ମା’ ବନ୍ଦରେଇ ପୀଠକୁ ଭୁଲିଗଲେ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆ ନଗଲେ ଆନ୍ଦୋଳନ ଚେତାବନୀ

Advertisment

ଉପେକ୍ଷିତ ହେଲେ ମାଳମରିଚପୁରବାସୀ, ବନ୍ଦର ଗାଁ ନୌବାଣିଜ୍ୟ ପରମ୍ପରାର ମୁକସାକ୍ଷୀ

ଉପେକ୍ଷିତ ହେଲେ ମାଳମରିଚପୁରବାସୀ, ବନ୍ଦର ଗାଁ ନୌବାଣିଜ୍ୟ ପରମ୍ପରାର ମୁକସାକ୍ଷୀ

ମା’ ବନ୍ଦରେଇ ପୀଠକୁ ଭୁଲିଗଲେ, ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦିଆ ନଗଲେ ଆନ୍ଦୋଳନ ଚେତାବନୀ

Sambad

ବାଲିକୁଦା: ଶିଆଳି ବେଳାଭୂମିର ସୁରକ୍ଷା ପାଇଁ ୪୦ କୋଟି ଟଙ୍କା ଅନୁଦାନ ରାଶି ଘୋଷଣା ହେଲା। ଏହାଦ୍ବାରା ସମୁଦ୍ର ଜୁଆର ପ୍ରତିରୋଧ ପାଇଁ ବ୍ୟବସ୍ଥା କରାଯିବ। ଗତ ୨୯ ତାରିଖରେ ୫-ଟି ସଚିବ ଜଗତସିଂହପୁର ଗସ୍ତରେ ଆସି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶିଆଳି ବେଳାଭୂମି ପାଇଁ ଏହି ଘୋଷଣା କରିଥିଲେ। ଏହାକୁ ବାଲିକୁଦା ବ୍ଲକ୍‌ ମାଳମରିଚପୁର ଉନ୍ନୟନ ପରିଷଦ, ତଳମାଳ ବିକାଶ ମଞ୍ଚ, ମା’ ବନ୍ଦରେଇ ୟୁଥ୍‌ ୟୁନିୟନ୍‌, ଭଏସ୍‌ ଅଫ୍‌ ବାଲିକୁଦା, ଲୋଟସ୍‌ କ୍ଲବ୍‌ ଓଳାଂଶ, ଉତ୍ତରେଶ୍ୱର ୟୁଥ୍‌ ପୋଦରୁଆଁ ପକ୍ଷରୁ ସ୍ୱାଗତ କରାଯାଇଛି। କିନ୍ତୁ ଦୀର୍ଘବର୍ଷ ହେବ ମା’ ବନ୍ଦରେଇ ପୀଠର ଉନ୍ନତୀକରଣ ଓ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ ପାଇଁ କରାଯାଉଥିବା ଦାବି ସମ୍ପର୍କରେ କୌଣସି ବି ଘୋଷଣା ନ ହେବାରୁ ମାଳମରିଚପୁରବାସୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ପୀଠର ଭିତ୍ତିଭୂମି ବିକାଶ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଗଲେ ବିରାଟ ଆନ୍ଦୋଳନ କରାଯିବ ବୋଲି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚେତାବନୀ ଦିଆଯାଇଛି। ସୂଚନାଥାଉକି, ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ମରିଚପୁର ପଞ୍ଚାୟତର ମା’ ବନ୍ଦରେଇ ପୀଠ ପରିବେଶରେ ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋମୁଗ୍ଧକର। ଏଠିକାର ପରିବେଶ ଅନ୍ୟ ପର୍ଯ୍ୟଟନସ୍ଥଳୀଠାରୁ ଆକର୍ଷଣୀୟ ଓ ନିଆରା। ପୂର୍ବରେ ବଙ୍ଗୋପସାଗର, ଦକ୍ଷିଣରେ ଦେବୀ ନଦୀ, ଉତ୍ତରରେ ପିଲିପାଇ, ରାଣୀ ଗାଡ଼ିଆ ଓ ପୂର୍ବରେ ଶସ୍ୟକ୍ଷେତ୍ର ପରିବ୍ୟାପ୍ତ। ଦେବୀନଦୀ ମୁହାଣ ପଠାରେ ବିଦେଶାଗତ ପକ୍ଷୀମାନଙ୍କର ସମାଗମ, ହେକ୍ଟର୍‌ ହେକ୍ଟର୍‌ ବ୍ୟାପି ଲୁଣା ଜଙ୍ଗଲର ଅପରୂପ ଶୋଭା, କଙ୍କଡ଼ାଙ୍କର ଜଳକ୍ରୀଡ଼ା, ଏଥିସହ ପରିବ୍ୟାପ୍ତ ଝାଉଁ ଓ କାଜୁ ଜଙ୍ଗଲର ଶୋଭାରେ ମଣ୍ଡିତ ବନ୍ଦର ଅଞ୍ଚଳ ଖୁବ ମନଲୋଭା ଲାଗେ। ଝାଉଁ ଜଙ୍ଗଲରେ ହରିଣ, ଠେକୁଆ, ସମ୍ବର, କୋକିଶିଆଳି, ହେଟାବାଘଙ୍କର ବିଚରଣ ଚିତ୍ତ ଚୋରି କରେ। ଲୁଣା ଜଙ୍ଗଲରେ ବନି, କେରୁଆ, ହେନ୍ତାଳ, କେରକେରା, ଗର୍ତ୍ତ ଆଦି ବୃକ୍ଷର ଶୋଭା ସହ ନାଳିଆ ଆଦି ଘାସ ଓ ଗୁଳ୍ମ ଚମତ୍କାର ଲାଗେ। ସମୁଦ୍ର ତଟରେ ନାଲି କଙ୍କଡ଼ାର ଦୌଡ଼ିବାର ଦୃଶ୍ୟ, କଂସାରି ଲଟାର ସବୁଜ ଆସ୍ତରଣ, ଉତ୍ତାଳ ତରଙ୍ଗ, ସୁଲୁସୁଲିଆ ପବନର ଛୁଆଁ ଆନମନା କରେ। ବନ୍ଦର ଜେଟି ପାର୍ଶ୍ୱରେ ନୌକା ବିହରଣ ମଧ୍ୟ ନିଆରା ଅନୁଭୂତି ଦିଏ। ଊନବିଂଶ ଶତାବ୍ଦୀର ନୌବାଣିଜ୍ୟ ପରମ୍ପରାର ମୂକସାକ୍ଷୀ ଏଇ ବନ୍ଦର ଗାଁ। ଇତିହାସ ତଥ୍ୟ ଅନୁଯାୟୀ ହରିଶପୁରର ପାଟୁଆ ନଦୀ ନୌବାଣିଜ୍ୟ ପାଇଁ ଅନୁପଯୁକ୍ତ ହେବାରୁ ଦେବୀ ନଦୀ ହିଁ ମାଧ୍ୟମ ପାଲଟିଥିଲା। ଏହି ନଦୀ ଦେଇ ମାଛଗାଁ ପର୍ଯ୍ୟନ୍ତ ପଣ୍ୟଦ୍ରବ୍ୟ ଆସୁଥିଲା। ସେଠାରୁ ହରିହରପୁର (ଅଧୁନା ଜଗତସିଂହପୁର)କୁ ଉକ୍ତ ସାମଗ୍ରୀ ପଠାଯାଉଥିଲା।

ଏହି ବନ୍ଦର ହିଁ ଥିଲା ବଣିକମାନଙ୍କର ଆଶ୍ରୟସ୍ଥଳୀ ତଥା ଦ୍ୱାରଦେଶ। କିମ୍ବଦନ୍ତୀ ଅନୁଯାୟୀ ବନ୍ଦରର ପିଲିପାଇଠାରେ ଏକ ଆଲୋକ ସ୍ତମ୍ଭ ରହିଥିଲା। ଯାହାକୁ ଅନୁସରଣ କରି ସମୁଦ୍ର ଭିତରୁ ଦିଗ ନିର୍ଣ୍ଣୟ କରାଯାଉଥିଲା। ଯେଉଁଠି ଏବେ ବି ଧ୍ୱଂସାବଶେଷ ରହିଛି। ବନ୍ଦର ଅଞ୍ଚଳର ଅବସ୍ଥିତି, ନଦୀ ଓ ସମୁଦ୍ରର ତଟଦେଶ ହୋଇଥିବାରୁ ଏଠାରେ ନିଯୁକ୍ତି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା ବ୍ୟୟବହୁଳ ହୋଇଥିବା ବେଳେ ବନ୍ଦରରେ ମହଜୁଦ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ସମୂହକୁ ଯଦି ତୁରନ୍ତ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଆନ୍ତା ତେବେ ବାଲିକୁଦା ଅଞ୍ଚଳର ସାମଗ୍ରିକ ବିକାଶ ସାଧିତ ହୋଇପାରନ୍ତା ଓ ଅନେକଗୁଡ଼ିଏ ନିଯୁକ୍ତିର ସୁଯୋଗ ସୃଷ୍ଟି ହୁଅନ୍ତା।

publive-image Sambad

ବିଗତ ଦିନରୁ ବିଭିନ୍ନ ସଙ୍ଗଠନ ମାଧ୍ୟମରେ ଏହି ଅଧିକାରକୁ ସାବ୍ୟସ୍ତ କରିବାକୁ ଦାବି କରାଯାଉଥିଲେ ମଧ୍ୟ ଏଦିଗରେ ପ୍ରଶାସନର ପଦକ୍ଷେପ ଶୂନ। ପୂର୍ବତନ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସ୍ଥାନ ପରିଭ୍ରମଣ କରି ଏକ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଖୁବ୍‌ଶୀଘ୍ର ଏହାର କାର୍ଯ୍ୟକାରିତା ହେବ ବୋଲି ଅଞ୍ଚଳବାସୀ ଆଶା ବାନ୍ଧିଥିଲେ। କିନ୍ତୁ ୫-ଟି ସଚିବଙ୍କ ଗସ୍ତ ସମୟରେ କୌଣସି ଘୋଷଣା କରାନଯିବାରୁ ମାଳମରିଚପୁରବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆଗାମୀ ଦିନରେ ବନ୍ଦର ପର୍ଯ୍ୟଟନସ୍ଥଳୀ ମାନ୍ୟତା ପ୍ରଦାନ କରାନଗଲେ ଆନ୍ଦୋଳନ କରାଯିବ ବୋଲି ତଳମାଳ ବିକାଶ ମଞ୍ଚ ସଭାପତି ଡାକ୍ତର ଶଶାଙ୍କ ଶେଖର ସାହାଣୀ, ମାଳମରିଚପୁର ଉନ୍ନୟନ ପରିଷଦ ସଭାପତି ସୁବାସ ଚନ୍ଦ୍ର ନାୟକ, ସମ୍ପାଦକ ସତ୍ୟବ୍ରତ ବିଶ୍ୱାଳ, ଭଏସ୍‌ ଅଫ୍‌ ବାଲିକୁଦା ସଙ୍ଗଠନ ସଭାପତି କିଶୋର ମହାନ୍ତି, ସମ୍ପାଦକ ଆଲୋକ ବେହେରା, ଲୋଟସ୍‌ କ୍ଲବ୍‌ ସଭାପତି ପବିତ୍ର ନାୟକ, ସମ୍ପାଦକ ସୌମ୍ୟରଂଜନ ପରିଡ଼ା, ଉତ୍ତରେଶ୍ୱର ୟୁଥ୍‌ କ୍ଲବ୍‌ ସଭାପତି ଦିଲୀପ ବିଶ୍ୱାଳ, ସୂଚନା ଅଧିକାର କର୍ମୀ ପ୍ରଶାନ୍ତ ରାଉତରାୟ, ବନ୍ଧୁଚରଣ ନାୟକ, ଗଙ୍ଗାଧର ନାୟକ, ନିରଞ୍ଜନ ପଣ୍ଡା, ରାଜୁ ମିଶ୍ର, ରାମଚନ୍ଦ୍ର ସେଠୀ, ରମେଶ ଚନ୍ଦ୍ର ବହିରା, ସୁବାସ ସ୍ୱାଇଁ, ପ୍ରେମାନନ୍ଦ ପରିଡ଼ା, ଚଣ୍ଡେଶ୍ୱର ବେହେରା, ଚନ୍ଦନ ପ୍ରଧାନ, ରାଜେଶ ମହାରଣା, କୁନିଆ ନାୟକ, ସୁଜନ ନାୟକ, ରଞ୍ଜନ ଦାସ, ଅବିନାଶ ସାହୁ, ସୁଦର୍ଶନ ରାଉତ, ବିଚିତ୍ରାନନ୍ଦ ମଳିକ, ଶରତ ସ୍ୱାଇଁଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅନେକ ଜନସାଧାରଣ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe