ପାରାଦୀପ/ତିର୍ତ୍ତୋଲ : ପାରାଦୀପ ତୈଳ ବିଶୋଧନାଗାରରେ ଆଜି ଏକ ଅଘଟଣ ଘଟିଛି। ବିଶୋଧନାଗାରରେ କାର୍ଯ୍ୟରତ ଜଣେ ସୁରକ୍ଷାକର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏହାକୁ ନେଇ ସେଠାରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା।
ମୃତ ସୁରକ୍ଷାକର୍ମୀ ହେଲେ ନିତ୍ୟାନନ୍ଦ ପରିଡ଼ା। ଗତକାଲି ବିଳମ୍ବିତ ରାତିରେ କାର୍ଯ୍ୟରତ ସମୟରେ ନିତ୍ୟାନନ୍ଦଙ୍କର ମୃତ୍ୟୁ ହୋଇଯାଇଥିଲା। ଏ ସମ୍ପର୍କରେ ଖବର ପାଇବା ପରେ ତାଙ୍କ ଗାଁ ସମାଗୋଳର ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚଥିଲେ। ତୈଳ ବିଶୋନାଗାର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିଲେ। ମାତ୍ର, ସୁରକ୍ଷାକର୍ମୀ ସେମାନଙ୍କୁ ଭେଟିବାକୁ ନ ଦେବାରୁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀମାନେ ଆଇଓସିଏଲ ଚାରି ନମ୍ବର ଫାଟକ ସାମ୍ନାରେ କ୍ଷତିପୂରଣ ଦାବିରେ ଧାରଣାରେ ବସିଥିଲେ। ମୃତଦେହ ନ ନେଇ ସେମାନେ ମୃତ୍ୟୁର କାରଣ ସମ୍ପର୍କରେ ତୁରନ୍ତ ଜଣାଇବା ପାଇଁ ଦାବି କରିଥିଲେ।
ଅଭୟଚାନ୍ଦପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ଏହାସହ କମ୍ପାନି କର୍ତ୍ତୃପକ୍ଷ ଓ ମୃତକ ପରିବାର ମଧ୍ୟରେ ବୁଝାମଣା ହୋଇଥିଲା। ମୃତକଙ୍କ ପରିବାର ଲୋକ ମଧ୍ୟରୁ ଜଣଙ୍କୁ ଚାକିରି ଏବଂ ପାଞ୍ଚ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ କମ୍ପାନି କର୍ତ୍ତୃପକ୍ଷ ରାଜି ହୋଇଥିଲେ। ଫଳରେ, ଉତ୍ତ୍ୟକ୍ତ ଲୋକ ଧାରଣାରୁ ଉଠିଥିଲେ। ଏହାପରେ ମୃତ ନିତ୍ୟାନନ୍ଦଙ୍କ ଶବ ସତ୍କାର କରାଯାଇଥିବା ଜଣାପଡ଼ିଛି।
ପାରାଦୀପ ତୈଳ ବିଶୋଧନାଗାରରେ ଅଘଟଣ:ସୁରକ୍ଷାକର୍ମୀଙ୍କ ସନ୍ଦେହଜନକ ମୃତ୍ୟୁ
Advertisment
Follow Us