Sambad
ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କନକପୁର ଗ୍ରାମପଂଚାୟତର ଦୋକାନ ଘରକୁ ନେଇ ବିଜେଡି ନେତାଙ୍କ ଭିତରେ ଟଣାଓଟରାରୁ ପଞ୍ଚାୟତ ଦୁର୍ନୀତି ହାଟରେ ପଡ଼ି ଦାଣ୍ଡରେ ଗଡ଼ିବା କୌତୂହଳ ସୃଷ୍ଟି କରିଛି। ମାସ ମାସ ଧରି ତାଲା ପଡ଼ିଥିବା ଦୋକାନ ଘରେ ଏକାଧିକ ତାଲା ପଡ଼ିବା ଓ ଶେଷକୁ ତାହା ଭଙ୍ଗାଯିବାରୁ ପଞ୍ଚାୟତ ଦୁର୍ନୀତିର ପେଡ଼ି ଖୋଲିଥିବା ଚର୍ଚ୍ଚାର ବିଷୟ ହୋଇଛି। କୋଭିଡ୍ ସମୟର ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ବ୍ୟବହୃତ ସାମଗ୍ରୀ ସବୁ ବାହାର କରାଯିବା ସତ୍ତ୍ବେ ଝାମେଲା ଭିତରକୁ ନପଶିବାକୁ ପୁଲିସ୍ ନିରାପଦ ଦୂରତାରେ ରହି ମଜା ଦେଖିଲା। ମାମଲା ସୁଦ୍ଧା ରୁଜୁ କଲା ନାହିଁ। ମଣ୍ଡଳ ଉନ୍ନୟନ ଅଧିକାରୀ ମଧ୍ୟ ଖବର ପାଇ ଘଟଣା ସ୍ଥଳକୁ ଗଲେ ନାହିଁ କି କୋଭିଡ୍ ସାମଗ୍ରୀକୁ ଉଦ୍ଧାର କଲେ ନାହିଁ। ଗଣାମଧ୍ୟମ ପ୍ରତିନିଧିମାନେ ପହଞ୍ଚିବାର କିଛି ସମୟ ମଧ୍ୟରେ ଉଦ୍ଧାର ସାମଗ୍ରୀ ସବୁ ଲୁଟ୍ ହୋଇଗଲା। ବନ୍ଦ କୋଠରିରୁ ପଞ୍ଚାୟତ ଦୁର୍ନୀତିର ପେଡ଼ିରେ ଚାରାରୋପଣ ଦୁର୍ନୀତିର ଅଂଶ ଭାବେ ଚାରା ବ୍ୟାଗ୍ସବୁ ବାହାରିଥିଲା। ସେହି ଦୋକାନଗୃହ ତାଲା ଭଙ୍ଗା ଯିବା ପରେ ସାରଦା ଏକାଡେମି ଉଚ୍ଚବିଦ୍ୟାଳୟର ୯ଟା ବେଞ୍ଚ୍ ଓ କୋଭିଡ୍ ସାମଗ୍ରୀ ସମେତ ୪ ଖଟ, ପଙ୍ଖା, ହଜାରୁ ଅଧିକ ଚାରା ବ୍ୟାଗ୍ , ୧୦୦ଟି ନୂଆ ସପ ବଣ୍ଡଲ ଇତ୍ୟାଦି ଗଚ୍ଛିତ ରଖାଯାଇଥିଲା। ଏସବୁ ପୂର୍ବତନ ସରପଞ୍ଚଙ୍କ ଅମଳରୁ ଗଚ୍ଛିତ ଥିବା ଅଭିଯୋଗ ହୋଇଛି। ଉକ୍ତ ୨ ନମ୍ବର ଦୋକାନ ଘରଟି ୨୦୦୦ ମସିହାରୁ ବିଶିଷ୍ଟ ଔଷଧ ବ୍ୟବସାୟୀ ବିଜେଡି ନେତା ସ୍ୱର୍ଗତ ବିପିନ ବିହାରୀ ଦାସଙ୍କୁ ହସ୍ତାନ୍ତର କରାଯାଇଥିଲା।
କିନ୍ତୁ ତାହା କେବଳ ତାଲା ପଡ଼ି ରହିଥିଲା। ପରବର୍ତୀ ସମୟରେ ପୂର୍ବତନ ସରପଞ୍ଚଙ୍କ ସ୍ବାମୀ ନୃସିଂହ ରାଉଳ ସେହି ଦୋକାନ ଘରେ ଆଉ ଏକ ତାଲା ପକାଇ ରଖିଥିଲେ। ଏପରିକି ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ତେବେ ସେଠାରେ ଔଷଧ ଦୋକାନ ଖୋଲିବାକୁ ସ୍ବର୍ଗତ ବିପିନ ବିହାରୀ ଦାସଙ୍କ ଧର୍ମପତ୍ନୀ ସସ୍ମିତା ଦାସ ତାଲା ପଡ଼ିଥିବା ଦେଖି ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କୁ କହିବାରୁ ଟଣା ଓଟରା ଆରମ୍ଭ ହୋଇଥିଲା। ଶେଷକୁ ଜିଲ୍ଲାପରିଷଦ ସଭ୍ୟ ସୁନୀଲ ବେହେରା, ପୂର୍ବତନ ସରପଞ୍ଚ ବିଜୟ କୁମାର ନାୟକ, ଯୁବନେତା ସୁମିତ ଦାସ, ପୂର୍ବତନ ସମିତି ସଭ୍ୟ ଅଜୟ କୁମାର ରାଉଳ, ଅଶୋକ ମହାନ୍ତି, ମୋନ୍ନାଦିର ସାଦିକ ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ଦୋକାନ ଗୃହର ସଟର ତଡା ଯାଇଥିଲା। ସେଥିରୁ ବିପୁଳ ପରିମାଣର କୋଭିଡ୍ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରର ସାମଗ୍ରୀ ଥିବା ଦେଖିବାକୁ ମିଳିଥିଲା। ତେବେ ସେଗୁଡ଼ିକୁ ପୁଲିସ୍ କିମ୍ବା ବିଡିଓଙ୍କୁ ହସ୍ତାନ୍ତର କରାଯାଇ ନଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, କୋଭିଡ୍ ସମୟରେ ସରକାରଙ୍କ ଅନୁଦାନରେ କିଣାଯାଇଥିବା ଖଟ, ବେଞ୍ଚ, ଆକ୍ବାଗାର୍ଡ଼, ଇନଭର୍ଟର୍ ସମେତ ଅନେକ ସାମଗ୍ରୀର ଅଦ୍ୟାବଧି କୌଣସି ହିସାବ ନାହିଁ। ଯାହା ଦିବାଳୋକରେ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏପରି ସ୍ଥଳେ ବିଡିଓ ମଧ୍ୟ ଦୁର୍ନୀତିକୁ ଚପାଇବାକୁ ଉଦ୍ୟମ କରିଛନ୍ତି। ବର୍ତମାନର ସରପଞ୍ଚ କହିଛନ୍ତି ଏପର୍ଯ୍ୟନ୍ତ ତାଙ୍କୁ ପଞ୍ଚାୟତ ଷ୍ଟକ୍ ରେଜିଷ୍ଟର୍ ହସ୍ତାନ୍ତର କରାଯାଇନାହିଁ। ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିଲେ ସୁଦ୍ଧା ସେ ନିରବ। ଜିଲ୍ଲାପାଳ ଏହି ଘଟଣାର ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେବା ସହ କୋଭିଡ୍ ସାମଗ୍ରୀ ଚୋରି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ଏତଲା ପାଇଁ ନିର୍ଦ୍ଦେଶ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
Follow Us