୨୩ରୁ ମାଟ୍ରିକ ପରୀକ୍ଷା:କେନ୍ଦ୍ରକୁ ପ୍ରଶ୍ନପତ୍ର ଆସିବ,ସୁରକ୍ଷା କଡ଼ାକଡ଼ି

Advertisment
ଫନି ପାଇଁ ଘୁଞ୍ଚିଲା: ମେ’ ଦ୍ବିତୀୟ ସପ୍ତାହରେ ମାଟ୍ରିକ୍ ଫଳ

ପାରାଦୀପ,: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫେବ୍ରୁଆରି ୨୩ ଅର୍ଥାତ୍‌ ଆସନ୍ତା ଶୁକ୍ର୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ର୍ରକ୍ରିୟା ଶେଷ ହୋଇଛି। ପରୀକ୍ଷାକୁ ସୁରୁଖୁରୁରେ ଶେଷ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଶୁକ୍ରବାର ପରୀକ୍ଷା ଆରମ୍ଭ ହେବାକୁ ଥିବାରୁ ୨୨ତାରିଖ ଦିନ ଜିଲ୍ଲାର ୮ଟି ବ୍ଲକ୍‍ରେ ଥିବା ୭ଟି ନୋଡାଲ ସେଣ୍ଟର୍‌ରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ନୋଡାଲ ସେଣ୍ଟର୍‌ରେ ପ୍ରଶ୍ନପତ୍ର ଥିବାରୁ ବର୍ତ୍ତମାନ ସେଠାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆସନ୍ତାକାଲି ଜିଲ୍ଲାର ସମସ୍ତ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଆସିବାକୁ ଥିବାରୁ ପ୍ରଶ୍ନପତ୍ର ଗାଡ଼ି ସହ ସଶସ୍ତ୍ର ପୁଲିସ ମଧ୍ୟ ରହିବେ। ଚଳିତବର୍ଷ ପରୀକ୍ଷାରେ କୌଣସି ପ୍ରକାର ବିଶୃଙ୍ଖଳା ଯେପରି ସୃଷ୍ଟି ନ ହୁଏ, ସେଥିପାଇଁ ମାଧ୍ୟମିକ ପରିଷଦ ପକ୍ଷରୁ ତୀକ୍ଷ୍‍ଣ ନଜର ରଖାଯାଇଛି।

ପରୀକ୍ଷାରେ କପି ରୋକିବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରତିଭା ମଂଜରୀ ଦାସଙ୍କ ପକ୍ଷରୁ ଦୁଇଟି ସ୍କ୍ଵାଡ୍‍ ଗଠନ କରାଯିବା ସହ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସେଣ୍ଟ୍ରାଲ ସ୍କ୍ଵାଡ୍‍ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସ୍କ୍ଵାଡ୍‍ ଜିଲ୍ଲାରେ ପଇଁତରା ମାରିବେ। କେବଳ ସେତିକି ନୁହେଁ, ପରୀକ୍ଷାରେ ଅଧିକ ସ୍ୱଚ୍ଛତା ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କୁ ମଧ୍ୟ ଦାୟିତ୍ଵ ଦିଆଯାଇଛି। ଚଳିତବର୍ଷ ପିଲାମାନେ ନିଜ ସ୍କୁଲ ପରିବର୍ତ୍ତେ ୫ରୁ ୧୦କିଲୋମିଟର ଦୂରରେ ଥିବା କେନ୍ଦ୍ରରେ ପରୀକ୍ଷା ଦେବାପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ୮ଟି ବ୍ଲକ୍‍ରେ ମୋଟ୍‍ ୭ଟି ନୋଡାଲ ସେଣ୍ଟର କରାଯାଇଛି।

ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାଲିକୁଦା ଉଚ୍ଚ ବିଦ୍ୟାଳୟ, ବରିଡ଼ି ପଞ୍ଚାୟତିରାଜ ହାଇସ୍କୁଲ, ରଘୁନାଥପୁର ପୂର୍ଣ୍ଣଚନ୍ଦ୍ର ବିଦ୍ୟାମନ୍ଦିର, କୁଜଙ୍ଗ ବନ ବିହାରୀ ହାଇସ୍କୁଲ, ଏରସମା ଉଚ୍ଚ ବିଦ୍ୟାଳୟ ଓ ତିର୍ତ୍ତୋଲ ମଣିଚରଣ ଶାରଳା ଏକାଡେମୀରେ ନୋଡାଲ ସେଣ୍ଟର କରାଯାଇଛି। ଚଳିତବର୍ଷ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ୯୪ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ତା’ଛଡ଼ା, ଚଳିତଥର କରାଯାଇଥିବା ନୂତନ ବ୍ୟବସ୍ଥା ମୁତାବକ ମାଟ୍ରିକ୍‍ ପରୀକ୍ଷା ସହ ମଦ୍ରାସା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ଏକ ସମୟରେ ପରୀକ୍ଷା ଦେବେ। ଜିଲ୍ଲାରେ ରେଗୁଲାର ପରୀକ୍ଷାର୍ଥୀଙ୍କ ପାଇଁ ୮୭ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ଦୁଇଟି କେନ୍ଦ୍ରରେ ମଧ୍ୟମା, ୪ଟିରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ଗୋଟିଏ ପରୀକ୍ଷା କେନ୍ଦ୍ରରେ ମଦ୍ରାସା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ।

ଆସନ୍ତା ୨୩ରୁ ପରୀକ୍ଷା ଆରମ୍ଭ ହୋଇ ୮ତାରିଖରେ ଶେଷ ହେବ। ଜିଲ୍ଲାରେ ଚଳିତବର୍ଷ ରେଗୁଲାର ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୫,୭୮୯, ଏକ୍ସ-ରେଗୁଲାର ୩୮୬, ପତ୍ର ବିନିମୟ ପାଠ୍ୟକ୍ରମରେ ରେଗୁଲାର ପରୀକ୍ଷାର୍ଥୀ ୧୧୬, ପତ୍ର ବିନିମୟ ପାଠ୍ୟକ୍ରମରେ ରେଗୁଲାର(ସଂସ୍କୃତ ଟୋଲ)ରେ ୧୦୨, ମଧ୍ୟମା ଏକ୍ସ-ରେଗୁଲାର ୩୬ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୩୮୮ ରହିଛି। ଏହାଛଡ଼ା ଏସ୍‍ଓଏସ୍‍ସିରେ ଗତବର୍ଷ କୌଣସି କାରଣରୁ ପରୀକ୍ଷା ଦେଇ ପାରିନଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୩୯ ରହିଛି। ଅର୍ଥାତ୍‌ ଜିଲ୍ଲାରେ ସର୍ବମୋଟ୍‍ ୧୬,୯୬୧ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍‍ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe