Sambad
ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଳା ଖୋର୍ଦ୍ଧା ରାଜ୍ୟର ସ୍ୱାସ୍ଥ୍ୟସେବାର କେନ୍ଦ୍ର ଭାବେ ପରିଚିତ। ଏଠାରେ ଘରୋଇ ଓ ସରକାରୀ ଚିକିତ୍ସାଳୟର ସାନ୍ଦ୍ରତା ଯେତେ, ତାହା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଦେଖାଯାଏ ନାହିଁ, କିନ୍ତୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ଓ ବିକାଶ କିନ୍ତୁ ଅନେକ ଦୂରରେ। ନିକଟରେ ଚିକିତ୍ସାଳୟର ବିକାଶ ପାଇଁ ୫-ଟିରେ ସାମିଲ କରାଯାଇଛି। ଚିକିତ୍ସାଳୟରେ ଆସୁଥିବା ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୭ଟି ଉତ୍ତମ ଅଭ୍ୟାସର ଜାରି କରାଯାଇଥିବା ମାର୍ଗଦର୍ଶିକା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ କେବେ କାର୍ଯ୍ୟକାରୀ ହେବ ସେନେଇ ସନ୍ଦେହ ସୃଷ୍ଟି ହୋଇଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ କେବଳ ଖୋର୍ଦ୍ଧା ଗ୍ରାମାଞ୍ଚଳ ନୁହେଁ, କଟକର ବାଙ୍କୀ, ନୟାଗଡ଼ର ଖଣ୍ଡପଡ଼ା ଓ ରଣପୁର, ପୁରୀ ଜିଲ୍ଳାର ଡେଲାଙ୍ଗା ଓ କଣାସରୁ ଦୈନିକ ଶତାଧିକ ରୋଗୀ ସ୍ୱାସ୍ଥ୍ୟସେବା ପାଇଁ ଆସିଥାନ୍ତି। ଚିକିତ୍ସାଳୟର ପଞ୍ଜୀକରଣ ତଥ୍ୟାନୁସାରେ ବର୍ହି ବିଭାଗକୁ ଦୈନିକ ହାରାହାରି ୧୫ଶହ ରୋଗୀ ଓ ଆଶୁଚିକିତ୍ସା ବିଭାଗକୁ ଦୈନିକ ହାରାହାରି ୪ଶହ ରୋଗୀ ଆସିଥାନ୍ତି। ଚଳିତବର୍ଷ ଜାନୁଆରୀ ମାସରେ ୨୩ହଜାର ୪୦୩ଜଣ ରୋଗୀ ବର୍ହି ବିଭାଗକୁ ଆସିଥିବା ବେଳେ ଫେବ୍ରୁଆରୀରେ ୨୯ହଜାର ୮୮୭ ଓ ଚଳିତ ମାସରେ ବର୍ତମାନ ସୁଦ୍ଧା ୧୨,୭୪୮ ରୋଗୀ ଚିକିତ୍ସା ପରାମର୍ଶ ପାଇଁ ଆସିଛନ୍ତି। ସେହିଭଳି ଆଶୁ ଚିକିତ୍ସା ବିଭାଗକୁ ଜାନୁଆରୀରେ ୧୫,୧୭୬, ଫେବ୍ରୁଆରୀରେ ୧୩,୯୯୧ ଓ ମାର୍ଚ୍ଚ ମାସରେ ଆଜି ସୁଦ୍ଧା ୫୬୩୨ଜଣ ରୋଗୀ ଆପତକାଳୀନ ସ୍ଥିତିରେ ଜିଲ୍ଳା ମୁଖ୍ୟଚିକିତ୍ସାଳୟରେ ପହଞ୍ଚିଛନ୍ତି। ଦିନ ବେଳା କୌଣସି ପ୍ରକାରେ ଓପିଡିରେ ଦୁଇ-ତିନିଜଣ ଡାକ୍ତରଙ୍କ ଦେଖା ମିଳୁଥିବା ବେଳେ ଅପରାହ୍ନ ଓ ରାତିରେ ଜଣେ ଡାକ୍ତରଙ୍କୁ ନେଇ ଅଧିକାଂଶ ସମୟରେ ଓପିଡି ଚାଲୁଥିବା ଦେଖିବାକୁ ମିଳିଥାଏ।
Sambadଫଳରେ ଚିକିତ୍ସାଳୟରେ ଶତାଧିକ ରୋଗୀ, ଗର୍ଭବତୀ ମହିଳା, ଛୋଟଶିଶୁ, ବୃଦ୍ଧବୃଦ୍ଧା ଦୀର୍ଘ ସମୟ ଧରି ଓପିଡି ୱାର୍ଡ ସମ୍ମୁଖରେ ଧାଡ଼ିବାନ୍ଧି ଠିଆ ହେବା ଦେଖିବାକୁ ମିଳିଥାଏ। ସେହିଭଳି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ଦୈନିକ ପ୍ରାୟ ୩୦ ଥାଲେସେମିଆ ରୋଗୀ, ୧୦୦ରୁ ଉର୍ଦ୍ଧ୍ବ କିଡ୍ନୀ ରୋଗୀ ଡାୟାଲିସିସ୍, ଚିକିତ୍ସାଳୟ ମଧ୍ୟରେ ରକ୍ତଭଣ୍ଡାର ଆଦିର ସୁବିଧା ନଥିବାରୁ ଭୁବନେଶ୍ୱରର ଘରୋଇ ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହୋଇଥାନ୍ତି। ଚିକିତ୍ସାଳୟରେ ଦିଆଯାଉଥିବା ଜନଔଷଧୀ ବ୍ୟବସ୍ଥାରେ ଔଷଧ ବିତରଣ ପାଇଁ ଆବଶ୍ୟକ ସ୍ଥାନର ବ୍ୟବସ୍ଥା ରହିଥିଲେ ମଧ୍ୟ ପରିଚାଳନାଗତ ସମସ୍ୟା ଯୋଗୁଁ ଲମ୍ବାଧାଡ଼ିରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥାଏ।
ନିକଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୫-ଟି କାର୍ଯ୍ୟକ୍ରମ ଅନୁସାରେ, ବର୍ହି ବିଭାଗରେ ଗହଳି କମାଇବାକୁ ଅନ୍ଲାଇନ ଓପିଡି ପଞ୍ଜୀକରଣ, ଲାବ୍ରୋଟୋରୀ ପରୀକ୍ଷଣର ଡିଜିଟାଇଜେସନ୍, ସ୍ୱୟଂକ୍ରିୟ ଧାଡ଼ି ପରିଚାଳନା ଓ ରୋଗୀଙ୍କୁ ଡାକିବା ବ୍ୟବସ୍ଥା, ଆଇପିଡି ରୋଗୀଙ୍କ ନିମନ୍ତେ ରୋଗୀଙ୍କ ସମ୍ପର୍କୀୟଙ୍କ ସାକ୍ଷାତର ନିୟନ୍ତ୍ରିତ ପ୍ରବେଶ ପାସ ଆଦିର ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମ୍ଓଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଯେ ଯଦିଓ ଚିକିିତ୍ସାଳୟରେ ଆଗନ୍ତୁକ ରୋଗୀଙ୍କ ପଞ୍ଜୀକରଣ ହେଉଛି, କିନ୍ତୁ ଏହା ଅନଲାଇନ ହୋଇନାହିଁ। ଅନଲାଇନ, ସ୍ୱୟଂକ୍ରିୟ ଆଦି ଅନ୍ୟ ବ୍ୟବସ୍ଥା ଦାୟିତ୍ୱ ଓକାକ୍ ନେଇଛି। ଏହା କେବେ ହେବ ତାହା ସେମାନଙ୍କ ଉପରେ ନିର୍ଭର କରେ।
Follow Us