ଜଳବାୟୁ ପରିବର୍ତ୍ତନର ପରୋକ୍ଷ ପ୍ରଭାବ, ଉଜୁଡୁଛି ଭାତହାଣ୍ଡି

ଜଳବାୟୁ ପରିବର୍ତ୍ତନର ପରୋକ୍ଷ ପ୍ରଭାବ, ଉଜୁଡୁଛି ଭାତହାଣ୍ଡି

Outlook India

ବରଗଡ଼: ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନ, ରୋଗପୋକ ଯୋଗୁଁ ଓଡ଼ିଶାର ଭାତହାଣ୍ଡି ବରଗଡ଼ ଜିଲ୍ଲା ଆଉ ଚାଷ ପାଇଁ ଅନୁକୂଳ ହେଉନାହିଁ। ବାରମ୍ବାର ଫସଲ ଉଜୁଡ଼ି ଚାଷୀ କ୍ଷତିଗ୍ରସ୍ତ ହେଉଛି। ଏପରିକି ଚାଷ କାମ ଛାଡ଼ି ଦାଦନ ଖଟିଯିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି।

ବିଶ୍ୱବ୍ୟାପୀ ଦେଖାଯାଉଥିବା ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ବରଗଡ଼ ଜିଲ୍ଲା ବାଦ୍‌ ପଡ଼ିନାହିଁ। ଗୋଟିଏ ବର୍ଷରେ ଋତୁ-ଋତୁ ମଧ୍ୟରେ ତାଳମେଳ ରହୁନଥିବା ଚାଷୀକୁଳର ମେରୁଦଣ୍ଡ ଭାଂଗି ଦେଇଛି। ପାଣିପାଗରେ ସ୍ଥିରତା ରହୁନଥିବାରୁ ଚାଷଜମିରେ ଜୈବିକ ପରିବର୍ତ୍ତନରେ ବିଭ୍ରାଟ ଲାଗି ରହିଛି। ଫଳରେ ଚାଷଜମି ଉର୍ବରତା ହରାଉଛି। ବିହନର କିସମ ଲୋପ ପାଇବା ଏବଂ ପର୍ଯ୍ୟାପ୍ତ ଫସଲ ଅମଳ ନହେବା ଚାଷୀ ପାଇଁ ନକରାତ୍ମକ ପରିସ୍ଥିତି ସୃଷ୍ଟି କରିସାରିଛି। କ୍ରମାଗତ ଭାବେ ଏହି ପ୍ରକ୍ରିୟା ଲାଗି ରହିବା ଯୋଗୁଁ ଚାଷୀ ସଂଖ୍ୟା ଅହେତୁକ ଭାବେ କମୁଛି।

କୌଳିକ ବୃତ୍ତି ଛାଡ଼ି ଚାଷୀ ଶ୍ରମିକ ସାଜିବାକୁ ବାଧ୍ୟ ହେଉଛି। ଗତ ୮ବର୍ଷ ମଧ୍ୟରେ ବରଗଡ଼ ଜିଲ୍ଲା ତିନୋଟି କ୍ରମାଗତ ମରୁଡ଼ି ବର୍ଷର ସମ୍ମୁଖୀନ ହୋଇଛି। ଜଳସେଚନ ସୁବିଧା ଥିବା ଅଂଚଳରେ ଅର୍ଧାଧିକ ଫସଲ ରୋଗପୋକ ଯୋଗୁଁ ଉଜୁଡ଼ି ଯାଉଛି। ଯଦ୍ୱାରା ଚାଷୀମାନେ ଚାଷ କାର୍ଯ୍ୟରୁ ଦୂରେଇ ଯାଉଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ଋତୁକାଳୀନ ଶ୍ରମସଂସ୍ଥାନ ସୁଯୋଗ କମୁଥିବାରୁ ଦାଦନ ଚାଲାଣ ହାର ବଢ଼ି ଚାଲିଛି। ଏପରିକି ଚାଷୀ ମଧ୍ୟ ଦାଦନ ଖଟିବାକୁ ବାହାର ରାଜ୍ୟ ଚାଲି ଯାଉଛି। ଚାଷୀର ଏହି ଦୁର୍ଦ୍ଦଶା ପାଇଁ ଦୁଇଟି କାରଣକୁ ଦାୟୀ କରାଯାଉଛି। ପ୍ରଥମଟି ହେଲା, ଶିଳ୍ପ ଏବଂ ସହରୀକରଣର ବିସ୍ତାର ଯୋଗୁଁ ଚାଷୀର ଜମି ବଳି ପଡ଼ିଛି। ଅନ୍ୟଟି ହେଲା, ଜଳବାୟୁ ପରିବର୍ତ୍ତନର ଗୁରୁତର ପ୍ରଭାବ। କୃଷି ନୀତିରେ ଏହି ସମସ୍ୟାର ବାଟ ଖୋଜା ନଗଲେ ବଳକା ଚାଷ ମଧ୍ୟ ଆଗାମୀ କିଛି ଦଶନ୍ଧି ଭିତରେ ଲୋପ ପାଇଯିବା ଆଶଙ୍କା ଦେଖାଦେଲାଣି। ବେଳ ଥାଉଁ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe