ବଦଳିବ ଦଶାଶ୍ବମେଧ ଘାଟର ଚେହେରା, ବୈତରଣୀରେ ୨ଟି ବ୍ୟାରେଜ ପାଇଁ ୨୩୬ କୋଟିର ଆର୍ଥିକ ମଂଜୁରୀ

Advertisment
ସୁବର୍ଣ୍ଣରେଖା, ବ୍ରାହ୍ମଣୀ ଓ ଖରସ୍ରୋତା ଫୁଲିଲା : କମୁଛି ବୈତରଣୀ, ବୁଢାବଳଙ୍ଗ, ଜଳକା

ଯାଜପୁର(ଅନିଲ କୁମାର ପଣ୍ଡା): ବଦଳିବ ଯାଜପୁର ସହର ସଂଲଗ୍ନ ଦଶାଶ୍ବମେଧ ଘାଟ ଓ ସପ୍ତମାତୃକା ନିକଟରେ ଥିବା ବୈତରଣୀ ନଦୀ ଚେହେରା। ଖରା ଦିନେ ବାଲିମୟ ହେଉଥିବା ଏହି ଅଂଶ ସବୁ ବେ‌ଳେ ଜଳମୟ ରହିବ। ତେଣୁ ବୁଡ କି ପିଣ୍ଡଦାନ ପାଇଁ ଜଳକଷ୍ଟ ରହିବନି। ଏହିପରି ଏକ ପରିକଳ୍ପନା କରି ଯାଜପୁର ବିଧାୟକ ଏହି ଠାରେ ବ୍ୟାରେଜ ନିର୍ମାଣ କରିବାକୁ ୮ ବର୍ଷ ପୂର୍ବରୁ ଯୋଜନା କରିଥିଲେ। ଯାହା ସଫଳ ହେବାକୁ ଯାଉଛି। କାରଣ ଦଶାଶ୍ବମେଧ ଘାଟ ନିକଟର ଉନ୍ନତି ସହ ଦୁଇଟି ବ୍ୟାରେଜ ନିର୍ମାଣ କରିବାକୁ ସରକାରଙ୍କ ଜଳ ସଂପଦ ବିଭାଗ ପକ୍ଷରୁ ୨୩୬.୬୩ କୋଟି ଟଙ୍କାର ମଂଜୁରୀ ମିଳିଛି।

ଯାଜପୁର ସହରରେ ଥିବା ଦଶାଶ୍ବମେଧ ଘାଟ ଏକ ପବିତ୍ର ସ୍ଥାନ ହୋଇଥିବା ବେଳେ ନିକଟରେ ମହାଶଶ୍ମାନ ରହିଛି। ବର୍ଷ ତମାମ ଏଠାକୁ ପିଣ୍ଡଦାନ ଓ ସ୍ନାନ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ ରହିଥାଏ। କିନ୍ତୁ ଅଧା ସମୟରେ ନଦୀରେ ଜଳ ନଥିବାରୁ ପବିତ୍ର ପାଣିରେ ସ୍ଥାନ ପାଇଁ ଆସିଥିବା ଶ୍ରଦ୍ଧାଳୁ ନିରାଶ ହେଉଛନ୍ତି। ସେହି ଉଦେଶ୍ୟ ରଖି ଏହି ଠାରେ ବ୍ୟାରେଜ ନିର୍ମାଣ ସହ ଜଳ ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ କରାଯାଇଥିଲା। ଦୁଇ ଦୁଇ ଥର ଜଳ ସଂପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଆସି କ୍ଷେତ୍ର ପରଦର୍ଶନ କରିବା ପରେ ବର୍ତମାନ ପ୍ରକଳ୍ପ ପାଇଁ ଟଙ୍କା ମଂଜୁରୀ ମିଳିଛି। ବିଭାଗ ପକ୍ଷରୁ ଓଡିଶା କ୍ରଷ୍ଟ୍ରକସନ୍ କମ୍ପାନୀ ଲିମିଟେଡକୁ ଏହାର ନିର୍ମାଣ ଦାୟିତ୍ବ ମିଳିଛି। ତେବେ ଏନେଇ ଜଳ ସଂପଦ ବିଭାଗ ପ୍ରିନ୍ସପାଲ ସେକ୍ରେଟାରୀ ଜ୍ୟୋତିମୟ ରଥ ଯଥାଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ତେବେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଯାଜପୁର ସହରକୁ ପାନୀୟ ଜଳ ଯୋଗାଣ ସହ ଯାଜପୁର ଓ ଭଦ୍ରକ ଜିଲ୍ଲାର ୧୫ଶହ ହେକ୍ଟର ଚାଷ ଜମି ଜଳସେଚନ ‌ହୋଇପାରିବ ବୋଲି ଜଣାଯାଇଛି। ତେବେ ୨୦୧୨ମସିହାରେ ଏହି ସ୍ଥାନର ବୈତରଣୀ ନଦୀର ଡାହଣ ପାର୍ଶ୍ବରେ ୮୪.୫୦ ମିଟର ଲମ୍ବର ବ୍ୟାରେଜ କରିବାକୁ ନିଷ୍ପତ୍ତି ହୋଇଥିଲା। ଜଳ ସଂରକ୍ଷଣ ପାଇଁ ଗୋଟିଏ ବ୍ୟାରେଜ ଯଥେଷ୍ଟ ନୁହଁ ବୋଲି ଚିନ୍ତା କରାଯାଇ୨ଟି ବ୍ୟାରେଜ୍ ପାଇଁ ନିଷ୍ପତ୍ତି ହୋଇଛି। ଯାହାକି ବାମ ପାର୍ଶ୍ବରେ ୯୦ ମିଟର ଲମ୍ବର ବ୍ୟାରେଜ ରହିବ। ଏହା ସଫଳ ହେଲେ ୯.୫୦ ମିଟର ପର୍ଯ୍ୟନ୍ତ ଜଳ ସଂରକ୍ଷଣର କ୍ଷମତା ରଖିବ। କିନ୍ତୁ ୨୦୨୦-୨୧ ବର୍ଷରେ ଡାହାଣ ପାର୍ଶ୍ବର ବ୍ୟାରେଜ ନିର୍ମାଣ କରିବାକୁ ନିର୍ଦ୍ଦେଶ ରହିଛି। ଦ୍ବିତୀୟ ବ୍ୟାରେଜ ୨୦୨୧-୨୨ ବର୍ଷରେ କରାଯିବ। ପ୍ରଥମ ପର୍ଯ୍ୟାୟ ଡାହାଣପାର୍ଶ୍ବ କାର୍ଯ୍ୟ ପାଇଁ ୮୩ କ‌ୋଟି ୪୨ ଲକ୍ଷ ୫୯ ହଜାର ୪୬୧ ଟଙ୍କା ମଂଜୁରୀ ମିଳିଛି। ତେବେ ଏହି ବ୍ୟାରେଜ ସଂପୂର୍ଣ୍ଣ ହେଲେ ଯାଜପୁର ସହରର ପାନୀୟ ଜଳ ଯୋଗାଣ ସଫଳ ହେବ ବୋଲି କୁହାଯାଇଛି। ତେବେ ଏହି ଖବର ପ୍ରଚାରିତ ହେବା ପରେ ସହରବାସୀଙ୍କ ମନରେ ଆନନ୍ଦଙ୍କ ଲହିରି ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe