କରୋନା ଭୟ: ଜେଲରେ ନୂଆ କଏଦୀଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ

Advertisment
କରୋନା ଭୟ: ଜେଲରେ ନୂଆ କଏଦୀଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ

Image Source-Odisha Bytes

ବ୍ରହ୍ମପୁର: ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିପାଇଁ ସରକାର କଟକଣା କଡ଼ାକଡ଼ି କରି ନାଇଟ୍‌ କର୍ଫ୍ୟୁ ଜାରି କରିଛନ୍ତି। ଭିଡ଼ କମାଇବା ପାଇଁ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରାଯାଉଛି। ସ୍କୁଲ, କଲେଜ ମଧ୍ୟ ବନ୍ଦ କରି ଦିଆଯାଇଛି। କିନ୍ତୁ ଜେଲ୍‌ରେ ଭିଡ଼ କମୁ ନାହିଁ। ଓଡ଼ିଶାର ଅନ୍ୟତମ ସମ୍ବେଦନଶୀଳ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଏବେ କ୍ଷମତା ଠାରୁ ଅଧିକ କଏଦୀ ରହିଛନ୍ତି। ମଣ୍ଡଳ କାରାଗାରରେ କଏଦୀଙ୍କ ରହିବା କ୍ଷମତା ୭୪୦ ରହିଥିବା ବେଳେ ଏବେ ୮୯୨ଜଣ କଏଦୀ ରହିଛନ୍ତି। ଯାହାକି କର୍ତ୍ତୃପକ୍ଷଙ୍କ ପାଇଁ ପୁଣିଥରେ ଚିନ୍ତା ବଢ଼ାଇଛି। ଏଣୁ ଜେଲ୍‌ରେ ଗତ ୭ତାରିଖରୁ ସାଧାରଣ ମୁକାକାତ ବନ୍ଦ କରାଯାଇଛି। ଏବେ କେବଳ ଇ-ମୁକାକାତ ଜାରି ରହିଥିବା ମଣ୍ଡଳ କାରାଗାର ଅଧୀକ୍ଷକ ଗରିବ ସାହୁ ସୂଚନା ଦେଇଛନ୍ତି। ସେହିପରି ନୂଆ କରି ଜେଲ୍‌କୁ ଆସୁଥିବା ଅଭିଯୁକ୍ତଙ୍କୁ ପ୍ରଥମେ ସଙ୍ଗରୋଧରେ ରଖାଯାଉଛି ବୋଲି ଅଧୀକ୍ଷକ କହିଛନ୍ତି।

ବ୍ରହ୍ମପୁର ମଣ୍ଡଳ କାରାଗାର ହେଉଛି ଦକ୍ଷିଣ ଓଡ଼ିଶାର ସର୍ବବୃହତ ଜେଲ୍‌। ଏଠାକୁ ବିଭିନ୍ନ ସ୍ଥାନରୁ କଏଦୀଙ୍କୁ ସ୍ଥାନାନ୍ତର କରାଯାଇଥାଏ। ବହୁ ହାର୍ଡ଼କୋର୍‌ ଅପରାଧୀ ଏଠାରେ ରହିଛନ୍ତି। ସେହିପରି ମାଓନେତା ସବ୍ୟସାଚୀ ପଣ୍ଡାଙ୍କ ଠାରୁ ଆରମ୍ଭ କରିଛି ମାଓ ଅଭିଯୁକ୍ତମାନେ ମଧ୍ୟ ବନ୍ଦୀ ଭାବେ ଅଛନ୍ତି। ଏଣୁ ବ୍ରହ୍ମପୁର ମଣ୍ଡଳ କାରାଗାରର ସୁରକ୍ଷା ବ୍ୟବସ୍ଥା ପ୍ରତି ସବୁ ବେଳେ ତୀକ୍ଷ୍‌ଣ ନଜର ରଖାଯାଇଥାଏ। ଏବେ କରୋନା ସଂକ୍ରମଣ ବଢ଼ିବା ଯୋଗୁଁ କଏଦୀଙ୍କ ସୁରକ୍ଷା ଚିନ୍ତା ଘାରିଛି। ପ୍ରଥମ ପଦକ୍ଷେପ ସ୍ବରୂପ ସାଧାରଣ ମୁକାକାତ ବନ୍ଦ କରି ଦିଆଯାଇ ଇ-ମୁଲାକାତ କାର୍ଯ୍ୟକାରୀ କରାଯାଇଛି। କଏଦୀଙ୍କ ପରିବାରବର୍ଗ ଘରେ ଥାଇ ମଧ୍ୟ ମୋବାଇଲ୍‌ ଫୋନ୍‌ରେ ଭିଡ଼ିଓ କଲିଂରେ ମୁଲାକାତ କରିପାରୁଛନ୍ତି। କିନ୍ତୁ ଏହା ପୂର୍ବରୁ ସେ ନିର୍ଦ୍ଧାରିତ ଅଧିକାରୀଙ୍କ ଜରିଆରେ ଆବେଦନ କରିବା ଆବଶ୍ୟକ।

ସୂଚନାଯୋଗ୍ୟ,  ଗତବର୍ଷ ୨୦୨୧ ମେ ମାସରେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଏକା ଥରକେ ୪୬ଜଣ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏଣୁ ଅନ୍ତେବାସୀଙ୍କ ଚିକିତ୍ସା ପାଇଁ ପ୍ରଶାସନ ତରଫରୁ ଜେଲ୍‌ ପରିସରରେ କୋଭିଡ୍‌ କେୟାର୍‌ ସେଣ୍ଟର୍‌ ‌ଖୋଲାଯାଇଥିଲା। ସେହିପରି ଗତ ୨୦୨୦ ଜୁଲାଇ ମାସରେ ମଧ୍ୟରେ ୪୪ଜଣ ପଜିଟିଭ୍‌ ହୋଇଥିଲେ। ତନ୍ମଧରେ ୩୫ଜଣ ଅନ୍ତେବାସୀ ରହିଥିବା ବେଳେ ୯ଜଣ କର୍ମଚାରୀ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe