ଲାଗିଲା ୭ କ୍ୟାମେରା: ଜଣାପଡ଼ିବ ମହାବଳ ଗତିବିଧି

ଦ୍ରୁତ ବେଗରେ ଯାଉଥିବା କାର୍‌ ଧକ୍କାରେ ବାଘ ମୃତ; ଡ୍ରାଇଭର୍‌ ଆହତ

Image Courtesy of Times of India

କାଳିଆପାଣି: ଯାଜପୁର-କେନ୍ଦୁଝର ସୀମାରେ ମହାବଳ ବାଘର ଗତିବିଧି ଜାଣିବା ଲାଗି ବନ ବିଭାଗ ପକ୍ଷରୁ ୭ଟି ଟ୍ରାପ୍‌ କ୍ୟାମେରା ଲଗାଯାଇଛି। ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ବନ ସଂରକ୍ଷକ (ପିସିସିଏଫ୍‌) ସୁଶାନ୍ତ ନନ୍ଦଙ୍କ ନିର୍ଦେଶରେ ଅନୁଗୁଳ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ସୁଧାଂଶୁ ଶେଖର ଖୋରା ସଦଳବଳ ଗତ ୭ ତାରିଖ ନଗଡ଼ା ଓ ନାଲିଆଡାବ ଗସ୍ତକରି ବାସ୍ତବ ସ୍ଥିତି ମହାବଳ ବାଘର ଗତିବିଧି ସଂପର୍କିତ ତଥ୍ୟ ଅନୁଧ୍ୟାନ କରିଥିଲେ।

କଟକ ଡିଏଫ୍‌ଓ ପି.ଅର୍ଥନାରିଙ୍କ ତତ୍ତ୍ବାବଧାନରେ ଗତ ସୋମବାର ସୁକିନ୍ଦ‌ା ରେଞ୍ଜ ରାଁସୋଳ ସେକ୍ସନ ଦୈତାରୀ ସୁରକ୍ଷିତ ଜଙ୍ଗଲ ଓ ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ବ୍ରାହ୍ମଣୀପାଳ ରେଞ୍ଜ ଦୈତାରୀ ସେକ୍ସନର ରେବଣା ସଂରକ୍ଷିତ ଜଙ୍ଗଲର ସୀମାନ୍ତରେ ୭ଟି ଉଚ୍ଚ କ୍ଷମତାସଂପନ୍ନ ସ୍ବତନ୍ତ୍ର ଟ୍ରାପ୍‌ କ୍ୟାମେରା ଲଗାଯାଇଥିବା ସୂଚନା ମିଳିଛି। ତଳନଗଡ଼ା ଦକ୍ଷିଣପାର୍ଶ୍ବ ଜଙ୍ଗଲ, ନାଲିଆଡାବ-ଗୁହିଆଶାଳ ମଧ୍ୟବର୍ତ୍ତୀ ଜଙ୍ଗଲ, ଗୁହିଆଶାଳ-ତଳଡିହ ମଧ୍ୟବର୍ତ୍ତୀ ଜଙ୍ଗଲ ଓ ଚଣାକୋଟ ଜଙ୍ଗଲରେ ଏସବୁ କ୍ୟାମେରା ଲଗାଯାଇଥିବା କହନ୍ତି ରାଁସୋଳ ବନପ‌ାଳ ନରେଶ କୁମାର ଟୁଡ଼ୁ। ବନ ବିଭାଗର ସ୍ବତନ୍ତ୍ର ଟିମ୍‌ ଓ ଅନୁଗୁଳର ବନ୍ୟପ୍ରାଣୀ ବିଶାରଦ ରୁଦ୍ର ନାରାୟଣ ପ୍ରଧାନଙ୍କ ଉପସ୍ଥିତିରେ ଏହିସବୁ କ୍ୟାମେରା ଲଗାଯାଇଥିଲା। ମଧ୍ୟପ୍ରଦେଶର ଡୁବ୍ରି ବ୍ୟାଘ୍ର ଅଭୟ‌ାରଣ୍ୟରୁ ଖସି ଆସିଥିବା ଏହି ମହାବଳ ୨ ମାସ ଧରି ରେବଣା ସଂରକ୍ଷିତ ଜଙ୍ଗଲର ଘଞ୍ଚ ଇଲାକାରେ ଲୁଚି ରହୁଥିବା ସୂଚନା ମିଳିଛି। ଗତ ଦେଢ଼ମାସ ମଧ୍ୟରେ କେନ୍ଦୁଝର-ଯାଜପୁର ସୀମାରେ ୧୨ ରୁ ଅଧିକ ମଇଁଷି ଶିକାର କରି ଖାଇଛି। ଗତ ୧୦ ଦିନ ଧରି ଜଙ୍ଗଲ ପାଖ ଗାଁ କିମ୍ବା ବସ୍ତି ଇଲାକାରେ ଦେଖାଯାଉନଥିବା ସୂଚନା ମିଳିଛି। ନାଲିଆଡାବ ଓ ପାଟଣା ଦଲକ ଗାଁ ୨ କ୍ଷତିଗ୍ରସ୍ତ ଶୁକଦେବ ମହାକୁଡ଼ ଓ ଜଗଦୀଶ ମାରାଣ୍ଡିଙ୍କୁ ଏଯାବତ୍ କୌଣସି କ୍ଷତିପୂରଣ ସହାୟତା ରାଶି ମିଳିନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe