‘ମଦମସ୍ତ’ ଆହତ ଦନ୍ତାକୁ ନେଇ ବନ ବିଭାଗ ନାକେଦମ୍

ତିନି ଦିନ ହେଲା ଟ୍ରାଙ୍କୁଲାଇଜ୍‌ ଯୋଜନା ବିଫଳ

‘ମଦମସ୍ତ’ ଆହତ ଦନ୍ତାକୁ ନେଇ ବନ ବିଭାଗ ନାକେଦମ୍

Sambad

କଟକ/ନରସିଂହପୁର: ‘ମଦମସ୍ତ’ ବା ଉତ୍ତେଜିତ ହୋଇ ଘଂଚ ଜଙ୍ଗଲରେ ବୁଲୁଛି ଆହତ ଦନ୍ତା। ତିନି ଦିନ ହେଲା ବନ କର୍ମଚାରୀଙ୍କୁ ଦେଖିଲା ମାତ୍ରେ ଗୋଡାଉଛି। ଯାହା ଫଳରେ ଆଜି ବି ଟ୍ରାଙ୍କୁଲାଇଜ୍‌ ଯୋଜନା ବିଫଳ ହୋଇଛି। ଆହତ ଦନ୍ତା ‘ମଦମସ୍ତ’ ବା ଉତ୍ତେଜିତ ହୋଇ ଜଙ୍ଗଲରେ ଖୁବ୍‌ଜୋରରେ ଅତିକ୍ରମ କରୁଥିବାରୁ ତାକୁ ଟ୍ରାଙ୍କୁଲାଇଜ୍‌ କରିବା ସହଜ ହୋଇ ପାରୁ ନଥିବା ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି। ଅନ୍ୟପଟେ ଦନ୍ତାହାତୀ ନିଜ ନିଜ ଭିତରେ ସଂଘ‌‌ର୍ଷ ଯୋଗୁଁ ଆହତ ହୋଇଥାଇପାରେ ବୋଲି ଡିଏଫ୍‌ଓ ସନ୍ଦେହ କରୁଥିବାବେଳେ ତାର ବାମ କାନ ପଛ ପଟେ ଓ ଅନ୍ୟ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଜଣାପଡିଛି। ଗଲା ୪ ଦିନ ହେଲା ନରସିଂହପୁର ବନାଞ୍ଚଳରେ ବୁଲୁଛି ଏହି ଆହତ ଦନ୍ତା। ଏହାର ବୟସ ପ୍ରାୟ ୩୦ବର୍ଷ ହେବ ବୋଲି ଆକଳନ କରାଯାଉଛି।

ନୂଆଗଡ଼ ସଂରକ୍ଷିତ ଜଙ୍ଗଲର କମ୍ପାର୍ଟମେଣ୍ଟ-୩ ଅଞ୍ଚଳରେ ଆହତ ଦନ୍ତାହାତୀ ବୁଲୁଥିବା ନେଇ ଗତକାଲି ବନ ବିଭାଗ ଖବର ପାଇଥିଲା। ଏହାପରେ ଆଠଗଡ଼ ଡିଏଫ୍‌ଓ, ଏସିଏଫ୍‌ ଘନଶ୍ୟାମ ମୁଦୁଲି, ସାତକୋଶିଆ ବନ୍ୟପ୍ରାଣୀ ବିଭାଗ ଚିକିତ୍ସକ କିଶୋର କୁମାର ସାହୁ, ନରସିଂହପୁର ବନାଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀଙ୍କ ସମେତ ସ୍ୱତନ୍ତ୍ର ଦଳ ବାରସିଂଘା ଜଙ୍ଗଲରେ ପହଞ୍ଚି ଥିଲେ। ହାତୀକୁ ପାଖରେ ପାଇ ଟ୍ରାଙ୍କୁଲାଇଜ୍‌ କରିବା ମାତ୍ରେ ସେ ଗୋଡାଇଥିଲା। ଫଳରେ ଆଜି ମଧ୍ୟ ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରି ଚିକିତ୍ସା ଉଦ୍ୟମ ସଫଳ ହୋଇ ପାରି ନ ଥିଲା। ଆସନ୍ତାକାଲି ପୁଣି ଟ୍ରାଙ୍କୁଲାଇଜ କରି ହାତୀକୁ ଧରିବା ପାଇଁ ଅଭିଯାନ ଜାରି ହେବ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe