ଶଙ୍କରପଲା ଗ୍ରାମରେ ସିରିଜ ହତ୍ୟାକାଣ୍ଡ ଘଟଣା:ଡଗ୍ ସ୍କ୍ବାଡ୍‌ ତଦନ୍ତ ପରେ ପୁଲିସ୍‌ର ଛାନ୍‌ଭିନ୍‌, ୩ ଅଟକ

ଶଙ୍କରପଲା ଗ୍ରାମରେ ସିରିଜ ହତ୍ୟାକାଣ୍ଡ ଘଟଣା:ଡଗ୍ ସ୍କ୍ବାଡ୍‌ ତଦନ୍ତ ପରେ ପୁଲିସ୍‌ର ଛାନ୍‌ଭିନ୍‌, ୩ ଅଟକ

ଭବାନୀପାଟଣା: କଳହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ବୁଢ଼ିଦର ପଞ୍ଚାୟତ ଶଙ୍କରପଲା ଗାଁରେ ରବିବାର ଘଟିଥିବା ସିରିଜ ହତ୍ୟାକାଣ୍ଡ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ସାଇଣ୍ଟିଫିକ ଟିମ୍‌ ଓ ଡଗ୍‌ ସ୍କ୍ବାଡ୍‌ ଦ୍ବାରା ତଦନ୍ତ ପରେ ପୁଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଛି। ଏହି ଘଟଣାରେ ୩ ଜଣଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ପୁଲିସ କାହାରିକୁ ଗିରଫ କରି ନଥିବା ଓ କାରଣ ସ୍ପଷ୍ଟ ହୋଇ ନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନାନୁସାରେ ଶଙ୍କରପଲା ଗାଁରେ ଗତକାଲି ରାଇମତି ମାଝୀ (୩୫) ତାଙ୍କ ଶିଶୁ ପୁତ୍ର ଶିବଶକ୍ତି ମାଝୀ (୩) ଏବଂ ଅନ୍ୟଜଣେ ବୃଦ୍ଧ ମହିନ୍ଦ୍ର କୁମାର (୬୦)ଙ୍କୁ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଖବର ପାଇ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲେ। ସାଇଣ୍ଟିଫିକ ଟିମ ବି ଛାନଭିନ କରିଥିଲା। ସୋମବାର ଡଗ୍‌ସ୍କ୍ବାଡ୍‌ ନେଇ ପୁଲିସ ଘଟଣା ସ୍ଥଳରେ ତନାଘନା କରିଥିଲା। ସନ୍ଧାନୀ କୁକୁର ରକ୍ତ ନମୁନା ଶୁଙ୍ଘି ଉକ୍ତ ଗାଁ’ର ରାଇମତିଙ୍କ ଦେଡ଼ଶୁର ତ୍ରିନାଥ ମାଝୀଙ୍କ ଘରେ ପହଞ୍ଚିଥିଲା। ଫଳରେ ପୁଲିସ ତ୍ରିନାଥଙ୍କ ପୁଅ ଗୁଣ ମାଝୀ, ପୁତୁରା ମଧୁ ମାଝୀ ଓ ଟେମରି ଗ୍ରାମର ତାଙ୍କ ଜ୍ବାଇଁଙ୍କୁ ଥାନାରେ ଅଟକ ରଖିଛି। ତେବେ ତ୍ରିନାଥଙ୍କ ଅନ୍ୟ ପୁଅ ମହିନ୍ଦ୍ର ମାଝୀ ଗତକାଲିଠାରୁ ଫେରାର ଥିବାରୁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି। ଆଜି ରାଇମତି ଓ ପୁଅ ଶିବଶକ୍ତିଙ୍କ ଶବ ଜୁନାଗଡ଼ରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏହା ସହ ଥାନାକୁ ଡକାଇଥିବା ତ୍ରିନାଥଙ୍କୁ ଶେଷକୃତ୍ୟ ପାଇଁ ଶବ ସହ ଘରକୁ ଯିବାକୁ ପୁଲିସ୍ ଅନୁମତି ଦେଇଥିଲା। ହତ୍ୟାକାଣ୍ଡର କାରଣ ଏ ଯାଏ ଅସ୍ପଷ୍ଟ ଥିଲେ ହେଁ ପୁଲିସ ଡଗ୍‌ ସ୍କ୍ବାଡ୍‌ର ସୁରାଗ ଆଧାରରେ ତଦନ୍ତକୁ ଆଗକୁ ନେଉଛି। ମୃତ ରାଇମତିଙ୍କ ସ୍ବାମୀ ବ୍ରଜ ମାଝୀ ୯ ବର୍ଷ ତଳେ ନିଜ ଖୁଡ଼ି ଶିବରାତ୍ରି ମାଝୀଙ୍କୁ ହତ୍ୟା କରି ଜେଲରେ ଅଛି। ଗତ ୫ ବର୍ଷ ମଧ୍ୟରେ ସେ ପାରେଲ୍‌ରେ ବିଭିନ୍ନ ସମୟରେ ଘରକୁ ମଧ୍ୟ ଆସି ସାରିଛି। ତେଣେ ମୃତ ଶିବରାତ୍ରିଙ୍କ ସ୍ବାମୀଙ୍କ ବି ପରଲୋକ ହୋଇ ସାରିଲାଣି। ତେଣୁ ତ୍ରିନାଥ ମାଝୀଙ୍କ ପରିବାର ଜମିବାଡ଼ି ବିବାଦକୁ ନେଇ ଏହା ଘଟାଇଥାଇ ପାରିଥାନ୍ତି ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି। ତେବେ ଲୋକଙ୍କୁ ସବୁଠୁ ଅଧିକ ଆଶ୍ଚର୍ଯ୍ୟଚକିତ କରିଛି ଉକ୍ତ ପରିବାର ସହ କୌଣସି ସଂପର୍କ ନଥିବା ମହିନ୍ଦ୍ର କୁମାରଙ୍କୁ ଅନୁରୂପ ଢଙ୍ଗରେ ହତ୍ୟା। ଗତ ୨ ବର୍ଷ ହେଲା ମହିନ୍ଦ୍ରଙ୍କ ପରିବାର ବିଜରାଦର ଗ୍ରାମରୁ ଆସି ଶଙ୍କରପଲାରେ ରହି କୁଲି ମଜୁରି କରି ଚଳୁଥିଲେ। ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ ହୋଇଥିବା ଯୋଗୁଁ ମହେନ୍ଦ୍ରଙ୍କୁ ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ଏ ନେଇ ଏସ୍‌ଡିପିଓ ଦିଲୀପ ଚୋପଦାରଙ୍କୁ ପଚାରିବାରୁ ଘଟଣାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ସାଇଣ୍ଟିଫିକ ଟିମ ଓ ଡଗ୍‌ସ୍କ୍ବାଡ୍‌ର ସହାୟତା ନିଆଯାଇଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe