ଗାଁରେ ବ୍ୟାପିଲାଣି କରୋନା,ଏବେ ସ୍ଥିତି ହେଲାଣି ସଂଗୀନ 

Advertisment
ଗାଁରେ ବ୍ୟାପିଲାଣି କରୋନା,ଏବେ ସ୍ଥିତି ହେଲାଣି ସଂଗୀନ 

The World Economic Forum

ଭଦ୍ରକ: ଭଦ୍ରକ ଜିଲ୍ଲାରେ ହୁ ହୁ ହୋଇ ବଢୁଛି କାରୋନା ସଂକ୍ରମଣ। ସଂକ୍ରମଣକୁ ଆଉ ରୋକିବା ଭଳି ଅବସ୍ଥା ନାହିଁ। ପ୍ରଶାସନ ପକ୍ଷରୁ ସବୁଆଡେ କଟକଣା କରାଯାଇଥିଲେ ମଧ୍ୟ ଆମାନିଆ ପ୍ରବାସୀ ସବୁ ଆସି ଘାଣ୍ଟି ଦେଲେ। ପ୍ରଶାସନ ପକ୍ଷରୁ କରୋନା କଟକଣା କରି ବାଡ ଲାଗାଇବା‌ ବେଳକୁ ବାହାର ରାଜ୍ୟରୁ ସବୁ ପ୍ରବାସୀ ଆସି ନିଜ ନିଜ ଘରେ ପ୍ରବେଶ କରି ସାରିଥିଲେ। ଏଇ ପ୍ରବାସୀ ଫେରି ନିଜ ଘରେ ରହିଥିଲେ ସେମାନଙ୍କୁ ସରପଞ୍ଚମାନେ ମଧ୍ୟ ଚିହ୍ନଟ କରି ନଥିଲେ।

କାରଣ ଗତଥର କୋଭିଡ୍ କଟକଣା ପାଇଁ ସରପଞ୍ଚମାନେ ନିଜ ନିଜ ପଞ୍ଚାୟତରେ ଯେଉଁ କୋଭିଡ୍ କେୟାର ସେଣ୍ଟର ଖୋଲି ପ୍ରବାସୀଙ୍କୁ କ୍ବାରେଣ୍ଟାଇନ୍ରେ ରଖି ସେମାନଙ୍କୁ ଖାଇବା ପିଇବା ଦେଇଥିଲେ। ଏବେ ମଧ୍ୟ ଅନେକ ସରପଞ୍ଚ ଏଇ ଅର୍ଥ ପାଇ ନଥିବା ଅଭିଯୋଗ କରି ଆସୁଛନ୍ତି। ଏପରିସ୍ଥଳେ ପୁଣି ଏବର୍ଷ କାହିଁକି କ୍ବାରେଣ୍ଟାଇନ୍ ପ୍ରବାସୀଙ୍କୁ ରଖି ପୁଣି ହଇରାଣ ହରକତ ହେବୁ। ଏଇସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଏଥର ଫେରନ୍ତା ପ୍ରବାସୀଙ୍କ ବାଟ ଓଗାଳି ନଥିଲେ ସରପଞ୍ଚ ମାନେ । ଅନ୍ୟ ପଟରେ ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଭଦ୍ରକ ଜିଲ୍ଲା‌ରେ ଆଦୌ ଠିକ୍ ନାହିଁ।

କରୋନା ମୁକାବିଲା୍ରେ ଜିଲ୍ଲା ପ୍ରଶାସନ ଏକ ରକମ ବିଫଳ ହୋଇଛି। ଯେଉଁଥିପାଇଁ ଗାଁ ଗାଁରେ ଏବେ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିବାର ପରିଲକ୍ଷିତ ହେଉଛି। ଯେତିକି ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ କରୋନା ଆକ୍ରାନ୍ତ ଏବେ ଗ୍ରାମାଞ୍ଚଳରୁ ଚିହ୍ନଟ ହେଉଛନ୍ତି। ଗାଁ ଗାଁରେ ସାହି ସାହିରେ ଏବେ ବ୍ୟାପିଛି କରୋନା। କରୋନା ପାଇଁ ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଗଠନ କରାଯାଇଥିଲା।

ଅନ୍ୟ କିଛି ଗାଁ ସେମିତି ଖୋଲା ମେଲା ପଡିଛି। ଗାଁ ମୁହାଁ କରୋନା ହେଉଥିବାରୁ ଏହାକୁ ନେଇ ପ୍ରଶାସନର ଚିନ୍ତା ବଢିଛି। ‌ଏତେ ସଂଖ୍ୟକ ଆକ୍ରାନ୍ତଙ୍କୁ କିଭଳି ଚିକିତ୍ସା ସେବା ‌ଯୋଗାଇ ଦିଆଯିବ ତାହାକୁ ନେଇ ଅଡୁଆରେ ପଡିଛି। ସ୍ବାସ୍ଥ୍ୟ ବିଭାଗ। ଜିଲ୍ଲା‌ରେ ଦୁର୍ବଳ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ନେଇ କିଭଳି କୋଭିଡ୍ ମୁକାବିଲା କରିବ ପ୍ରଶାସନ। ଜିଲ୍ଲାରେ ଆବଶ୍ୟକ ଡାକ୍ତର ନଥିବା ବେଳେ ବହୁ ଡାକ୍ତର ପଦବୀ ଖାଲି ପଡିଛି।

ଡାକ୍ତର ନିଯୁକ୍ତି ନେଇ କେହି କାନ ହଲାଉ ନଥିବା ବେଳେ ନର୍ସ ଓ ଫାର୍ମାସିଷ୍ଟ ଷ୍ଟାଫ୍ ମଧ୍ୟ ନିଯୁକ୍ତି କରାଯାଉ ନାହିଁ। ଜିଲ୍ଲାରେ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ କୌଣସି ଉନ୍ନତମାନର ଯନ୍ତ୍ରପାତି ନାହିଁ। ଏପରିସ୍ଥଳେ ଗାଁ ଲୋକଙ୍କୁ କିଭଳି ଭାବେ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ତାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଜିଲ୍ଲାବାସୀ ଏବେ ଚିନ୍ତାରେ ରହିଥିବା ବେଳେ ପ୍ରତି ମୂହୂର୍ତ୍ତରେ କରୋନା କୁ ନେଇ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି।

ଭଦ୍ରକ ଜିଲ୍ଲାର କରୋନା ଆକ୍ରାନ୍ତଙ୍କୁ କେବଳ ଭଗବାନ ଭରସା। ଏଠି ଏଭଳି ଭାବେ ସଂକ୍ରମଣ ବଢିବା ଆରମ୍ଭ କରିଛି ଯେ, ଆଗାମୀ ଦିନରେ ଏଇ ଧାରା ଯଦି ଜାରି ରହେ, ତେବେ ଜିଲ୍ଲାର ସ୍ଥିତି ଅସମ୍ଭାଳ ହୋଇପଡିବ। ଗତ ୮ ତାରିଖରେ ଭଦ୍ରକ ଜିଲ୍ଲାରେ ୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୯ ଜଣ ସହରାଞ୍ଚଳରୁ ଚିହ୍ନଟ ହାଇଥିବା ବେଳେ ଅବଶିଷ୍ଟ ୬୪ ଜଣ ଜିଲ୍ଲାର ଥିବା ୭ ଟି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଥିଲା। ସେହିପରି ଗତ ୯ ତାରିଖରେ ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଥିବା ତଥ୍ୟ ମିଳିଛି। ଏଇ ୧୦୦ ଜଣ ଆକ୍ରାନ୍ତଙ୍କ ମଧ୍ୟାରୁ ମାତ୍ର ୧୩ ଜଣ ସହରାଞ୍ଚଳରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୮୭ ଜଣ କରୋନା ଆକ୍ରାନ୍ତ ଭଦ୍ରକ ଜିଲ୍ଲାର ୭ ଟି ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ଆଜି ପୁଣି ଜିଲ୍ଲାରେ ୨୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କମଧ୍ୟରୁ ସଂଖ୍ୟାଧିକ ଆକ୍ରାନ୍ତ ଗ୍ରାମାଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଗ୍ରାମାଞ୍ଚଳରୁ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧିକାଂଶ ଆକ୍ରାନ୍ତ ଲୋକାଲ କଣ୍ଟାକ୍ଟ ଟ୍ରେସିଂରୁ ଚିହ୍ନଟ ହେଉଥିବା ଜଣାପଡିଛି। ‌ଯେଉଁମାନେ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହେଉଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ସେହିସବୁ ଆକ୍ରାନ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ସହଜସାଧ୍ୟ ହୋଇପାରୁ ନାହିଁ। ଗ୍ରାମାଞ୍ଚଳରେ ଅଧିକାଂଶ ଲୋକ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ଅମଙ୍ଗ ହେଉଥିବା ସ୍ଥଳବିଶେଷରେ ଦେଖିବାକୁ ମିଳୁଛି। ଅନେକ ‌ଲୋକଙ୍କ କ୍ଷେତ୍ରରେ କେରୋନା ଲକ୍ଷଣ ଥାଇ ମଧ୍ୟ ସେମାନେ ଟେଷ୍ଟ କରିବାକୁ ନାରାଜ ହେଉଛନ୍ତି। ‌

ଗ୍ରାମାଞ୍ଚଳ ଲୋକଙ୍କର ଏଭଳି ମାନସିକତା ପାଇଁ କରୋନା ଅଧିକରୁ ଅଧିକ ଗ୍ରାମାଞ୍ଚଳରୁ ହିଁ ଚିହ୍ନଟ ହେଉଛନ୍ତି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାର ପ୍ରଥମ ପର୍ଯ୍ୟାୟରେ କେବଳ ସହରାଞ୍ଚଳରେ ସର୍ଟ ଡାଉନ ଓ ଲକ୍ ଡାଉନ୍ ନିୟମ ଲାଗୁ କରିଥିଲେ। ଏବେ ଜିଲ୍ଲାର ପରିସ୍ଥିତି ଅଧିକ ଜଟିଳ ଆଡକୁ ଗତି କରୁଥିବା ବେଳେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ସର୍ଟ ଡାଉନ୍ ଓ ଲକ୍ ଡାଉନ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି। ନିୟମ କଡାକଡି କରିବା ବେଳେକୁ ସାରା ଜିଲ୍ଲାକୁ କରୋନା ଘାଣ୍ଟି ଦେଇ ସାରିଲାଣି। କରୋନା ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣର ‌ରୂପ ନେଇ ସାରିଥିବା ବେଳେ ଏହାକୁ ସମ୍ଭାଳିବା ପରିସ୍ଥିତିରେ ଆଉ ପ୍ରଶାସନ ପାଖରେ କିଛି ବିକଳ୍ପ ବ୍ୟବସ୍ଥା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe