ndtv.com
ଖୋର୍ଦ୍ଧା: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଅଟ୍ରି ଠାରେ ରେଳବାଇ ପକ୍ଷରୁ ସ୍ଥାନୀୟ ଲୋକଙ୍କ ଶ୍ରମଦାନରେ ଏକ ଯାତ୍ରୀବାହୀ ରେଳ ରହଣି ଷ୍ଟେସନ ପ୍ରତିଷ୍ଠା କରିବାକୁ ଭୁବନେଶ୍ୱର ସ୍ଥାୟୀ ଲୋକ ଅଦାଲତ ନିର୍ଦେଶ ଦେଇଛନ୍ତି। ଡିସେମ୍ବର ୨୦୨୧, ୧୧ ତାରିଖରେ ସ୍ଥାୟୀ ଲୋକ ଅଦାଲତ ଦେଇଥିବା ନିର୍ଦେଶାନୁସାରେ, ଆସନ୍ତା ୩ ମାସ ମଧ୍ୟରେ ବାଘମାରୀ-ଅଟ୍ରି ଠାରେ ଏକ ପାସେଞ୍ଜର ହଲ୍ଟ ନିର୍ମାଣ କରିବା ଦିଗରେ ପଦକ୍ଷେପ ନେବା ଓ ଆବେଦନକାରୀ ୨୦ ଦିନ ମଧ୍ୟରେ ମାଗଣା ଶ୍ରମଦାନ କରିବା ନିମନ୍ତେ ଏକ ସ୍ୱୀକାରପତ୍ର ରେଳବାଇ ଡିଭିଜନାଲ୍ ମ୍ୟାନଜେରଙ୍କ ନିକଟରେ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ଆବେଦନକାରୀ ବାଘମାରୀ ବାସିନ୍ଦା ସନ୍ତୋଷ କୁମାର ପଣ୍ଡାଙ୍କ କହିବାନୁସାରେ, ଅଟ୍ରି ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଏହାସହ ଯଦି ଏଠାରେ ଷ୍ଟେସନ ହୁଏ ତେବେ ବାଘମାରୀ, ଦୁର୍ଗାପୁର, ସାରୁଅ, ପୋଡ଼ାଡିହ, ସିମୋର, ପଙ୍ଗାରସିଂହ, କୁଞ୍ଜୁରୀ, ଡିଙ୍ଗର, ପୁବୁସାହି, କେରଙ୍ଗ ଆଦି ପଂଚାୟତର ବାସିନ୍ଦାଙ୍କ ଅନେକ ଲାଭ ହେବ। ଏନେଇ ୨୦୧୮ ତାରିଖରେ ରାଜ୍ୟପାଳଙ୍କୁ ଆବେଦନ କରିବାରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ଅଟ୍ରିଠାରେ ଏକ ଯାତ୍ରିବାହୀ ଟ୍ରେନ୍ ରହଣୀ କେନ୍ଦ୍ର କରିବାକୁ ରେଳବାଇର ପୂର୍ବତଟ ସାଧାରଣ ପରିଚାଳକଙ୍କୁ ନିର୍ଦେଶ ଦେଇଥିଲେ।
ଏହାର ନିର୍ମାଣରେ ଶ୍ରମିକ ମଜୁରୀ ବାବଦକୁ ଯେଉଁ ଖର୍ଚ୍ଚ ହେବ ତାହା ବାଘମାରୀ ବାସିନ୍ଦା ବହନ କରିବେ ଓ ଶ୍ରମଦାନ କରିବେ ବୋଲି ୨୮ ଡିସେମ୍ବର୨୦୧୮ରେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ରେଳବାଇ ଏଦିଗରେ କୌଣସି ପଦକ୍ଷେପ ନେଇନାହିଁ। ଶେଷରେ ସେ ଲୋକ ଅଦାଲତରେ ଏନେଇ ଏକ ଆବେଦନ କରିଥିଲେ। ସ୍ଥାୟୀ ଲୋକ ଅଦାଲତରେ ରେଳବାଇ କର୍ତ୍ତୃପକ୍ଷ କହିଥିଲେ ଯାତ୍ରିବାହୀ ରେଳ ରହଣୀ କେନ୍ଦ୍ର କରିବା ପାଇଁ ୧ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ଓ ବାର୍ଷିକ ୧ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ଏହାବଦଳରେ ଦୈନିକ ମାତ୍ର ୧୮୦ଜଣ ଯାତ୍ରୀ ଯିବା ଆସିବା କରିବେ। ସେହିଭଳି ଖୋର୍ଦ୍ଧା ଟାଉନ ଠାରୁ ୧୧ କିମି ଓ ବେଗୁନିଆ ଷ୍ଟେସନ ଠାରୁ ୭.୫ କିମି ଦୂରରେ ରହିଥିବାରୁ ଏଠାରେ ପାସେଞ୍ଜର ହଲ୍ଟ କରାଯାଇପାରିବ ନାହିଁ, ଏହାଦ୍ୱାରା ଅଯଥା କ୍ଷତି ହେବ। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୭ ଡିସେମ୍ବର ୨୦୨୧କୁ ଧାର୍ଯ୍ୟ କରାଯାଇଥିବା ବେଳେ କୌଣସି ପକ୍ଷ ଉପସ୍ଥିତ ହୋଇନଥିଲେ। ଶେଷରେ ରେଳବାଇ ମନ୍ତ୍ରଣାଳୟର ସର୍କୁଲାର ନଂ ୧୨ (ବାଣିଜ୍ୟ ବିଭାଗ)ର ପାରା ୨ ଓ ୩ ଅନୁସାରେ ବିଚାର କରି କୋର୍ଟ ଅଟ୍ରି- ବାଘମାରୀ ଠାରେ ଏକ ପାସେଞ୍ଜର ହଲ୍ଟ କରିବାକୁ ନିର୍ଦେଶ ଦେଇଛନ୍ତି।
Follow Us