ଜିଲ୍ଲାରେ କରୋନା ପରିଚାଳନା ଠପ: ବଢ଼ୁଛନ୍ତି ପ୍ରବାସୀ, କାମ କରୁନାହିଁ ହୋମ ଆଇସୋଲେସନ୍, ଟେଲିମେଡିସିନ୍ ସେବା

Advertisment
ଗତ ୨୪ ଘଣ୍ଟାରେ ୮୦ ଜଣ ପଜିଟିଭ ଚିହ୍ନଟ

racgp.org.au

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାକୁ ଲାଗିଛି। ଡିସେମ୍ବର ଶେଷ ସପ୍ତାହରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପୂର୍ବରୁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ସଜାଗ ଥିବା ଓ ଏନେଇ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଥିବା କହିଥିଲେ। କିନ୍ତୁ କରୋନା ସକ୍ରିୟ ସଂକ୍ରମଣ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ୨୦୦ ଡେଇଁବା ବେଳକୁ ସମସ୍ତ ପ୍ରସ୍ତୁତି ଓ ଯୋଜନା କେବଳ କାଗଜପତ୍ରରେ ସୀମିତ ଥିବା ଜଣାଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ଟେଲିମେଡିସିନ ଓ କରୋନାରେ ସଂକ୍ରମିତ ହୋଇ ସ୍ୱଗୃହ ଏକାନ୍ତବାସରେ ଥିବା ରୋଗୀଙ୍କ ପାଇଁ ଜାରି କରାଯାଇଥିବା ସ୍ୱାସ୍ଥ୍ୟ ସହାୟତା ନମ୍ବର କାମ କରୁନାହିଁ।

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପ୍ରଥମ ଓ ଦ୍ୱିତୀୟ ସଂକ୍ରମଣ ସମୟରେ ସ୍ୱତନ୍ତ୍ର ୱାର୍ଡ କରାଯାଇ ଏଠାରେ ଟେଲିମେଡିସିନ୍ ସେବା ଆରମ୍ଭ କରାଗଲା ବୋଲି ଜିଲ୍ଲାପାଳ ଜାନୁଆରି ୧୧ ତାରିଖରେ ଟୁଇଟ୍ ଯୋଗେ ଜଣାଇଥିଲେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିଡ କମାଇବାକୁ ଏହି ସେବାର ଆରମ୍ଭ କରାଯାଇଛି। ଏଥିପାଇଁ ରୋଗୀ ସକାଳ ୯ଟାରୁ ଅପରାହ୍ନ ଗୋଟାଏ ମଧ୍ୟରେ ଭେଷଜ, ଶିଶୁରୋଗ, ହୃଦ୍‌ରୋଗ ଔଷଧ, ସାଧାରଣ ଅସ୍ତ୍ରୋପଚାର ସମ୍ପର୍କିତ ପରାମର୍ଶ, କର୍କଟ ରୋଗ, ଦନ୍ତ, ଚକ୍ଷୁ-କାନ ଓ ନାସା ଆଦି ପାଇଁ ୧୭ଟି ଭିନ୍ନ ଭିନ୍ନ ଫୋନ୍ ନମ୍ବର ଜାରି କରାଯାଇଥିଲା। ଏପରିକି ପରାମର୍ଶ ଚାହୁଁଥିବା ବ୍ୟକ୍ତି ହ୍ବାଟ୍‌ସପ୍ ଭିଡ଼ିଓ କଲ୍ ମାଧ୍ୟରେ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ବୋଲି କୁହାଯାଇଥିଲା, କିନ୍ତୁ ଏହା ମଧ୍ୟରୁ ପରାମର୍ଶ ମିଳିବା ତ ଦୂରରେ ଥାଉ ଅନେକ ନମ୍ବରରେ ଫୋନ୍ କଲେ କେହି ଉଠାଉନାହାଁନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଗ୍ରାମାଞ୍ଚଳରେ ବାହାର ରାଜ୍ୟରୁ କ୍ରମାଗତ ପ୍ରବାସୀଙ୍କ ଆସିବା ବୃଦ୍ଧି ପାଇଛି। ୧୧ ତାରିଖ ସୁଦ୍ଧା ଖୋର୍ଦ୍ଧା ଗ୍ରାମାଞ୍ଚଳକୁ ୮୭୦ଜଣ ପ୍ରବାସୀ ଫେରିଛନ୍ତି।

ସେମାନଙ୍କ ମଧ୍ୟରୁ ୭୨୩ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୧୪୭ଜଣଙ୍କୁ ଏଯାଏଁ ଚିହ୍ନଟ କରା ଯାଇପାରିନାହିଁ। ତେବେ ଚିହ୍ନଟ କରାଯାଇଥିବା ୭୨୩ ଜଣଙ୍କ ମଧ୍ୟରୁ ୩୮୭ଜଣଙ୍କ ଆର୍ଟି-ପିସିଆର୍ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣ ଓମିକ୍ରମ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ଖୋର୍ଦ୍ଧା ଗ୍ରାମାଞ୍ଚଳରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୨୦୦ରୁ ଉର୍ଦ୍ଧ୍ବ ରହିଛି। ଏପରିସ୍ଥଳେ ଅନେକଙ୍କୁ ନିଜ ଘରେ ସ୍ୱଗୃହ ଏକାନ୍ତବାସ (ହୋମ୍ ଆଇସୋଲେସନ୍)ରେ ରହି ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଛି। ସେମାନଙ୍କ ପାଇଁ ୭୬୫୫୦୫୧୧୮୫ ଓ ୭୬୫୫୦୫୧୨୮୭ ଦୁଇଟି ମୋବାଇଲ୍ ନମ୍ବର ଜାରି କରାଯାଇ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ନେବା ପାଇଁ କୁହାଯାଇଛି। ଏହି ନମ୍ବର ଜାରି କରାଯାଇ ତିନି ଦିନ ବିତିଯାଇଥିଲେ ମଧ୍ୟ ଏହା ପ୍ରାୟତଃ ସୁଇଚ ଅଫ୍ ରହୁଛି। ଏନେଇ ସିଡିଏମ୍ଓ ଡା ଆର୍ତବନ୍ଧୁ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ସେ ନୂଆରେ ଜିଲ୍ଲାକୁ ବଦଳି ହୋଇ ଆସିଛନ୍ତି। ଏନେଇ ନମ୍ବର ଜାରି କରାଯାଇଥିବା ସେ ଜାଣନ୍ତି, କିନ୍ତୁ ସମସ୍ୟା ସମ୍ପର୍କରେ ସେ ଅବଗତ ନୁହନ୍ତି ଏନେଇ ଡିଏମ୍ଓ ଡଃ. ବିଶ୍ୱମୋହନ ମିଶ୍ରଙ୍କ ସହ ଯୋଗାଯୋଗ କରନ୍ତୁ। କିନ୍ତୁ ଡଃ. ମିଶ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଫୋନ୍ ନଉଠାଇବାରୁ ତାଙ୍କ ଠାରୁ ପ୍ରତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe