ପୌରପାଳିକା ଉପ-ନିର୍ବାଚନ:ପ୍ରବଳ ଥଣ୍ଡା ସତ୍ତେ୍ଵ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସ୍ତିରେ ନେତା

Advertisment

ମଇଦାନକୁ ଓହ୍ଲାଇଲେ ଦାମ

ମଇଦାନକୁ ଓହ୍ଲାଇଲେ ଦାମ

ପୌରପାଳିକା ଉପ-ନିର୍ବାଚନ:ପ୍ରବଳ ଥଣ୍ଡା ସତ୍ତେ୍ଵ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସ୍ତିରେ ନେତା

ପାରାଦୀପ: ପାରାଦୀପ ପୌରପାଳିକା ଉପ ନିର୍ବାଚନକୁ ଆଉ ମାତ୍ର ୫ଦିନ ରହିଲା। ହାତରେ ବହୁତ କମ୍‍ ସମୟ ଥିବାରୁ ତିନି ପ୍ରମୁଖ ରାଜନୈତିକ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି। ପ୍ରବଳ ଥଣ୍ଡା ସତ୍ତେ୍ଵ ନେତାମାନେ ଓ୍ଵାର୍ଡରେ ବୁଲି ବୁଲି ପ୍ରଚାର କରୁଛନ୍ତି। ବିଶେଷ କରି ବାଉରିଆପାଳନ୍ଦା ବସ୍ତି ସମସ୍ତଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଥିବାରୁ ସେଠାରେ ନେତାଙ୍କ ଭିଡ଼ ଜମିଛି। ପ୍ରବଳ ଥଣ୍ଡା ସତ୍ତେ୍ଵ ବିଳମ୍ବିତ ରାତିି ପର୍ଯ୍ୟନ୍ତ ନେତାମାନେ ଏଠାରେ ପ୍ରଚାର କରୁଥିବା ଦେଖାଯାଉଛି। ବସ୍ତି ବାସିନ୍ଦାଙ୍କୁ ଆକୃଷ୍ଟ କରିବା ପାଇଁ ସବୁ ଦଳର ନେତା ପ୍ରୟାସ ଜାରି ରଖିଥିବା ବେଳେ ଶାସକ ଦଳ ନିଜର ସମ୍ମାନ ବଞ୍ଚାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛି। ସ୍ଥାନୀୟ ନେତାମାନେ ଏଠାରେ ଡେରା ପକାଇ ରହୁଥିବା ବେଳେ ମଇଦାନକୁ ଓହ୍ଲାଇଛନ୍ତି ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ଦାମୋଦର ରାଉତ। ଏହାସହ ଶ୍ରୀ ରାଉତଙ୍କ ପୁଅ ତଥା ଯୁବ ନେତା ସମ୍ବିତ ରାଉତରାୟ ଓ ସାଂସଦ କୁଳମଣି ସାମଲଙ୍କ ସମେତ ଅନ୍ୟ ବୟୋଜ୍ୟେଷ୍ଠ ନେତାମାନେ ବାଉରିଆପାଳନ୍ଦାରେ ପହଞ୍ଚି ପ୍ରଚାରରେ ସାମିଲ ହୋଇଛନ୍ତି।
ଆଜି ସନ୍ଧ୍ୟାରେ ବିଧାୟକ ଡାକ୍ତର ଦାମୋଦର ରାଉତ ବାଉରିଆପାଳନ୍ଦାରେ ପହଞ୍ଚି ପ୍ରଚାର ଆରମ୍ଭ କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସେ ବସ୍ତି ବାସିନ୍ଦାମାନଙ୍କୁ ଅବଗତ କରାଇବା ସହ ଆଗାମୀ ଦିନରେ ମିଳିବାକୁ ଥିବା ଆହୁରି ଅଧିକ ସୁବିଧା ସମ୍ପର୍କରେ ବୁଝାଉଛନ୍ତି। ସାଂସଦ କୁଳମଣି ସାମଲ କହିଛନ୍ତି ଯେ, ବସ୍ତିରେ ଥିବା ବିଭିନ୍ନ ସମସ୍ୟା ଦୂର କରାଯାଇଛି। ବିଶେଷ କରି ପୂର୍ବରୁ ଥିବା ବିଜୁଳି ଓ ପାନୀୟ ଜଳ ସମସ୍ୟାକୁ ଦୂର କରାଯାଇଛି। ଆଉ ଯାହା ବି କିଛି ସମସ୍ୟା ରହିଛି ଖୁବ୍‌ ଶୀଘ୍ର ସେଗୁଡ଼ିକର ସମାଧାନ କରାଯିବ। ଏଣୁ ବିଜେଡି ପ୍ରାର୍ଥୀ ଏଠାରେ ନିଶ୍ଚିତ ବିଜୟୀ ହେବେ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା, ସମସ୍ତଙ୍କ ନଜରର କେନ୍ଦ୍ରବିନ୍ଦୁ ଥିବା ବିଧାୟକ ଡାକ୍ତର ରାଉତ ଆଜି ପାରାଦୀପରେ ପହଞ୍ଚି ଦଳୀୟ ନେତାଙ୍କ ସହ ଗୁପ୍ତ ମନ୍ତ୍ରଣା କରିଥିବା ବେଳେ ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ପର୍କରେ ବୁଝାଇଛନ୍ତି।

ଗତକାଲି ଯୁବ ନେତା ସମ୍ବିତ ମଧ୍ୟ ଏହି ଓ୍ଵାର୍ଡରେ ପ୍ରଚାର କରୁଥିବା ଦେଖାଯାଇଥିଲା। ଓ୍ଵାର୍ଡ ନମ୍ବର ୬ ବର୍ତ୍ତମାନ ସବୁ ଦଳ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। କୌଣସି ଦଳ ନିଜର ବିଜୟକୁ ସୁନିଶ୍ଚିତ କରିପାରୁ ନାହାନ୍ତି। ତଥାପି ନିଜ ନିଜ ଦଳ ସମର୍ଥନରେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନଙ୍କୁ ବିଜୟୀ କରାଇବାକୁ ଚେଷ୍ଟା ଚଳାଇଛନ୍ତି। ବିଜେପିର ମଙ୍ଗ ସମ୍ଭାଳିଛନ୍ତି ସ୍ଥାନୀୟ ନେତା ନିର୍ମଳ ସ୍ୱାଇଁ ଓ ତାଙ୍କ ପୁତ୍ର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସମ୍ପଦ ସ୍ୱାଇଁ। ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ଶାସକ ଦଳର ବିଫଳତା ଓ ଉକ୍ତ ଓ୍ଵାର୍ଡରେ ଦୀର୍ଘଦିନ ଧରି ଥିବା ସମସ୍ୟାକୁ ପ୍ରସଙ୍ଗ କରିଛି ବିଜେପି। ସେପଟେ, କଂଗ୍ରେସ ନେତା ବାପି ସର୍ଖେଲ ଓ ଓ୍ଵାର୍ଡ ଦାୟିତ୍ଵରେ ଥିବା ପୂର୍ବତନ ପାରିଷଦ କେଦାର ଜେନା ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି। ରାଜ୍ୟ ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରିଛି କଂଗ୍ରେସ। ଦଳ ପାଇଁ ଏହା ଏକ ଭଲ ସୁଯୋଗ ରହିଛି ବୋଲି ନେତାମାନେ ଆଶା ରଖିଛନ୍ତି। ଏଥିପାଇଁ ପ୍ରବଳ ଥଣ୍ଡାକୁ ଖାତିର ନ କରି ବାପି ଓ ତାଙ୍କ ସମର୍ଥକମାନେ ପ୍ରଚାର ଚଳାଇଛନ୍ତି। ସବୁ ଦଳ ଓ ନେତାଙ୍କ ପାଇଁ ଏହି ନିର୍ବାଚନ କଡ଼ା ପରୀକ୍ଷାର ପ୍ରସଙ୍ଗ ପାଲଟିଛି। ଏଣୁ ପାରାଦୀପରେ ରାଜନୀତି ଏବେ ଚଳଚଂଚଳ ହୋଇ ଉଠିଛି। ଓ୍ଵାର୍ଡ ନମ୍ବର ୬ରେ ଥିବା ୧୮୬୨ଭୋଟର କାହାକୁ ନେତା ବାଛିବେ ତରହା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe