Sambad
ପଟ୍ଟାମୁଣ୍ତାଇ: ପଟ୍ଟାମୁଣ୍ଡାଇ ସହରରୁ ମାତ୍ର ୩ କିମି ଦୂରରେ ରହିଛି ୨ ନମ୍ବର ୱାର୍ଡ। ଷଣ୍ଢପଲ୍ଲୀ ରାଜସ୍ବ ଗ୍ରାମକୁ ନେଇ ଏହି ୱାର୍ଡ ଗଠିତ। ଏହି ୱାର୍ଡର ଜନସଂଖ୍ୟା ପାଖାପାଖି ୨ ହଜାରରୁ ଅଧିକ। ଏହି ଗ୍ରାମରେ ପୌରାଞ୍ଚଳର ୧ ଓ ୨ ନମ୍ବର ୱାର୍ଡ ରହିଛି। ଗ୍ରାମଟି ସହରାଞ୍ଚଳର ମାନ୍ୟତା ପାଇଥିଲେ ବି ଏହା ଗ୍ରାମାଞ୍ଚଳଠୁ ସଂଗିନ୍ ସ୍ଥିତିରେ ରହିଛି। ନିର୍ବାଚନ ପରେ ନିର୍ବାଚନ ଆସିଛି ହେଲେ ୱାର୍ଡବାସୀଙ୍କ କୌଣସି ପରିବର୍ତ୍ତନ ହୋଇନାହିଁ। ଶିକ୍ଷା, ଗମନାଗମନ, ଆଲୋକ, ପାନୀୟଜଳ ଏଠାକାର ମୁଖ୍ୟ ସମସ୍ୟା। ଗାଁ ରାସ୍ତାରୁ ବର୍ଷା ଜଳ ନିଷ୍କାସନ ହୋଇ ନ ପାରି ବର୍ଷା ସମୟରେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହୁଛି। ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ହୋଇ ପାରୁନାହିଁ। ସେହିପରି ଷଣ୍ଢପଲ୍ଲୀ ଗ୍ରାମରେ ଏକ ନୋଡାଲ ଉପ୍ରବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ ୧ମରୁ ୮ ଶ୍ରେଣୀ ଥିବା ବେଳେ କୌଣସି ସ୍ଥାୟୀ ପ୍ରଧାନଶିକ୍ଷକ ୧୦ ବର୍ଷ ହେବ ନାହାନ୍ତି। ସ୍କୁଲର ଗୋଟିଏ ଘର ବିପଦସଂକୁଳ ଅବସ୍ଥାରେ ରହିଛି। ଯେଉଁଠାରେ ୩ଶହରୁ ଅଧିକ ପିଲା ପାଠ ପଢ଼ନ୍ତି।
ସ୍ଥାୟୀ ପ୍ରଧାନଶିକ୍ଷକ ନିଯୁକ୍ତି ପାଇଁ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଗାଁ ଲୋକେ ଏକାଧିକବାର ଜଣାଇଥିଲେ ମଧ୍ୟ ଏହାର କୌଣସି ପ୍ରତିକାର ମଧ୍ୟ କରାଯାଉନାହିଁ। ଗାଁର ବହୁ ସ୍ଥାନ ଅନ୍ଧାରରେ ରହୁଛି। ଘରପିଛା ୫୦ଟଙ୍କା ବିଜୁଳି କର ପୌରପାଳିକା ଆଦାୟ କରୁଥିବା ବେଳେ ଠିକ ସମୟରେ ଲାଇଟ ମରାମତି କରାଯାଉ ନ ଥିବାରୁ ଅଧିକାଂଶ ସ୍ଥାନ ଅନ୍ଧାରରେ ରହୁଛି। ସେହିପରି ପାନୀୟ ଜଳ ଯୋଗାଣ ପାଇଁ ଗୋଟିଏ ବୋରୱେଲ ଥିବା ବେଳେ ଟାଙ୍କି ନାହିଁ। ବିଜୁଳି ଗଲେ ଲୋକମାନେ ନଳକୂପ ଉପରେ ନିର୍ଭରକରି ଚଳନ୍ତି। ଭାଗବତଘର ପଡାରେ ୬ଶହ ଲୋକମାନଙ୍କ ପାଇଁ ଗୋଟିଏ ନଳକୂପ ରହିଛି। ସେହିପରି ସହରୁ ଯାଇଥିବା ମୁଖ୍ୟ ୩ କିମି ରାସ୍ତା ମରଣଯନ୍ତା ପାଲଟିଛି। ଏକାଧିକ ଅଭିଯୋଗ ପରେ ମଧ୍ୟ ଏହାର ମରାମତି କରାଯାଉନାହିଁ।
Follow Us