୫ ଲୁଟେରା ବାବାଙ୍କୁ ଉଠାଇ ନେଲା ପୁଲିସ

Advertisment
୫ ଲୁଟେରା ବାବାଙ୍କୁ ଉଠାଇ ନେଲା ପୁଲିସ

ବ୍ୟାସନଗର : ଲୋକଙ୍କୁ ଭକୁଆ ବନେଇ ଟଙ୍କା ଲୁଟୁଥିବା ୫ଜଣ ଭଣ୍ତବାବାଙ୍କୁ ଯାଜପୁରରୋଡ ପୁଲିସ ଉଠାଇ ନେଇ ପଚରାଉଚରା କରୁଛି। ନିଜକୁ ଜ୍ୟୋତିଷ ବୋଲି ପରିଚୟ ଦେଉଥିବା ଏହି ବାବାମାନେ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଅଞ୍ଚଳରୁ ଆସି ଏଠାରେ ଏକ ଲଜ୍‌ରେ ରହୁଛନ୍ତି। ବାବାମାନେ ସକାଳୁ ଉଠି ସହରର ବିଭିନ୍ନ ୱାର୍ଡ ଓ ଗାଁକୁ ଯାଇ ଲୋକଙ୍କ ହାତ ଦେଖି ଭାଗ୍ୟ, ଭବିଷ୍ୟତ କଥା କହୁଥିଲେ। ପୁରୁଷ ସଦସ୍ୟଙ୍କ ଅନୁପସ୍ଥିତିରେ ମହିଳାମାନଙ୍କୁ ବିଶ୍ବାସ ଜନ୍ମାଇ ସେମାନଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟି ନେଉଥିଲେ।

ଗଲା କିଛିଦିନ ହେଲା ଏହି ଭଣ୍ତବାବା ସହରର ଝାଟିଆସାହି, ନଟପଦା, କୋପଣ୍ତ ପ୍ରଭୃତି ଗାଁକୁ ଯାଇ କେତେକ ମହିଳାଙ୍କୁ ଠକି ଟଙ୍କା ଲୁଟି ନେଇଥିଲେ। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଆଜି ସ୍ଥାନୀୟ ଲୋକେ ସହରର ଗୋପବନ୍ଧୁ ଛକ ନିକଟରେ ପଚରାଉଚରା କରିଥିଲେ। କିଛି ଲୋକ ମୋବାଇଲରେ ସେମାନଙ୍କର ଭିଡିଓ ଉତ୍ତୋଳନ କରିଥିଲେ। ଏହି ସମୟରେ ଜଣେ ବାବା ଜନୈକ ବ୍ୟକ୍ତିଙ୍କ ମୋବାଇଲ୍‌ ଫୋନ୍‌ ଝାମ୍ପିନେଇ ଦୌଡ଼ି ପଳାଇଥିଲା। ଲୋକମାନେ ତାକୁ ଗୋଡ଼େଇ ଗୋଡ଼େଇ ଧରିବା ପରେ ଯାଜପୁରରୋଡ ଥାନାକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ଏହି ବାବାମାନଙ୍କୁ ଥାନାକୁ ନେବା ସହ ପଚରାଉଚରା କରୁଛି। ଝାମ୍ପି‌ ନେଇଥିବା ମୋବାଇଲ୍‌ ଫୋନ୍‌କୁ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe