ବଞ୍ଚିବାର ରାହା ଖୋଜୁଛନ୍ତି ଶରତ ସାର୍; ଦୁଇ କିଡ୍‌ନି ଅକାମି, ଚିକିତ୍ସାରେ ଅର୍ଥ ବାଧକ

Advertisment
ବଞ୍ଚିବାର ରାହା ଖୋଜୁଛନ୍ତି ଶରତ ସାର୍; ଦୁଇ କିଡ୍‌ନି ଅକାମି, ଚିକିତ୍ସାରେ ଅର୍ଥ ବାଧକ

Sambad

ଜଗତସିଂହପୁର: ପାରାଦୀପ ନୂଆବଜାର ଅଂଚଳରେ ଜଣେ ଆଦର୍ଶ ଓ ଜଣାଶୁଣା ଟ୍ୟୁସନ ଶିକ୍ଷକ ଭାବେ ଶରତ ଚନ୍ଦ୍ର ମହାନ୍ତି(୭୧) ବେଶ୍ ପରିଚିତ। ତାଙ୍କ ପାଖରେ ପାଠ ପଢ଼ୁଥିବା ବହୁ ଛାତ୍ରଛାତ୍ରୀ ଆଜି ପାରାଦୀପ ବନ୍ଦର ସମେତ ବିଭିନ୍ନ ସଂସ୍ଥାରେ ବେଶ୍ ଭଲଭଲ ପଦବିରେ ଅଧିଷ୍ଠିତ। ମାତ୍ର ବୟସର ଅପରାହ୍ନରେ ଆଜି ଶ୍ରୀ ମହାନ୍ତି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି। ତାଙ୍କର ଦୁଇଟି ଯାକ କିଡ୍‌ନି ଅକାମି ହୋଇପଡ଼ିଛି। ଚିକିତ୍ସା ପାଇଁ ପାଖରେ ସମ୍ବଳ ନାହିଁ। ତେଣୁ ବାଧ୍ୟ ହୋଇ ସେ ଅନ୍ୟମାନଙ୍କ ସହଯୋଗ ଲୋଡ଼ିଛନ୍ତି।

ପାରାଦୀପରେ ଶରତ ସାର୍ କହିଲେ ସମସ୍ତେ ଜାଣନ୍ତି। ଦୁଇଟି ଯାକ କିଡ୍‌ନି ଅକାମି ଯୋଗୁଁ ଚଲାବୁଲା କରିବାକୁ ସେ ଅକ୍ଷମ। ଏଣୁ ଖଟ ଉପରେ ପଡ଼ି ରହିବା ଛଡ଼ା ତାଙ୍କ ନିକଟରେ ଆଉ କୌଣସି ବିକଳ୍ପ ନାହିଁ। ଝାଡ଼ା ପରିସ୍ରା ସବୁ ସେଇଠି ଚାଲିଛି। ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ହେଲା ସେ ପାରାଦୀପରେ ପିଲାମାନଙ୍କୁ ଟ୍ୟୁସନ କରୁଥିଲେ। ଦୁଇ ପୁଅ ଚାକିରି ପାଇଯାଇଥିଲେ। ଜଣେ ବନ୍ଦର ପ୍ରଶାସନ ଅଧୀନରେ ଠିକା କର୍ମଚାରୀ ଥିବା ବେଳେ ସେ ଏବେ ଛଟେଇ ହୋଇଥିବା ପ୍ରତିବାଦରେ ନ୍ୟାୟ ପାଇଁ ହାଇକୋର୍ଟର ଆଶ୍ରୟ ନେଇଛନ୍ତି। ଆଉ ଜଣେ ପୁଅ ରାଜସ୍ଥାନରେ ଏକ ଘରୋଇ କମ୍ପାନିରେ ଚାକିରି କରିଛନ୍ତି। କରୋନା ପରିସ୍ଥିତି ଯୋଗୁଁ ତାଙ୍କର ମଧ୍ୟ ଦରମା ମିଳୁନାହିଁ। ତଥାନି ସେ ଯାହା ଟଙ୍କା ପଠାଉଛନ୍ତି, ସେଥିରେ ଘର ଚଳୁଛି। ଏହି ସମୟରେ ଶ୍ରୀ ମହାନ୍ତିଙ୍କ କିଡନି ଅକାମି ହୋଇଯିବା ଘଟଣା ପରିବାର ଉପରେ ଯେମିତି ଚଡ଼କ ପଡ଼ିଯାଇଛି। ଘର ଚଳାଇବା ମୁସ୍କିଲ ଓ ଚିକିତ୍ସା ଖର୍ଚ ତୁଲାଇବା କଷ୍ଟକର।

ଗତ ମାର୍ଚ୍ଚ ମାସରେ ହଠାତ୍ ସେ ଅସୁସ୍ଥ ହୋଇପଡ଼ିଥିଲେ। କଟକର ଏକ ଘରୋଇ ହସ୍‌ପିଟାଲରେ ମାସକ ପର୍ଯ୍ୟନ୍ତ ଭର୍ତ୍ତି ହୋଇଥିବା ବେଳେ ଦୁଇଟା ଯାକ କିଡ୍‌ନି ଅଚଳ ହୋଇଥିବା ଜାଣିଥିଲେ। ଏବେ ମାସକୁ ଦୁଇ ଥର ଡାଇଲିସିସ୍‌ କରାଯାଉଛି। ଇତି ମଧ୍ୟରେ ନିଜ ଶିକ୍ଷକଙ୍କ ଅବସ୍ଥା ସମ୍ପର୍କରେ ଜାଣିବା ପରେ ବିଭିନ୍ନ ପଦପଦବିରେ ଥିବା ତାଙ୍କର ଛାତ୍ରଛାତ୍ରୀ କିଛି ଆର୍ଥିକ ସହାୟତା କରିଛନ୍ତି। ମାତ୍ର ତାହା ପର୍ଯ୍ୟାପ୍ତ ନୁହେଁ। ଏଣୁ ଶ୍ରୀ ମହାନ୍ତି ତାଙ୍କ ଷ୍ଟେଟ୍ ବ୍ୟାଙ୍କ୍ ଆକାଉଣ୍ଟ୍‌ ନମ୍ବର ୧୧୧୧୬୮୩୧୭୧୭ ଓ ମୋବାଇଲ ନମ୍ବର ୯୭୭୬୨୮୧୨୬୫ରେ ଯୋଗାଯୋଗ କରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe