ବହୁ ପ୍ରତୀକ୍ଷିତ ଇନ୍‌ଡୋର୍ ଷ୍ଟାଡିୟମ୍ କାମ ଆରମ୍ଭ

Advertisment
ବହୁ ପ୍ରତୀକ୍ଷିତ ଇନ୍‌ଡୋର୍ ଷ୍ଟାଡିୟମ୍ କାମ ଆରମ୍ଭ

Sambad

ଜଗତସିଂହପୁର ଟାଉନ୍/ସଦର: ଜିଲ୍ଲାର ପୁରାତନ ସ୍ବାମୀ ବିବେକାନନ୍ଦ ସ୍ମାରକ(ଏସଭିଏମ୍) ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ୍‌ ପରିସରରେ ଇନ୍‌ଡୋର୍‌ ଷ୍ଟାଡିଅମକୁ ଲାଗି ରହିଥିବା ବାଦବିବାଦର ଅନ୍ତ ଘଟିଛି। କଲେଜ କର୍ତ୍ତୃପକ୍ଷ ହାଇକୋର୍ଟରେ ଦାୟର ମାମଲା ପ୍ରତ୍ୟାହାର କରି ନେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ମାମଲା ପ୍ରତ୍ୟାହାର ନେଇ ନିଜ ଓକିଲଙ୍କ ଜରିଆରେ ସେ ଲିଖିତ ଆକାରରେ ଜଣାଇଥିଲେ। ଏହା ପରେ ଇନଡୋର୍ ଷ୍ଟାଡିୟମ୍ ପାଇଁ ଚିହ୍ନଟ ଛାତ୍ରାବାସର ପଛ ପାର୍ଶ୍ବ ୩ ଏକର ଜମିରେ ଆଜି ପ୍ରଥମ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି ଠିକାଦାର। ଜେସିବି ମେସିନ୍‌ରେ ସେହି ସ୍ଥାନକୁ ସମତୁଲ କରାଯିବା ସହ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତା ଚଉଡ଼ା ପାଇଁ ପାଚେରି ଭଙ୍ଗା ଯାଇଛି। ମୁଖ୍ୟ ଫାଟକ ପୂର୍ବରୁ ବାମ ପାର୍ଶ୍ବରେ ୧୦ ଫୁଟିଆ ରାସ୍ତା ଥିବା ବେଳେ ଏହା ୨୦ ଫୁଟ କରାଯିବ। ତେଣୁ ମୁଖ୍ୟ ଫାଟକ ଭଙ୍ଗାଯିବା ସହ ଷ୍ଟାଡିଅମ୍ ପର୍ଯ୍ୟନ୍ତ ପାଚେରି ଭଙ୍ଗାଯିବ ବୋଲି ସୂଚନା ମିଳିଛି। ଇନଡୋର୍ ଷ୍ଟାଡିଅମ୍ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବ ଏବଂ ତୁରନ୍ତ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ଇନଡୋର୍ ଷ୍ଟାଡିୟମକୁ ନେଇ ବିଭିନ୍ନ ମହଲରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷ ପୁରାତନ ଛାତ୍ର, କ୍ରୀଡା ସଂଗଠକଙ୍କ ଓ ବୁଦ୍ଧିଜୀବୀ ସେମାନଙ୍କ ମତାମତ ରଖିଛନ୍ତି। କେହି କେହି ଏହାକୁ ସ୍ବାଗତ କରୁଥିବା ବେଳେ ଆଉ କେହି ବିରୋଧ କରିଛନ୍ତି।

ଏସ୍‌ଭିଏମ୍ କଲେଜ କ୍ୟାମ୍ପସ୍‌ରେ ଇନଡୋର୍ ଷ୍ଟାଡିଅମ୍ ହେଲେ ଜିଲ୍ଲାର ସୁନାମ ବଢ଼ିବା ସହ ନୂଆ ନୂଆ ଖେଳାଳି ତିଆରି ହୋଇପାରିବେ। ସେଠାରେ କଲେଜ ଛାତ୍ରଛାତ୍ରୀଙ୍କ ସମେତ କ୍ରୀଡ଼ାବିତ୍‌ମାନେ ସୁଯୋଗ ପାଇପାରିବେ ବୋଲି ମତପ୍ରକାଶ ପାଇଛି। ସେହିପରି ଆଉ କେହିକେହି କହିଛନ୍ତି ଏସ୍‌ଭିଏମ୍ କଲେଜ ଏକ ସ୍ବନାମଧନ୍ୟ ଶିକ୍ଷାନୁଷ୍ଠାନ। ଏହାର ରାଜ୍ୟରେ ସ୍ବତନ୍ତ୍ର ପରିଚୟ ରହିଛି। ଏହ ସମ୍ପୂର୍ଣ୍ଣ ବିକଶିତ ହୋଇ ନ ଥିବା ବେଳେ ନୂଆ ନୂଆ ବିଲ୍ଡିଂ ତିଆରି ହେଉଛି। ତେଣୁ କ୍ୟାମ୍ପସ୍‌ ଅଧୀନରେ ଥିବା ଜାଗାରେ ଇନଡୋର୍ ଷ୍ଟାଡିଅମ୍ ନ ହୋଇଥିଲେ ଭଲ ହୋଇଥାନ୍ତା। ଉଲ୍ଲେଖଯୋଗ୍ୟ, କଲେଜ କ୍ୟାମ୍ପସରେ ଇନଡୋର୍ ଷ୍ଟାଡିୟମ୍ ନିଷ୍ପତ୍ତି ପରେ ଆନ୍ଦୋଳନ ମୁଣ୍ଡ ଟେକିଥିଲା। ପ୍ରଶାସନ ଜମି ଦଖଲକୁ ନ ନେବା ପାଇଁ ପରିଚାଳନା କମିଟି ସଭାପତି କମଳା ପ୍ରସାଦ ମହାପାତ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହା ପରେ ସେହି ଜମି ଉପରେ ସ୍ଥିତାବସ୍ଥା ଜାରି ହୋଇଥିଲା। କିନ୍ତୁ ସେହି ସ୍ଥାନରେ ଇନଡୋର ଷ୍ଟାଡିଅମ୍‌ ନିର୍ମାଣହେବ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଚୂଡ଼ାନ୍ତ ହୋଇଥିଲା।

ଇନଡୋର୍ ଷ୍ଟାଡିଅମ୍ ହେବା ନିଶ୍ଚିତ ଭାବେ ଆମ ପାଇଁ ଖୁସି ଓ ଗୌରବର କଥା। ଖେଳାଳିଙ୍କ ଭବିଷ୍ୟତ ପାଇଁ କେତେ କାମରେ ଆସିବ ତାହା ସମୟ କହିବ। କାରଣ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମର ଉନ୍ନତୀକରଣ ନାଁରେ ଲାଇଟ୍, ବେଞ୍ଚ୍‌ ଓ ବିଭିନ୍ନ ରଙ୍ଗରେ ସଜା ଯାଇଛି। ହେଲେ ପଡ଼ିଆର ଅବସ୍ଥା ଏତେ ଖରାପ ଯେ ନା କ୍ରିକେଟ୍ ଖେଳି ହେବ ନା ପିଲାମାନେ ଦୌଡ଼ିପାରିବେ। ତେଣୁ ଇନଡୋର୍ ଷ୍ଟାଡିଅମରେ ପିଲାମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ, ସୁବିଧା କରାଗଲେ ଖୁସି ଲାଗିବ।
ଦେବୀ ପ୍ରସାଦ ମହାନ୍ତି, କୋଷାଧ୍ୟକ୍ଷ, ଜିଲ୍ଲା ଆଥ୍‌ଲେଟିକ୍ ଆସୋସିଏସନ୍

ଜଗତସିଂହପୁର ସଦର ମହକୁମାରେ ଏକ ଇନ୍‌ଡୋର୍ ଷ୍ଟାଡିଅମ୍‌ର ଆବଶ୍ୟକତା ନିହାତି ରହିଥିଲା। ଜିଲ୍ଲାର କ୍ରୀଡ଼ାବିତମାନେ ନିଜର ପ୍ରତିଭା ସୁଯୋଗର ଯଥେଷ୍ଟ ସୁବିଧା ପାଇବେ। ଏହ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଆବଶ୍ୟକ କୋଚିଂ ଉପରେ ଗୁରୁତ୍ବ ଦେବା ଆବଶ୍ୟକ।
ନରେଶ ଦାସ, ଆଇନଜୀବୀ

ଆମ ଜିଲ୍ଲାରେ ବହୁ ପ୍ରତିଭାବାନ୍ ଖେଳାଳି ଅଛନ୍ତି। ସେମାନଙ୍କ ପାଇଁ ଏହା ଏକ ଶୁଭ ସଙ୍କେତ। ମାତ୍ର ଉପଯୁକ୍ତ ସ୍ଥାନରେ ହେଉ ନ ଥିବାରୁ ଏହାର ସୁବିଧା ଜିଲ୍ଲାବାସୀ ନେବାରେ ସନ୍ଦେହ ସୃଷ୍ଟି ହେଉଛି।
ଗଣେଶ୍ବର ମାଣିଆ, ସଭାପତି, ରାଜସ୍ବ ଆଇନଜୀବୀ ସଂଘ

ଏସଭିଏମ୍ କଲେଜରେ ପ୍ରସ୍ତାବିତ ଇନଡୋର୍ ଷ୍ଟାଡିଅମ୍ କରାଯିବାର ଯଥାର୍ଥତା କଣ ରହିଛି? ଯଦିଓ କଲେଜଟି ବର୍ତ୍ତମାନ ସୁଦ୍ଧା ଅର୍ଦ୍ଧବିକଶିତ ଅବସ୍ଥାରେ ରହିଛି। ଏହା ଦ୍ବାରା କଲେଜ ଜମିକୁ ଅଧିକାରଭୁକ୍ତ କରାଯିବା ସ୍ବାଗତଯୋଗ୍ୟ। କିନ୍ତୁ ବହୁ ଜବରଦଖଲ ଜମି ରହିଛି ଯାହାକୁ ପ୍ରଶାସନ ନିଜ ଅକ୍ତିଆରକୁ ନେଇ ଷ୍ଟାଡିଅମ୍ ନିର୍ମାଣ କରିପାରିଥାନ୍ତା।
ଲାଲା ସଂଗ୍ରାମ କେଶରୀ ରାୟ, ଚିତ୍ରଶିଳ୍ପୀ

ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏସଭିଏମ୍ କ୍ୟାମ୍ପସ ପରିସରରେ ଥିବା ଜମିରେ ହେବା ଦୁର୍ଭାଗ୍ୟଜନକ। ଷ୍ଟାଡିଅମରେ ଆଗକୁ ରାଜ୍ୟ କିମ୍ବା ଜାତୀୟସ୍ତରୀୟ ମ୍ୟାଚ୍ ନ ହେବ ବୋଲି କିଏ କହିବ? ଏହି ସମୟରେ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ବ୍ୟାହତ ହୋଇପାରେ। ତେଣୁ ଭବିଷ୍ୟତକୁ ଆଖି ଆଗରେ ରଖି ଷ୍ଟାଡିଅମ୍ ନିର୍ମାଣ କରିବା କଥା।
ସନ୍ତୋଷ ସ୍ବାଇଁ, ପୁରାତନ ଛାତ୍ର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe