ଏରସମାରେ ରାବଣ ପୋଡ଼ି ରାଜନୀତି : ଦାମ ସମର୍ଥକଙ୍କ ରାସ୍ତାରୋକ, ବନ୍ଦ ପାଳନ

Advertisment

ପ୍ରଶାନ୍ତ, ଅଶୋକ, ଅନୁଭବଙ୍କ ଗାଡ଼ିକୁ ଅଣ୍ଡାମାଡ଼

ପ୍ରଶାନ୍ତ, ଅଶୋକ, ଅନୁଭବଙ୍କ ଗାଡ଼ିକୁ ଅଣ୍ଡାମାଡ଼

ଏରସମାରେ ରାବଣ ପୋଡ଼ି ରାଜନୀତି : ଦାମ ସମର୍ଥକଙ୍କ ରାସ୍ତାରୋକ, ବନ୍ଦ ପାଳନ

ଜଗତସିଂହପୁର/ଏରସମା : ରାବଣପୋଡ଼ିକୁ ନେଇ ଜୋର ଧରିଛି ଏରସମା ରାଜନୀତି। ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ଗତକାଲି ରାବଣ ପୋଡ଼ି ଉତ୍ସବ ପାଇଁ ଅନୁମତି ନ ମିଳିବା ପ୍ରତିବାଦରେ ଆଜି ଏରସମାରେ ବନ୍ଦ ପାଳନ ସହ ରାସ୍ତାରୋକ କରାଯାଇଛି। ଗତକାଲି ଯେଉଁ ସ୍ଥାନରେ କାର୍ଯ୍ୟକ୍ରମ ପାଇଁ ଦାମଙ୍କୁ ଅନୁମତି ମିଳି ନଥିଲା, ଆଜି ଉକ୍ତ ସ୍ଥାନରେ ଅନୁଷ୍ଠିତ ହେବାକୁ ଥିବା ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗ ଦେବାକୁ ଥିବାରୁ ଦାମଙ୍କ ସମର୍ଥକମାନେ ରାସ୍ତାକୁ ଓହ୍ଲାଇଛନ୍ତି। ଶହେ ଘରିଆ କମିଟି ପକ୍ଷରୁ ଏରସମା ବନ୍ଦ ଡାକରା ଦିଆଯିବା ସହ ଦାମଙ୍କ ସମର୍ଥକମାନେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଏରସମାରେ ୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। କିନ୍ତୁ ଆଜି ସଂଧ୍ୟାରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅନୁଭବ ମହାନ୍ତି ଏକ ଖୋଲା ଜିପରେ ମେଡିକାଲ ଛକରୁ ସଭାସ୍ଥଳକୁ ଶୋଭାଯାତ୍ରାରେ ଯାଉଥିବା ବେଳେ ସେମାନଙ୍କ ଉପରକୁ ଏକ ଅନ୍ଧାରିଆ ସ୍ଥାନରୁ ବାଲି ଓ ଅଣ୍ଡା ମାଡ଼ ହୋଇଥିଲା। ଯଦିଓ ସେମାନଙ୍କ ଦେହରେ ତାହା ବାଜି ନଥିଲା, ଅଣ୍ଡା ଗାଡ଼ିରେ ପଡିବା ସହ ପିଏସ୍‌ଓଙ୍କ ଦେହରେ ବାଜିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ମୃଦୁ ଲାଠି ଚାଳନା କରିଥିଲା। କାର୍ଯ୍ୟକ୍ରମ ରାତି ୯ଟାରେ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା।

ଗତକାଲି ସେହି ସ୍ଥାନରେ ରାବଣପୋଡ଼ି କାର୍ଯ୍ୟକ୍ରମ ପାଇଁ ଏରସମା ଆଞ୍ଚଳିକ ପରିଷଦ ପଡ଼ିଆରେ ଦାମଙ୍କ ଫଟୋ ଥିବା ହୋର୍ଡିଂ ଲଗାଯାଇ ମଞ୍ଚ ପ୍ରସ୍ତୁତ କରାଯାଇଥିଲା। ମାତ୍ର କାର୍ଯ୍ୟକ୍ରମ ପାଇଁ ଅନୁମତି ନଥିବାରୁ ପୁଲିସ ତାହାକୁ ବାତିଲ କରିବାକୁ ଦାମଙ୍କ ସମର୍ଥକଙ୍କୁ ନିର୍ଦ୍ଦେଶ ଦେଇଥିଲା। ଦାମଙ୍କ ସମର୍ଥକମାନେ ଏହାକୁ ଗୁରୁତ୍ବ ନଦେବାରୁ ବାଧ୍ୟ ହୋଇ ପୁଲିସ ମଞ୍ଚକୁ ଭାଙ୍ଗି ଦେଇଥିଲା। ପୁଲିସ କହିବା ଅନୁଯାୟୀ ତିନି ଦିନ ପାଇଁ ଉକ୍ତ ପଡିଆରେ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଶ୍ରୀ ଶ୍ରୀ ସାର୍ବଜନୀନ ଦୁର୍ଗାପୂଜା କମିଟି ଓ ସାଂସ୍କୃତିକ ମଞ୍ଚ, ଏରସମା ପ୍ରଶାସନ ଠାରୁ ବହୁ ପୂର୍ବରୁ ଅନୁମତି ନେଇଥିଲା। ତେଣୁ ଦାମଙ୍କ ସମର୍ଥକମାନଙ୍କୁ ପ୍ରଶାସନ ଅନୁମତି ପ୍ରଦାନ କରିନଥିଲା। କିନ୍ତୁ ଆଜି ସେଠାରେ‌ ହେଉଥିବା କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଅନ୍ୟମାନେ ଯୋଗ ଦେଉଥିବା ଜଣା ପଡ଼ିବା ପରେ ଗ୍ରାମ କମିଟି ବନ୍ଦ ଡାକରା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe