ପାହାଡ଼ରେ ପାଳିତ ହେଲା ଆନ୍ତର୍ଜାତିକ ପର୍ବତାରୋହଣ ଦିବସ

Advertisment
ପାହାଡ଼ରେ ପାଳିତ ହେଲା ଆନ୍ତର୍ଜାତିକ ପର୍ବତାରୋହଣ ଦିବସ

ରୁପ୍ରା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ନିକଟ ଗୁର୍ଜିମୁଣ୍ଡା ଯୋଗମାୟା ପୀଠସ୍ଥିତ ବିରୁ ପାହାଡ଼ରେ ଶୁକ୍ରବାର ଆନ୍ତର୍ଜାତିକ ପର୍ବତାରୋହଣ ଦିବସ ପାଳିତ ହୋଇଯାଇଛି। ଏଭରେଷ୍ଟ ବିଜେତା ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନେତୃତ୍ବରେ ଏବଂ ତାଙ୍କ ସହଯୋଗୀ ଯୁବ ପର୍ବତାରୋହୀ ଧନପତି ବାଗ, ଭାରତୀୟ ସେନା କର୍ମଚାରୀ ଭୂପିନ୍ଦର ଦୀପ, ଦୁଃସାହସିକ ଯୁବକ ହିତେଶଙ୍କ ସହଯୋଗରେ ଏଠାରେ ପ୍ରଥମ ଥର ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଶୁକ୍ରବାର ସକାଳ ୧୦ଟାରେ ନୂତନ ଭାବେ ଯୋଗଦାନ କରିଥିବା କେସିଙ୍ଗା ଏସଡିପିଓ ଏସ୍. ସୁଶ୍ରୀ (ଆଇପିଏସ୍) ଯୋଗମାୟା ପୀଠରୁ କାର୍ଯ୍ୟକ୍ରମ ଶୁଭାରମ୍ଭ କରି ନିଜେ ମଧ୍ୟ ପର୍ବତାରୋହଣରେ ସାମିଲ ହୋଇଥିଲେ। ପର୍ବତାରୋହୀମାନେ ୧୪୦୦ ଫୁଟ ଉଚ୍ଚତା ବିଶିଷ୍ଟ ବିରୁ ପାହାଡ଼କୁ ୪ରୁ ୫ ଘଣ୍ଟା ସମୟ ମଧ୍ୟରେ ଆରୋହଣ କରିଥିଲେ। ପାହାଡ଼ର ଶୀର୍ଷରେ ସମସ୍ତେ ପହଞ୍ଚି ଆନ୍ତର୍ଜାତିକ ପର୍ବତାରୋହଣ ଦିବସ ପାଳନ କରିବା ସହିତ ପାହାଡ଼, ପର୍ବତ ତଥା ତାହାର ପରିବେଶ ସୁରକ୍ଷା ପାଇଁ ସମସ୍ତ ମାନବଜାତିଙ୍କୁ ନିବେଦନ କରିଥିଲେ।

ଏହି ପର୍ବତାରୋହଣରେ ଯୋଗମାୟା ପୀଠର ମୋତିରାମ ବଗର୍ତ୍ତୀ, କଳ୍ପନା ବାଗ ତଥା ଦୁଇଜଣ ପୁଲିସ କର୍ମଚାରୀ ମଧ୍ୟ ଭାଗ ନେଇଥିଲେ। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବାତୁଲା ଗଙ୍ଗାଧର  ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସହଯୋଗ କରିଥିଲେ। ଆଗାମୀ ଦିନରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ଦିଗରେ ସଂପୂର୍ଣ୍ଣ କାର୍ଯ୍ୟ କରିବେ ବୋଲି ଏଭରେଷ୍ଟ ବିଜେତା ଶ୍ରୀ ଭୋଇ ଓ ତାଙ୍କର ଟିମ୍ ଦୃଢ଼ତାର ସହିତ ପ୍ରକାଶ କରି ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe