ଯାଜପୁରରୋଡରେ ୬ ରେଲୱେ ଠିକା ଶ୍ରମିକଙ୍କ ମୃତ୍ୟୁ ମାମଲା: କ୍ଷତିପୂରଣ ଦାବିରେ ଗଣଧାରଣା

Advertisment

୨୮ ତାରିଖରେ ଖୋର୍ଦ୍ଧାରେ ହେବ ନିଷ୍ପତ୍ତି 

୨୮ ତାରିଖରେ ଖୋର୍ଦ୍ଧାରେ ହେବ ନିଷ୍ପତ୍ତି 

ଯାଜପୁରରୋଡରେ ୬ ରେଲୱେ ଠିକା ଶ୍ରମିକଙ୍କ ମୃତ୍ୟୁ ମାମଲା: କ୍ଷତିପୂରଣ ଦାବିରେ ଗଣଧାରଣା

ଯାଜପୁର/ବୈତରଣୀରୋଡ: ରେଳଡବା ମାଡ଼ିଯିବା ଘଟଣାରେ ମୃତ୍ୟୁ ହୋଇଥିବା ୬ଜଣ ଦିନମଜୁରିଆ ପରିବାର ପ୍ରତି ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ଚରମ ଅବହେଳା ପ୍ରତିବାଦରେ ଆଜି କୋରେଇ ବ୍ଲକ୍‌ର ଦୁଲାଖାପାଟଣା ଷ୍ଟେସନ୍ ନିକଟରେ ଗଣଧାରଣା ଦିଆଯାଇଥିଲା। ଏହି ଆନ୍ଦୋଳନରେ ଶହଶହ ପୁରୁଷ ମହିଳା ସାମିଲ ହୋଇଥିଲେ। ଏପରିକି ରେଳରୋକ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ବେଳେ ରେଳ ବିଭାଗ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଆଲୋଚନା କରିଛନ୍ତି। ଆସନ୍ତା ୨୮ ତାରିଖରେ ଖୋର୍ଦ୍ଧା ଡିଆରଏମଙ୍କ କାର୍ଯ୍ୟାଳୟରେ ଆନ୍ଦୋଳନର ନେତୃତ୍ବ ନେଉଥିବା କୋରେଇ ସଂଗ୍ରାମ ସମିତିର କର୍ମକର୍ତ୍ତାଙ୍କ ସହିତ ଅଧିକାରୀମାନଙ୍କ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ଆଜି ଚୂଡ଼ାନ୍ତ ହୋଇଛି।

ପ୍ରକାଶ ଥାଉକି, ଗତ ଜୁନ୍‌ ୭ ତାରିଖ ଅପରାହ୍ଣରେ ଯାଜପୁରରୋଡ ଷ୍ଟେସନ ନିକଟ ଚୂନଭାଟି ଠାରେ ରେଳ ଧାରଣାରେ ଆଶ୍ରୟ ନେଇଥିବା ଶ୍ରମିକଙ୍କ ଉପରେ ପରିତ୍ୟକ୍ତ ମାଲଗାଡ଼ି ଡବା ମାଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ୬ ଜଣ ଗରିବ ଶ୍ରମିକଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର ଗୁଡ଼ିକୁ ଅନୁକମ୍ପା ରାଶି ଦେବା ସହିତ ପରିବାରରୁ ଜଣକୁ ରେଳ ବିଭାଗରେ ନିଯୁକ୍ତି ପାଇଁ ବାରମ୍ବାର ଦାବି ହେଉଥିବା ‌ବେଳେ ଆଜି କୋରେଇ ସଂଗ୍ରାମ ସମିତି ସେହି ଦାବିକୁ ଦୋହରାଇଛି। ସମିତି ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବହୁ ମହିଳା, ପୁରୁଷ ଗଣଧାରଣାରେ ବସିବା ସହିତ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଏଥିରେ ସଂଗ୍ରାମ ସମିତିର ସମ୍ପାଦକ ଅଭିମନ୍ୟୁ ମିଶ୍ର, ଉପସଭାପତି ଆଲୋକ ମହାନ୍ତି, ବନ୍ଦାଳ ସରପଞ୍ଚ ବିଷ୍ଣୁଚରଣ ରଥ, ସମିତିସଭ୍ୟା ଶ୍ରାବଣୀ ମହାକୁଡ଼, ବିଜେଡି ଯୁବନେତା ପ୍ରୀତିରଞ୍ଜନ ସାହୁ, ସିପିଏମ ନେତା ପ୍ରଫୁଲ୍ଲ କୁମାର ନାୟକ, ସମିତିସଭ୍ୟ କାର୍ତ୍ତିକ ଚନ୍ଦ୍ର ଖଣ୍ଡାଇ, ପୂର୍ବତନ ସମିତିସଭ୍ୟ ସୁଶାନ୍ତ କୁମାର ସାହୁ, ସୂର୍ଯ୍ୟମଣି ଯେନା, ଶିକ୍ଷାବିତ ଜିତୁ ବେହେରା, ଟୁଲୁ ନାୟକ, ଅଜୟ ମହାକୁଡ଼, ଦିଲୀପ କୁମାର ରଥ, ସୁଦାମ ଚରଣ ସାହୁ, ପଙ୍କଜ ଯେନା, ବୀରକିଶୋର ଖଣ୍ଡାଇ, ଗୀତା ବିଶ୍ବାଳ, ରଞ୍ଜିତା ପେରେଇ, ପଦ୍ମଲୋଚନ ମହାନ୍ତି, ଅନିଲ କୁମାର ଜେନା, ନିତ୍ୟାନନ୍ଦ ମହାଳିକ ପ୍ରମୁଖ ଯୋଗଦେଇ ରେଳମନ୍ତ୍ରୀଙ୍କ ନିରବତାକୁ ଦୃଢ଼ ସମାଲୋଚନା କରିଥିଲେ। ତୁରନ୍ତ ୩ ଦଫା ଦାବି ପୂରଣ ନହେ‌ଲେ ଦୁଲାଖାପାଟଣା, କୋରେଇ, ଯାଜପୁରରୋଡ ଓ ବରୁଣ୍ଡାଇ ଠାରେ ରେଳ ରୋକ କରାଯିବାକୁ ଚେତାବନୀ ଦେଇଥିଲେ। ମଧ୍ୟାହ୍ନ‌ରେ ଖୋର୍ଦ୍ଧା ପୂର୍ବତଟ ରେଳ ବିଭାଗ ଡିସିଏମ ଜି.ସି. ନାୟକ, ଏଏସସି ଏସ. ସି. ବେହେରା, ପିଏଫ ଆରକ୍ଷୀ ନିରୀକ୍ଷକ ପ୍ରବୀଣ କୁମାର ଓ କୋରେଇ ଥାନା ଅଧିକାରୀ ଏସ୍‌.କେ. ମହାନ୍ତି, ଜିଆରପି ଅଧିକାରୀ ଶଙ୍କର ରାଓ ପ୍ରମୁଖ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଆସନ୍ତା ଜୁଲାଇ ୨୮ ତାରିଖରେ ଖୋର୍ଦ୍ଧା ଠାରେ ଏନେଇ ଆଲୋଚନା କରିବାକୁ ଅଧିକାରୀମାନେ ପ୍ରତିଶ୍ରୁତି ଦେବାରୁ ଧାରଣା ସ୍ଥଗିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe