ଏହି ନୋଟିସ୍ ମରାଯାଇଥିଲା। କିନ୍ତୁ ପ୍ରଶାସନର ଏହି କଟକଣାକୁ ଯେ ନିଲାମଧାରୀ ବ୍ୟକ୍ତି ଆଦୌ ମାନି ନ ଥିଲେ, ତାହା ଶନିବାର ମଝି ନଈରେ ଡଙ୍ଗା ଭାସିଯିବା ଘଟଣାରୁ ପ୍ରମାଣିତ ହୋଇଛି। ପାରାଦୀପ ଶିଳ୍ପାଞ୍ଚଳରୁ ୮୦ରୁ ଅଧିକ ଯାତ୍ରୀଙ୍କୁ ଧରି ଡଙ୍ଗା ଆସୁଥିବା ବେଳେ ମହାନଦୀର ମଝିରେ ବେଲ୍‌ଟି ଛିଡ଼ି ଯାଇଥିଲା। ଫଳରେ ଫ୍ୟାନ୍ ଅଚଳ ହେଇଯିବାରୁ ଡଙ୍ଗା ଭାସି ଯାଇଥିଲା।  କିନ୍ତୁ ‌ସୌଭାଗ୍ୟବଶତଃ ଡଙ୍ଗାଟି ଭାସି ଆସି କୂଳରେ ଲାଗିଯିବାରୁ ବଡ଼ଧରଣର ବିପଦ ଟଳିଯିବା ସହିତ ସବୁ ଯାତ୍ରୀଙ୍କ ଜୀବନ ବର୍ତ୍ତି ଯାଇଥିଲା। ମିଳିଥିବା ସୂଚନାନୁଯାୟୀ, ପ୍ରତିଦିନ ବାହାକୁଦ ଫେରୀଘାଟରୁ ଶହେ କି’ ଦୁଇ ଶହ ନୁହେଁ, ହଜାର ହଜାର ଲୋକ ଡଙ୍ଗାରେ ପାରାଦୀପ ଶିଳ୍ପାଞ୍ଚଳକୁ କାମ କରିବାକୁ ଯା’ନ୍ତି ଏବଂ ସଂଧ୍ୟାରେ ଘରକୁ ଫେରନ୍ତି। ବାଇକ୍, ସାଇକଲ୍‌ ବି ଡଙ୍ଗାରେ ଲଦି ଲୋକମାନେ ଯା’ନ୍ତି। ଗତ ଏପ୍ରିଲ୍‌ରେ ଘାଟ ନିଲାମ ହୋଇଥିଲା। ମାର୍ଶାଘାଇ କୁସୁନୁପୁର ଗ୍ରାମର ଆନନ୍ଦ ସାହୁ ନାମକ ବ୍ୟକ୍ତି ଘାଟ ନିଲାମ ଧରିଥିଲେ। କିନ୍ତୁ ଅର୍ଥଲୋଭ ତାଙ୍କୁ ଏମିତି ଘାରିଥିଲା ଯେ ପ୍ରଶାସନର କଟକଣାକୁ ବି ମାନିନଥିଲେ।

ଭରା ନଈର ପ୍ରଖର ସ୍ରୋତରେ ହଜାର ହଜାର ଯାତ୍ରୀଙ୍କ ଜୀବନକୁ ବାଜିରେ ଲଗାଇ ଚୋରା‌ରେ ଡଙ୍ଗା ଚଳାଉଥିଲେ। ଅଥଚ, ନାକତଳେ ଚାଲିଥିବା ଏହି ଚୋରା ଡଙ୍ଗା ଚଳାଚଳ ସଂପର୍କରେ ପଂଚାୟତ ଅଧିକାରୀ ଜାଣିନପାରିବା ସନ୍ଦେହ ସୃଷ୍ଟି କରୁଛି। ଯଦିଓ ଅଘଟଣ ପରେ ଅଧିକାରୀ ଶ୍ରୀ ରାଉତ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ଘାଟ ବନ୍ଦ ପାଇଁ ନୋଟିସ୍ ଦିଆଯିବା ସତ୍ତ୍ବେ ନିଲାମଧାରୀ ବ୍ୟକ୍ତି ଏହାକୁ ଅମାନ୍ୟ କରିଥିଲେ। ଚୋରାରେ ଡଙ୍ଗା ଚଳାଇବାରୁ ଏଭଳି ଅଘଟଣ ଘଟିଥିଲା। ତେଣୁ ଉଭୟ ନିଲାମଧାରୀ ବ୍ୟକ୍ତି ଏବଂ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ରାଉତ ଏତଲାରେ ଦର୍ଶାଇଛନ୍ତି। ଜମ୍ଭୁ ପୁଲିସ ଏତଲା ଆଧାରରେ ଉଭୟଙ୍କ ବିରୋଧରେ କେସ୍ ନମ୍ବର ୧୦୭/୨୨, ଦଫା ୨୮୦,  ୨୮୨, ୩୪ଆଇପିସିରେ ମାମଲା ରୁଜୁ କରିଛି। କିନ୍ତୁ ଏ କଥା ସ୍ପଷ୍ଟ ଯେ ଏତଲା ଦେଇ ନିଜ ଭୁଲକୁ ଯେତେ ଲୁଚାଇବାକୁ ଚେଷ୍ଟା କଲେ ବି ପଂଚାୟତ ଅଧିକାରୀ ଏଥିରୁ ଖସିଯାଇପାରିବେ ନାହିଁ। ଯେଉଁ ପ୍ରଶ୍ନ ସାଧାରଣ ଲୋକଙ୍କୁ ଆନ୍ଦୋଳିତ କରୁଛି, ତାହା ହେଉଛି ବନ୍ଦ ନୋଟିସ୍ ସତ୍ତ୍ବେ ଘାଟରେ ଡଙ୍ଗା ଚାଲୁଥିବା ସଂପର୍କରେ ପ୍ରଶାସନ କିଭଳି ଜାଣିପାରିଲା ନାହିଁ? ନୋଟିସ୍ ପରେ ଅଧିକାରୀ ଘାଟକୂଳକୁ କେତେଥର ଯାଞ୍ଚ କରିବାକୁ ଯାଇଥିଲେ? ଯଦି ଯାଇଥିଲେ, ତା’ ହେଲେ ଡଙ୍ଗା ଚଳାଚଳ କଦାପି ସମ୍ଭବ ହେଇନଥା’ନ୍ତା। ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ ନୋଟିସ୍ ଦେଇ ପ୍ରଶାସନ ତାର ଦାୟିତ୍ବ ସାରି ଦେଇଥିବାରୁ ଏହାର ସୁଯୋଗ ନେଇ ନିଲାମଧାରୀ ଚୋରାରେ ଡଙ୍ଗା ଚଳାଉଥିଲେ। ତେଣୁ ନିଲାମଧାରୀ ବ୍ୟକ୍ତି, ଚାଳକଙ୍କ ସହିତ ଦାୟିତ୍ବରେ ଅବେହଳା କରିଥିବା ଅଧିକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

ଭାସି ଯାଇଥିବା ଡ଼ଙ୍ଗାରୁ ଯାତ୍ରୀଙ୍କୁ ଉଦ୍ଧାର କରିବାରେ ପ୍ରଶାସନର ସମୟୋଚିତ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ ଜରିଆରେ ପ୍ରଶଂସା କରିଛନ୍ତି। ଉଦ୍ଧାର କାର୍ଯ୍ୟର ନେତୃତ୍ବ ନେଇଥିବା ବିଡିଓ, ତହସିଲଦାର, ମହାକାଳପଡ଼ା ଥାନାଧିକାରୀ, ଜମ୍ଭୁ ମେରାଇନ ଥାନା କର୍ମଚାରୀ, ଅଗ୍ନିଶମ କର୍ମଚାରୀ, ସ୍ଥାନୀୟବାସିନ୍ଦାଙ୍କ ନିଷ୍ଠାପର କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ମୂଲ୍ୟବାନ ଜୀବନ ସୁରକ୍ଷିତ କରିଥିବାରୁ ସେ ସେମାନଙ୍କୁ ସାଧୁବାଦ୍‌ ଜଣାଇଛନ୍ତି।

ବିପଦ ଟଳିବାକୁ ପୂରିନି ୨୪ଘଣ୍ଟା, ବାହାକୁଦ ଫେରିଘାଟରେ ପୁଣି ଚାଲିଲା ଡ଼ଙ୍ଗା

ମହାନଦୀରେ ପ୍ରବଳ ବନ୍ୟା ସ୍ରୋତରେ ବାହାକୁଦ ଫେରିଘାଟ ଡ଼ଙ୍ଗା  ଭାସିଯିବା ଓ ପ୍ରଶାସନର ଅକ୍ଲାନ୍ତ ଉଦ୍ୟମ ପରେ ସମୁଦ୍ରର ଅନତି ଦୂରରୁ ଯାତ୍ରୀବାହୀ ଡ଼ଙ୍ଗା ସମେତ ପ୍ରାୟ ୮୦ରୁ ଅଧିକ ଯାତ୍ରୀଙ୍କ ଜୀବନ ରକ୍ଷା କରାଯିବା ଘଟଣାକୁ ୨୪  ଘଣ୍ଟା ପୂରିନି l ହେଲେ ଆଜି ପୁଣି ବାହlକୁଦ ଫେରିଘାଟ ନିକଟରେ ଲୁଚାଛପାରେ ଯାତ୍ରୀବାହୀ ଡ଼ଙ୍ଗା ଚାଲିଥିବା ଦେଖିବାକୁ ମିଳିଛି। ବିପଦକୁ ଖାତିର ନାହଁ କି ଆଇନକୁ ଭୟ ନାହଁ। ପ୍ରଶାସନର ବି ଅଙ୍କୁଶ ନାହଁ l ଏତେ ବଡ଼ ଅଘଟଣକୁ ପ୍ରଶାସନ ଭୁଲିଗଲା କେମିତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସକାଳ ନ ହେଉଣୁ ଆଜି ପୁଣି ଦୁଇଟିରୁ ତିନୋଟି ଘରୋଇ ମାଛ ଧରା ଡ଼ଙ୍ଗା ସାହାଯ୍ୟରେ କେତେକ ବ୍ୟକ୍ତି ବେଆଇନ ଭାବେ ବାହାକୁଦ ଫେରିଘାଟ ନିକଟରେ ଡ଼ଙ୍ଗା ଚଳାଉଥିବା ଦେଖିବାକୁ ମିଳିଥିଲା। ବାହାକୁଦ ପଟରୁ ଯାତ୍ରୀମାନଙ୍କୁ ନେଇ ପାରାଦୀପ ପଟରେ ଛାଡୁଥିବା ବେଳେ ଅନୁରୂପ ଭାବେ ପାରାଦୀପ ପଟରୁ ଯାତ୍ରୀମାନଙ୍କୁ ଡଙ୍ଗାରେ ଆଣି ବାହକୁଦ ଘାଟରେ ଛାଡ଼ୁଛନ୍ତି l ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ରଶାସନ ନିକଟରେ ଏ ନେଇ ଖବର ନାହଁ l ବନ୍ୟା ସମୟରେ ନୌକା ଚଳାଚଳ ବନ୍ଦ ରହିବା କଥା l ହେଲେ ଏଥିପାଇଁ ପ୍ରଶାସନ ର ନିଘା ଥିବା ଭଳି ମନେ ହେଉନି l ଏହି ଘାଟରେ ଡ଼ଙ୍ଗା ଚଳାଚଳ କରିବା ପ୍ରଶାସନ ର ଅପାରଗତାକୁ ପଦାରେ ପକାଇଛି l କେବଳ ବାହକୁଦ କାହିଁକି ଆଜି ତେରଗାଁ  ଘାଟରେ ମଧ୍ୟ ବେଆଇନ ଭାବେ ଡ଼ଙ୍ଗା ଚଳାଚଳ ହେଉଥିବାର ଦେଖିବାକୁ ମିଳିଛି l

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe