ଫେଲ୍‌ ମାରିଛି ‘ଜାଗା ମିସନ’: ନବେ ପ୍ରତିଶତଙ୍କୁ ମିଳିନି ପଟ୍ଟା, ଆବାସ ତୋଳିବାକୁ ବାଧା ଜମି ବିବାଦ

Advertisment
ଫେଲ୍‌ ମାରିଛି ‘ଜାଗା ମିସନ’: ନବେ ପ୍ରତିଶତଙ୍କୁ ମିଳିନି ପଟ୍ଟା, ଆବାସ ତୋଳିବାକୁ ବାଧା ଜମି ବିବାଦ

Sambad

ପଟ୍ଟାମୁଣ୍ତାଇ: ସହରାଂଚଳ ବସ୍ତିରେ ରହୁଥିବା ଲକ୍ଷାଧିକ ଗରିବ ଲୋକଙ୍କୁ ଜାଗା ଯୋଗାଇ ଦିଆଯିବ। ସେମାନଙ୍କୁ ବାସଚ୍ୟୁତ ହେବାର ଭୟ ରହିବନି। ଏଭଳି ଲକ୍ଷ୍ୟ ନେଇ ସରକାର ୨୦୧୮ରେ ଆରମ୍ଭ କରିଥିଲେ ଜାଗା ମିସନ। ସରକାରଙ୍କ ଏହି ଯୋଜନାକୁ ଆନ୍ତର୍ଜାତୀୟ ସ୍ତରରେ ‘ୱାର୍ଲଡ ହାବିଟାଟ୍ ଆୱାର୍ଡ’ ବି ମିଳି ସାରିଛି। ସରକାର ଏଥିପାଇଁ ପ୍ରଶଂସା ସାଉଁଟିଛନ୍ତି। ହେଲେ, ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଏହି ଯୋଜନାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଯୋଜନାର ବର୍ଷକ ପରେ ଏଠାରେ ଚିହ୍ନଟ ୨୦୯ ହିତାଧିକାରୀଙ୍କ ମଧ୍ୟରୁ ୧୮୩ ଜଣଙ୍କୁ ଏଯାଏ ଜମି ପଟ୍ଟା ମିଳି ପାରିନାହିଁ। ଯେଉଁମାନେ ପଟ୍ଟା ପାଇଛନ୍ତି ଜମି ବିବାଦ ଯୋଗୁ ସେମାନେ ଘର ବି ତୋଳି ପାରୁ ନାହାନ୍ତି। ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ଜାଗା ମିସନ ଭଳି ଗୁରୁତ୍ବପୂର୍ଣ୍ଣ ଯୋଜନା ଆରମ୍ଭରୁ ଫେଲ୍‌ ମାରିଛି। ଫଳରେ ସହରୀ ଗରିବ ହିତାଧିକାରୀ ଜମି ପଟ୍ଟା ପାଇ ପାରୁ ନାହାନ୍ତି। ଏହି ଯୋଜନା ସହରୀ ଗରିବମାନଙ୍କ ପାଇଁ ଅପହଂଚ ହୋଇଛି। ସେମାନଙ୍କୁ ଜବଦଖରଲରୁ ମୁକ୍ତି ମଳିବ, ଛପର ଘର ଜାଗାରେ ଗଢି ଉଠିବ କୋଠାଘର.. ଏଭଳି ସ୍ବପ୍ନ ଦେଖୁଥିବା ପଟ୍ଟାମୁଣ୍ତାଇ ପୌରପାଳିକାର ବସ୍ତି ବାସିନ୍ଦାଙ୍କ ସ୍ବପ୍ନ କେବଳ ସ୍ବପ୍ନରେ ରହିଯାଇଛି। ଏଠାରେ ଜାଗା ମିସନ ଯୋଜନାରେ ଚିହ୍ନଟ ହିତାଧିକାରୀମାନଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ଗରିବଙ୍କୁ ପଟ୍ଟା ମିଳିଥିବା ବେଳେ ଜମି କେଳେଙ୍କାରୀ ଯୋଗୁ ଅନ୍ୟମାନଙ୍କୁ ପଟ୍ଟା ଦିଆଯାଇପାରୁ ନାହିଁ। ଯେଉଁ ୧୦ ପ୍ରତିଶତ ଲୋକ ପଟ୍ଟାପାଇଛନ୍ତି ସେମାନଙ୍କ ପାଇଁ ବର୍ଷ ହେବ ଆବାସ ଯୋଜନା ଘର ଅପହଂଚ ହୋଇ ପଡିଛି। ଜାଗା ମିସନ ଯୋଜନାର ବର୍ଷକ ପରେ ଚିହ୍ନଟ ୨୦୯ ହିତାଧିକାରୀଙ୍କ ମଧ୍ୟରୁ ୧୮୩ ଜଣଙ୍କୁ ଜମି ପଟ୍ଟାମିଳିନାହିଁ। ପଟ୍ଟା ପାଇଁ ସହରୀ ଭୂମିହୀନ ହିତାଧିକାରୀ ମ୍ୟୁନିସିପାଲିଟିରୁ ତହସିଲ, ତହସିଲରୁ ମ୍ୟୁନିସିପାଲିଟି ଅଫିସ ଦୌଡୁଛନ୍ତି।

ଏପଟେ ପଟ୍ଟା ପାଇଥିବା ୨୬ ଜଣଙ୍କୁ ଏ ଯାଏ ଆବାସ ଯୋଜନାରେ ଘର ନ ମିଳିବା ପ୍ରଶ୍ନର ବିଷୟ ହୋଇଛି। ସୂଚନା ଅନୁସାରେ, ପଟ୍ଟାମୁଣ୍ତାଇ ପୌରାଞ୍ଚଳର ୨୦ଟି ୱାର୍ଡର ୨୦୯ ଜଣ ହତିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଗତ ନଭେମ୍ବର ମାସରେ ମ୍ୟୁନିସିପାଲିଟି କଲ୍ୟାଣ ମଣ୍ତପଠାରେ ୨୬ ଜଣଙ୍କୁ ପଟ୍ଟା ବଂଟନ କରାଯାଇଥିଲା। ତା’ପରଠାରୁ ପଟ୍ଟା ବଂଟନରେ ଜମି ବାଧକ ସାଜିଛି। ଚିହ୍ନଟ ହତିତାଧିକାରୀ ଯେଉଁ ସବୁ ବସ୍ତିରେ ରହୁଛନ୍ତି ସେ ସବୁ ଜମିର ମାଲିକାନା ଜଳସେଚନ, ରାସ୍ତା ଓ ଜଳାଶୟ କିସମ ରହିଛି। ମ୍ୟୁନିସିପାଲିଟି ଅଧୀନକୁ ଜମି ନ ଆସିଲେ କର୍ତ୍ତୃପକ୍ଷ ହିତାଧିକାରୀଙ୍କୁ ପଟ୍ଟା ବାଂଟି ପାରିବେ ନାହିଁ। ଏଭଳି ସ୍ଥିତିରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ରାଜସ୍ବ ବିଭାଗକୁ ଚିଠି ପରେ ଚିଠି ଲେଖି ଚାଲିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଚିଠିର ଉତ୍ତର ଦେଉ ନାହାନ୍ତି। ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଜମି ସମସ୍ୟାକୁ ଆଳ କରି କର୍ତ୍ତବ୍ୟ ସାରିଥିବା ବେଳେ ସହରୀ ଗରିବଙ୍କ ହିନସ୍ତା ବଢିବାରେ ଲାଗିଛି। ଚିହ୍ନଟ ‌ହୋଇଥିବା ହିତାଧିକାରୀ ଇନ୍ଦିରା କଲୋନୀ ଓ ଷଣ୍ତପଳ୍ଲୀ ବସ୍ତି ବାସିନ୍ଦାମାନେ ଥଇଥାନ ହେବାକୁ ଥିବା ମହାବୀଣା ସ୍ଥାନକୁ ଯିବାକୁ ମନା କରି ଦେଇଛନ୍ତି। ଫଳରେ ଜାଗା ମିସନ ଯୋଜନା ଏଠାରେ ଫିକା ପଡିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe