odisha bytes
ଯାଜପୁରଟାଉନ/ସଦର: ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଓ ଅନ୍ତଃସତ୍ତ୍ବା କରିବା ଅଭିଯୋଗରେ ଜିଲ୍ଲା ଅତିରିକ୍ତ ଦୌରା ଓ ପୋକ୍ସୋ ବିଚାରପତି ଅଭିଜିତ ପଲେଇ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୮୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।
ପ୍ରକାଶ ଯେ ଯାଜପୁର ସଦର ଥାନା ଅଧୀନ ସୁଜନପୁର ପଞ୍ଚାୟତ କାଶିପୁର ଗ୍ରାମର ବ୍ରଜକିଶୋର ଜେନା ସେହି ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା। ୨୦୨୨ ସେପ୍ଟେମ୍ବର ୫ ତାରିଖରେ ଝିଅ ଅନ୍ତଃସତ୍ତ୍ବା ଥିବା ତାଙ୍କ ପରିବାର ଲୋକେ ଜାଣିବାକୁ ପାଇଥିଲେ। ପୀଡ଼ିତାଙ୍କୁ ଡିଏସ୍ଡବ୍ଲ୍ୟୁ ଓ ସିଡବ୍ଲ୍ୟୁସି ପାଖରେ ହାଜର କରାଯାଇ ସଖୀରେ ରଖାଯାଇଥିଲା। ଏଠାରେ ପଚରାଉଚରା ସମୟରେ ପୀଡ଼ିତା ଅଭିଯୁକ୍ତର ନାମ ପ୍ରକାଶ କରିଥିଲେ। ଏନେଇ ସଦର ଥାନାରେ ନାବାଳିକାଙ୍କ ବାପା ଅଭିଯୋଗ କରିଥିଲେ। ଥାନା କେସ ନଂ ୨୪୪/୨୨ ଦଫା ୩୭୬(୨)(ଏନ୍) ୬- ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା।
ଏସଆଇ ଲକ୍ଷ୍ମୀପ୍ରିୟା ମୁଦୁଲି ତଦନ୍ତ କରିବା ସହ ଅଭିଯୁକ୍ତ ବ୍ରଜକିଶୋରକୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ୧୬ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲ୍ଲା ଦୌରା ଓ ପୋକ୍ସୋ ଜଜ୍ ଶ୍ରୀ ପଲେଇ ଦୋଷୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ସହ ୮୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅର୍ଥ ନଦେଇ ପାରିଲେ ଅଧିକ ୨୪ମାସ କାରାଦଣ୍ଡ ଭୋଗିବାକୁ ନିର୍ଦେଶ ଦିଆଯାଇଛି। ପୀଡ଼ିତାଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୭ଲକ୍ଷ ଟଙ୍କା ସହାୟତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଯୋଗ୍ୟ ଯେ, ମାମଲା ବିଚାରାଧୀନ ଥିବା ସମୟରେ ପୀଡ଼ିତା ସ୍ୱଧାର ଗୃହରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରାଜୀବ କୁମାର ମହାନ୍ତି ମାମଲା ପରିଚାଳନା କରିଥିଲେ।
Follow Us