ନୂଆଗଡ଼ ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା, ଖୋଜିବା ପାଇଁ ବନ ବିଭାଗ ନାକେଦମ

Advertisment

ଟ୍ରାଙ୍କୁଲାଇଜ୍‌ କରିପାରିଲେନି ସ୍ୱତନ୍ତ୍ର ଦଳ, ଡିଏଫ୍‌ଓ, ଏସିଏଫ୍‌ ଆହତ

ଟ୍ରାଙ୍କୁଲାଇଜ୍‌ କରିପାରିଲେନି ସ୍ୱତନ୍ତ୍ର ଦଳ, ଡିଏଫ୍‌ଓ, ଏସିଏଫ୍‌ ଆହତ

ନୂଆଗଡ଼ ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା, ଖୋଜିବା ପାଇଁ ବନ ବିଭାଗ ନାକେଦମ

Sambad

ନରସିଂହପୁର: ନରସିଂହପୁର ବନାଞ୍ଚଳରେ ମାସକ ତଳେ ଚିକିତ୍ସାଧୀନ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ଏବେ ନୂଆଗଡ଼ ସଂରକ୍ଷିତ ଜଙ୍ଗଲରେ ପୁଣି ଏକ ଦନ୍ତା ହାତୀକୁ ଗୁଳିମାଡ଼ ହୋଇଛି। ଏହି ଦନ୍ତା ଜଙ୍ଗଲରେ ଏଣେତେଣେ ବୁଲୁଥିବା ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଖବର ଦେବା ପରେ ଜଙ୍ଗଲକୁ ଯାଇଥିବା ସ୍ବତନ୍ତ୍ର ଦଳ ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ନାକେଦମ୍‌ ହେବା ସହ ନିରାଶ ହୋଇ ଫେରିଥିବା ଜଣାପଡ଼ିଛି। ଅନ୍ୟପଟେ, ହାତୀର ସନ୍ଧାନ ପାଇଁ ଯାଇଥିବା ଆଠଗଡ଼ ଡିଏଫ୍‌ଓ ଓ ଏସିଏଫ୍‌ ଆହତ ହୋଇଥିବା ସୂଚନା ମିଳିଛି। ନୂଆଗଡ଼ ସଂରକ୍ଷିତ ଜଙ୍ଗଲର କମ୍ପାର୍ଟମେଣ୍ଟ-୩ ଅଞ୍ଚଳରେ ଆହତ ଦନ୍ତାହାତୀ ବୁଲୁଥିବା ନେଇ ଗତକାଲି ବନ ବିଭାଗ ଖବର ପାଇଥିଲା। ଏହାପରେ ଆଠଗଡ଼ ଡିଏଫ୍‌ଓ ସୁଦର୍ଶନ ଯାଦବ, ଏସିଏଫ୍‌ ଘନଶ୍ୟାମ ମୁଦୁଲି, ସାତକୋଶିଆ ବନ୍ୟପ୍ରାଣୀ ବିଭାଗ ଚିକିତ୍ସକ କିଶୋର କୁମାର ସାହୁ, ନରସିଂହପୁର ବନାଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀ, ନୂଆଗଡ଼ ଫରେଷ୍ଟର୍‌ ବାମନଚରଣ ରାଉତଙ୍କ ସମେତ ସ୍ୱତନ୍ତ୍ର ଦଳ ନୂଆଗଡ଼ରେ ପହଞ୍ଚି ଥିଲେ। ହାତୀଟିର କାନ ପାଖରେ ଗୁଳି ବାଜିଥିବା ଏବଂ ହାତୀଟି ସ୍ଥିର ନ ହୋଇ ଜଙ୍ଗଲରେ ଏଣେତେଣେ ଘୂରି ବୁଲୁଛି ବୋଲି ସ୍ଥାନୀୟ ଲୋକମାନେ କହିଥିଲେ। ଫଳରେ ବନ ବିଭାଗ କର୍ମଚାରୀମାନେ ଦୁଇଦିନ ଧରି ନୂଆଗଡ଼ ସଂରକ୍ଷିତ ଜଙ୍ଗଲର କମ୍ପାର୍ଟମେଣ୍ଟ-୩, ଝାଜିବନ୍ଧ ସଂରକ୍ଷିତ ଜଙ୍ଗଲ, ଜୟପୁର ବିଟ୍‌ ହାଉସ୍‌ ଅଞ୍ଚଳରେ ବୁଲି ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରିବାକୁ ଉଦ୍ୟମ ଚଳାଇଥିଲେ। ହେଲେ, ହାତୀଟିକୁ ଟ୍ରାଙ୍କୁଲାଇଜ୍‌ କରି ଚିକିତ୍ସା ଉଦ୍ୟମ ସଫଳ ହୋଇପାରି ନ ଥିବା ଜଣାପଡ଼ିଛି।

ଆଜି ସନ୍ଧ୍ୟା ହୋଇଯିବାରୁ ଆସନ୍ତାକାଲି ପୁନର୍ବାର ତଲାସୀ ଅଭିଯାନ ଆରମ୍ଭ ହେବ ବୋଲି ଏସିଏଫ୍‌ ଘନଶ୍ୟାମ ମୁଦୁଲି ସୂଚନା ଦେଇଛନ୍ତି। ଅପରପକ୍ଷରେ ଗତକାଲି ହାତୀର ସନ୍ଧାନ ପାଇଁ ଜଙ୍ଗଲକୁ ଯାଇଥିବା ଡିଏଫ୍‌ଓ ଶ୍ରୀ ଯାଦବ ଓ ଏସିଏଫ ଶ୍ରୀ ମୁଦୁଲି ଆହତ ହୋଇଛନ୍ତି। ପଥରରେ ଗୋଡ଼ ଖସି ଯିବାରୁ ଡିଏଫ୍‌ଓ ଖଣ୍ଡିଆଖାବରା ହୋଇଥିଲା ବେଳେ ଏସିଏଫ୍‌ଙ୍କ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଗତ ଜୁନ ୨୨ ତାରିଖରେ ଜୟପୁର ସଂରକ୍ଷିତ ଜଙ୍ଗଲରେ ଏକ ଗୁଳିବିଦ୍ଧ ଦନ୍ତାହାତୀକୁ ବନ ବିଭାଗ ପକ୍ଷରୁ ଚିକିତ୍ସା କରାଯାଇଥିଲା। ଭୁବନେଶ୍ୱର ଓୟୁଏଟିର ବିଶେଷଜ୍ଞ ଓ ନନ୍ଦନକାନନରୁ ପ୍ରାଣୀ ବିଶେଷଜ୍ଞ ପହଞ୍ଚି ଚିକିତ୍ସା କରିଥିଲେ ମଧ୍ୟ ହାତୀଟିର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ କେତେକ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଏହାର କିଛିଦିନର ବ୍ୟବଧାନ ପରେ ପୁଣି ଏକ ଦନ୍ତା ହାତୀକୁ ଗୁଳିମାଡ଼ ଘଟଣା ବନ ବିଭାଗର ପାରିବାପଣିଆକୁ ପଦାରେ ପକାଇ ଥିବା ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe