ଏସ୍‌ସି ଛାତ୍ରୀନିବାସ ନିର୍ମାଣରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଆରମ୍ଭ

ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭିଜିଲାନ୍ସ ଏସପିଙ୍କୁ ଜିଲ୍ଲାପାଳଙ୍କ ଚିଠି

ଏସ୍‌ସି ଛାତ୍ରୀନିବାସ ନିର୍ମାଣରେ ଅନିୟମିତତା: ଭିଜିଲାନ୍ସ ତଦନ୍ତ ଆରମ୍ଭ

Sambad English

ସୋନପୁର: ଅନୁସୂଚିତ ଜାତି ଛାତ୍ରୀନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୫ ତାରିଖ ଦିନ ଜିଲ୍ଲା କାର୍ଯ୍ୟାଳୟ (ଏସସି/ଏସଟି ଉନ୍ନୟନ ବିଭାଗ) ପତ୍ର ସଂଖ୍ୟା ୧୧୧୧, ତା. ୫.୭.୨୦୨୩ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସୋନପୁର ଭିଜିଲାନ୍ସ ଟିମ ଏବଂ କଟକ ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍ ଏହାର ତଦନ୍ତ ଆରମ୍ଭ କରିଛନ୍ତି। ସେମାନେ ମକୁନ୍ଦପୁର ଗ୍ରାମକୁ ଯାଇ ଛାତ୍ରୀନିବାସ ଅନୁଧ୍ୟାନ କରିବା ସହ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ବର ଆଇଆର୍‌ସି ଭିଲେଜର ପ୍ଲଟ ନଂ. ୧/୨୦୭ରେ ଥିବା ମେସର୍ସ ହିନ୍ଦୁସ୍ତାନ ଷ୍ଟିଲୱାର୍କ୍ସ କନ୍‌ଷ୍ଟ୍ରକସନ ଲିଃ.(ଏଚ୍‌ଏସ୍‌ସିଏଲ୍‌) ନାମକ ଠିକାସଂସ୍ଥା କେବିକେ ଜିଲ୍ଲା ପାଇଁ ୨୦୧୭-୧୮ରେ ସ୍ବତନ୍ତ୍ର ଆର୍‌ଏଲ୍‌ଟିଏପି ଯୋଜନାରେ ମକୁନ୍ଦପୁର ଆଶ୍ରମ ସ୍କୁଲର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରିଥିଲା।

ସରକାରଙ୍କ ସହ ଏମ୍‌ଓୟୁ ଅନୁଯାୟୀ ଏହାର ବ୍ୟୟ ଅଟକଳ ୮୦ ଲକ୍ଷ ରହିଥିଲା। ନିର୍ମାଣ ଶେଷ ପରେ ଗତ ୬.୧୧.୨୦୨୦ରେ ସଂସ୍ଥାର ସାଇଟ୍ ଇଞ୍ଜିନିୟର ସୌରଭ ଦେ ଉକ୍ତ ଛାତ୍ରୀନିବାସକୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ହସ୍ତାନ୍ତର କରିଥିଲେ। ତେବେ ଅନ୍ତେବାସୀଙ୍କୁ ଛାତ୍ରୀନିବାସକୁ ସ୍ଥାନାନ୍ତର ପୂର୍ବରୁ ପରିଦର୍ଶନ କରିବା ବେଳେ ନିମ୍ନମାନର ନିର୍ମାଣ କାମ ହୋଇଥିବା ଜଣାପଡ଼ିଥିଲା। ବହୁ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଏପରିକି ବ୍ୟୟ ଅଟକଳ ଅନୁଯାୟୀ ନିର୍ମାଣ କାମ ହୋଇନଥିବା ଜଣାପଡ଼ିଛି। ଏଥିରେ ସମ୍ପୃକ୍ତ ଠିକା ସଂସ୍ଥା ସରକାରୀ ଅର୍ଥ ଆତ୍ମସାତ କରିଥିବା ସ୍ପଷ୍ଟ ହୋଇଛି। ଗତ ୪ ତାରିଖ ଦିନ ୫-ଟି ସଚିବ ଭି.କେ. ପାଣ୍ଡିଆନ ଉକ୍ତ ସ୍କୁଲ ପରିଦର୍ଶନରେ ଯାଇଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଭିଯୋଗ କରିଥିଲେ। ତେଣୁ ସମ୍ପୃକ୍ତ ଠିକା ସଂସ୍ଥା ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ସହ ଅନିୟମିତତା ହୋଇଥିବା ଅର୍ଥ ଅସୁଲ ପାଇଁ
ଜିଲ୍ଲାପାଳ ଶ୍ରୀ ରାୟ ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କୁ ପତ୍ର ଲେଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe