ଶୀତଳଭଣ୍ଡାରରେ ଧୋୟାଞ୍ଚଳ ୨୨ମୌଜାର ଯୋଜନା: ଦୁଃଖ ଦେଉଛି ଦେବୀ-କନ୍ଦଳ

Advertisment
ଶୀତଳଭଣ୍ଡାରରେ ଧୋୟାଞ୍ଚଳ ୨୨ମୌଜାର ଯୋଜନା: ଦୁଃଖ ଦେଉଛି ଦେବୀ-କନ୍ଦଳ

Sambad

ନିଆଳି: ନିଆଳିର ବ୍ଲକ୍‌ ଅନ୍ତର୍ଗତ ୨୨ମୌଜାବାସୀଙ୍କ ପାଇଁ ପ୍ରତିବର୍ଷ ଦୁଃଖର କାରଣ ପାଲଟୁଛି କାଠଯୋଡ଼ିର ଶାଖା ନଦୀ ଦେବୀ ଓ ଏହାର ଶାଖା କନ୍ଦଳ କନ୍ଦଳ ନଦୀ। ଦେବୀ ଓ କନ୍ଦଳ ନଦୀ ଯୋଗୁଁ ଧୋପାଞ୍ଚଳ ନାମରେ କୁଖ୍ୟାତି ଅର୍ଜନ କରିଛି ଏହି ଅଞ୍ଚଳ। ଏହି ଅଞ୍ଚଳରେ ବନ୍ୟା ସମସ୍ୟାର ସମାଧାନ ପାଇଁ ଯୋଜନା ପରେ ଯୋଜନା କରାଯାଉଛି। କିନ୍ତୁ, ଯୋଜନାଗୁଡ଼ିକ ଶୀତଳଭଣ୍ଡାରରେ ପଡ଼ି ରହୁଥିବାରୁ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ପ୍ରତିବର୍ଷ ବନ୍ୟା ଆସିଲେ ଲୋକଙ୍କ ଆଖିରୁ ନିଦ ହଜିଯାଉଛି। ଜଳ ନିଷ୍କାସନର ସୁବ୍ୟବସ୍ଥା ସହ ନଦୀ ମୁହାଣରେ ବ୍ୟାରେଜ୍, ଆବଶ୍ୟକ ସ୍ଥାନରେ ହାଇଲେଭଲ୍‌ ସ୍ପର୍‌ ନିର୍ମାଣ, ନଦୀବନ୍ଧର ଓସାର ବୃଦ୍ଧି ଓ ପଥର ପ୍ୟାକିଂ କରାଗଲେ ଏହାର ସମାଧାନ ହୋଇପାରିବ ବୋଲି ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି। କଟକ ଜିଲ୍ଲାର ନିଆଳି ବ୍ଲକ୍‌ ଅନ୍ତର୍ଗତ ପହଙ୍ଗା, କପାସୀ, ତିହୁଡ଼ି, ଷଡାଂଶ, ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ର ଗଳଦାରୀ ଆଦି ଗ୍ରାମକୁ ନେଇ ୨୨ମୌଜା ଅଞ୍ଚଳ ଗଠିତ। କଟକ, ଜଗତସିଂହପୁର ଓ ପୁରୀ ଜିଲ୍ଲା ସୀମା ଦେଇ ପ୍ରବାହିତ ହେଉଥିବା ଚିରସ୍ରୋତା ଦେବୀ ନଦୀରୁ ଉତ୍ପତ୍ତି ହୋଇଛି ୭ଟି ଶାଖା ନଦୀ। ସେଥିମଧ୍ୟରୁ ୩ଟି ୨୨ମୌଜାରୁ ବାହାରିଛି। କନ୍ଦଳ ନଦୀରୁ ଅନ୍ୟ ଏକ ଶାଖା ବାହାରି ୨୨ମୌଜାର ଏରଡ଼ାରେ ପୁନର୍ବାର ଦେବୀ ନଦୀରେ ମିଶିଛି। ସେହିପରି ଗଳଦାରୀ ଉତ୍ତରପାର୍ଶ୍ବରେ ଭୂଇଁଚିଆ ଓ କଣ୍ଟିଶାଳ ପୂର୍ବରୁ ତଥା କଳାପଣ୍ଡା ଓ ବ୍ରାହ୍ମଣୀଗାଁର ଦକ୍ଷିଣ ପଟୁ ତଅଁଳା ନଦୀ ବାହାରି ୨୨ମୌଜା ଅଞ୍ଚଳକୁ ଘେରି ରହିଛି। ସେମିତି ଯୋହଳ ନିକଟରେ କୁଆଁରିଆ ନଦୀ ଦେବୀରେ ମିଶିଛି। ଦେବୀ ନଦୀରେ ବନ୍ୟା ଆସିଲେ ଢେଉ ମାଡ଼ ହୋଇ ବିପରୀତ ଦିଗକୁ ମୁହାଁଇଥାଏ। ବନ୍ୟାଜଳ ମାଡ଼ରେ କଣ୍ଟିଶାଳରୁ କଳାପଣ୍ଡା ଆଡ଼କୁ ୮କିମି ପର୍ଯ୍ୟନ୍ତ ନଦୀବନ୍ଧ ଅତଡ଼ା ଖାଇ ବିପଦ ସୃଷ୍ଟି କରିଥାଏ। ଏଥିଯୋଗୁଁ ବିଗତ ଦିନରେ ବହୁ ଧନଜୀବନ ହାନି ହୋଇଛି।

ଶହଶହ ଏକର ଚାଷ ଜମି ନଦୀଗର୍ଭରେ ଲୀନ ହୋଇଯାଇଛି। ୨୦୦୬ରେ କଣ୍ଟିଶାଳ ପାଟେଳୀ ନିକଟରେ ପ୍ରଥମ ବନ୍ୟାଜଳ ମାଡ଼ରେ ୧୦୦ ମିଟର ଲମ୍ବ ଅତଡ଼ା ଖସି ନଦୀଗର୍ଭରେ ଲୀନ ହୋଇଯାଇଥିଲା। ସେତେବେଳେ ବାଲିବସ୍ତା ଦ୍ବାରା ବନ୍ଧର ସୁରକ୍ଷା କରାଯାଇଥିଲା। ଏଥିସହ ବୋରିଂ ମାଧ୍ୟମରେ ୫୦ଫୁଟ୍‌ ମାଟି ତଳୁ ବାଲି ଫିଲିଂ କରି ପାଣିଝର ବନ୍ଦ କରାଯାଇଥିଲା। ପରବର୍ତ୍ତୀ ସମୟରେ ନଦୀବନ୍ଧରେ ଲୋ ଓ ହାଇ ଲେଭଲ୍‌ ସ୍ପର୍‌ ନିର୍ମାଣ ସହ ପୁରୁଣା ବନ୍ଧର ଦକ୍ଷିଣ ପାର୍ଶ୍ବରେ ୩କିମି ପର୍ଯ୍ୟନ୍ତ ଆଡ଼ିବନ୍ଧ ବି ନିର୍ମାଣ କରାଯାଇଥିଲା। ସେମିତି ୨୦୦୮ରେ କଣ୍ଟିଶାଳରୁ କଳାପଣ୍ଡା ଆଡ଼କୁ ୩୦୦ ମିଟର ଘେରିବନ୍ଧ ନଦୀଗର୍ଭରେ ଲୀନ ହୋଇଯାଇଥିଲା। ଘେରିବନ୍ଧ ଭୁଶୁଡ଼ିବା ପରେ ଦକ୍ଷିଣ ପାର୍ଶ୍ବରେ ୩ଟି ହାଇଲେଭଲ୍‌ ସ୍ପର୍‌ ନିର୍ମାଣ ସହ ପଥର ପ୍ୟାକିଂ କରାଯାଇଥିଲା। ଗତବର୍ଷ ନାବାର୍ଡ ପକ୍ଷରୁ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ଗଳଦାରୀରୁ ପାରିମାଳ ଦେଇ କଣ୍ଟିଶାଳ ପର୍ଯ୍ୟନ୍ତ ନଦୀବନ୍ଧକୁ ୧୮ ଫୁଟ୍ ଚଉଡ଼ା କରାଯାଇଛି। ଏଥିସହ ମାଟି କାମ ପରେ ମେଟାଲ୍‌ ଓ ମୋରମ୍‌ କାମ ଶେଷ ହୋଇଛି। ଏହାଦ୍ବାରା ବନ୍ୟା ବିପଦ କେତେକାଂଶରେ ଟଳିଛି। ହେଲେ, କୋଟିକୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ୨୨ମୌଜା ବାସିନ୍ଦା ନିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ ମଣିପାରୁ ନାହାନ୍ତି। ଦେବୀ ନଦୀର କଣ୍ଟିଶାଳ ନିକଟରେ ନଦୀର ଓସାର ୩ କିମି ଥିଲା ବେଳେ ୨.୫ କିମି ଲମ୍ବ ଓ ୫୦ ଫୁଟ୍‌ ଓସାର ବାଲିଗଦା ହୋଇଛି। ଏହା ଭିତରେ ପାଇଲଟ୍‌ ଚ୍ୟାନେଲ୍‌ ଦ୍ବାରା ଜଳ ନିଷ୍କାସନର ସୁବ୍ୟବସ୍ଥା କରାଯାଇ କଳାପଣ୍ଡା ନଦୀ ମୁହାଣରେ ବ୍ୟାରେଜ୍‌ ନିର୍ମାଣ ଓ କଣ୍ଟିଶାଳରେ ଆଉ ଦୁଇଟି ହାଇଲେଭଲ୍‌ ସ୍ପର୍‌ ନିର୍ମାଣ କରାଗଲେ ଅଞ୍ଚଳକୁ ସୁରକ୍ଷିତ ରଖି ହେବ ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସେହିପରି ପହଙ୍ଗାରୁ ଶିଖରଘାଟ ପର୍ଯ୍ୟନ୍ତ ୧୩ କିମି ନଦୀବନ୍ଧକୁ ଓସାର କରାଯିବା ସହ ପଥର ପ୍ୟାକିଂ କରାଗଲେ ବନ୍ୟା ଆଶଙ୍କା ଦୂର ହୋଇପାରିବ ବୋଲି ସ୍ଥାନୀୟ ଲୋକମାନେ ପ୍ରକାଶ କରିଛନ୍ତି। ଏଥିପ୍ରତି ପ୍ରଶାସନ ଓ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ୨୨ମୌଜାବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe