କାଜୁଜଙ୍ଗଲ ନିଲାମକୁ ନେଇ ବୋମାମାଡ଼ : ଅଳ୍ପକେ ବର୍ତିଲେ ପୋସ୍କୋ ସପକ୍ଷବାଦୀ ନେତା

Advertisment

ପୋର୍ଟିକୋ କ୍ଷତିଗ୍ରସ୍ତ, ଅଫୁଟା ବୋମା ଉଦ୍ଧାର

ପୋର୍ଟିକୋ କ୍ଷତିଗ୍ରସ୍ତ, ଅଫୁଟା ବୋମା ଉଦ୍ଧାର

କାଜୁଜଙ୍ଗଲ ନିଲାମକୁ ନେଇ ବୋମାମାଡ଼ : ଅଳ୍ପକେ ବର୍ତିଲେ ପୋସ୍କୋ ସପକ୍ଷବାଦୀ ନେତା

କୁଜଙ୍ଗ : କାଜୁ ଜଙ୍ଗଲ ନିଲାମକୁ ନେଇ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ତଥା ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁରେ ବୋମାମାଡ଼ ହୋଇଛି। ଜଣାଶୁଣା ସମାଜସେବୀ ଓ ପୋସ୍କୋ ସପକ୍ଷବାଦୀ ନେତା ତାମିଲ ପ୍ରଧାନଙ୍କୁ ଲକ୍ଷ୍ୟ କରି ଗତକାଲି ରାତିରେ ଏହି ବୋମାମାଡ଼ କରାଯାଇଛି। ମାତ୍ର ଲକ୍ଷ୍ୟଭ୍ରଷ୍ଟ ହେବାରୁ ବୋମାଟି ତାଙ୍କ ଘର ସମ୍ମୁଖ ପୋର୍ଟିକୋରେ ବାଜିବାରୁ ଶ୍ରୀ ପ୍ରଧାନ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ମାତ୍ର ମାଡ଼ରେ ପୋର୍ଟିକୋ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଏସଂପର୍କରେ ଆଜି ଶ୍ରୀ ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ସରଜମିନ ତଦନ୍ତ କରି ଫେରିଛି। ତଦନ୍ତ ବେଳେ ପୁଲିସ୍‌ ଗୋଟିଏ ଅଫୁଟା ବୋମା ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରସ୍ଥିତ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗତକାଲି ନୂଆଗାଁ ନିକଟ ବଡ଼ତଣ୍ଡା କାଜୁ ଜଙ୍ଗଲର ନିଲାମ କରାଯାଇଥିଲା। ଏଥିରେ ଭାଗ ନେବା ପାଇଁ ନୂଆଗାଁ ଗ୍ରାମର ପ୍ରାୟ ୩୦ ଜଣ ଲୋକ ଯାଇଥିଲେ। ଏହି ସମୟରେ କେହି ଜଣେ ୭୬୩୭୮୮୯୩୬୬ ନମ୍ବରରେ ଫୋନ୍‌ କରି ନିଲାମରେ ଭାଗ ନେବାକୁ ଯାଇଥିବା ଲୋକମାନଙ୍କୁ ଧମକ ଦେବା ସହ ଚାନ୍ଦା ଦେବାକୁ ଦାବି କରିଥିଲା। ନିଲାମ ଶେଷ ହେବା ପରେ କେତେକ ଯୁବକ ସେଠାକୁ ଯାଇଥିବା ନୂଆଗାଁବାସୀଙ୍କୁ ବଳପୂର୍ବକ ଅଟକ ରଖିଥିଲେ। ଏ ସମ୍ପର୍କରେ ସେମାନେ ଫୋନ୍‌ ଯୋଗେ ତାମିଲ ପ୍ରଧାନଙ୍କୁ ଜଣାଇଥିଲେ। ଏହାପରେ ଶ୍ରୀ ପ୍ରଧାନ କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଫୋନ୍‌ କରି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ସହାୟତା ଯୋଗାଇ ଦେବାକୁ ନିବେଦନ କରିଥିଲେ। ଏସ୍‌ପିଙ୍କ ହସ୍ତକ୍ଷେପ ଫଳରେ ତତ୍‌କ୍ଷଣାତ ସେମାନଙ୍କୁ ଆବଶ୍ୟକ ସୁରକ୍ଷା ପ୍ରଦାନ କରାଯାଇ ନିରାପଦରେ ଘରକୁ ଯିବାର ବ୍ୟବସ୍ଥା କରାଯାଇଥିଲା।

ଅନ୍ୟପଟେ ଦାବି ମୁତାବକ ଚାନ୍ଦା ନ ମିଳିବାରୁ ଅଜ୍ଞାତ ବ୍ୟକ୍ତିଜଣକ ଶ୍ରୀ ପ୍ରଧାନଙ୍କୁ ମଧ୍ୟ ଫୋନ୍‌ କରି ଗାଳିଗୁଲଜ କରିବା ସହ ଧମକ ଦେଇଥିଲା। ରାତି ପ୍ରାୟ ୮ଟାରେ ବାଇକ୍‌ରେ ଦୁଇଜଣ ଯୁବକ ଆସି ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ମାତ୍ର ସୌଭାଗ୍ୟବଶତଃ ସେ ବର୍ତ୍ତି ଯାଇଥିଲେ। ଏ ନେଇ ଥାନାରେ ଅଭିଯୋଗ ପରେ ବିଭିନ୍ନ ଦଫାରେ ଏକ ମାମଲା (କେସ୍‌ ନଂ-୬/୧୮) ରୁଜୁ କରାଯାଇଛି। ଅପରାଧୀଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ଅଭୟଚାନ୍ଦପୁର ଥାନାଧିକାରୀ ମନୋରଞ୍ଜନ ଚୋଧୁରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe