ନାବାଳିକା ଦୁଷ୍କର୍ମକାରୀକୁ ଡିଏନ୍‌ଏ ପରୀକ୍ଷାରୁ ଅଭିଯୁକ୍ତ ଚିହ୍ନଟ

ମହଙ୍ଗା ପଡ଼ିଲା ମିଛ କହି ଦ୍ବିତୀୟ ବିବାହ, ଅଭିଯୁକ୍ତକୁ ୫ ବର୍ଷ ଜେଲ୍‌

LAW-INSIDER

ଯାଜପୁରସଦର: ଡିଏନ୍‌ଏ ପରୀକ୍ଷାରୁ ମିଳିଲା ଦୁଷ୍କର୍ମର ପ୍ରମାଣ। ଜନୈକା ନାବାଳିକାକୁ ବାରମ୍ବାର ଦୁଷ୍କର୍ମ ଓ ଅନ୍ତଃସତ୍ତ୍ବା କରିବା ଅଭିଯୋଗରେ ଦୋଷୀକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ସ୍ୱତନ୍ତ୍ର ପୋକ୍‌ସୋ ବିଚାରପତି ଅଭିଜିତ ପଲେଇ। ଏଥିସହ ୪ଲକ୍ଷ ଟଙ୍କା ଜରିମାନା ଏବଂ ଜରିମାନା ଅନାଦାୟ ୧୨ମାସ ଅଧିକ କାରାଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ ରହିଛି। ପୀଡ଼ିତାକୁ ଆଇନସେବା ପ୍ରାଧିକରଣ ପକ୍ଷରୁ ୭ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି।
ବିଂଝାରପୁର ଥାନା ଜରି ବିଟ୍‌ହାଉସ ଅଞ୍ଚଳର ଜନୈକା ନାବାଳିକା ୨୦୨୧ ଏପ୍ରିଲ ୨୧ ତାରିଖ ଦିନବେଳା ବାହାରାପାଳ ଗ୍ରାମର ଜଣକ ଘରକୁ ମୋବାଇଲ ଚାର୍ଜ କରିବା ପାଇଁ ଯାଇଥିଲେ। ନାବାଳିକାକୁ ଏକୁଟିଆ ପାଇ ବୈକୁଣ୍ଠନାଥ ଓରଫ ଦିପୁନା ମଳିକ(୨୯) ଦୁଷ୍କର୍ମ କରିଥିଲା। ଏହି ଘଟଣା ପ୍ରକାଶ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଭୟରେ ନାବାଳିକା କାହାରିକୁ କିଛି କହିନଥିଲେ। ପରେ ଅଭିଯୁକ୍ତ ଦିପୁନା ମଳିକ ବିଭିନ୍ନ ସମୟରେ ତାଙ୍କୁ ଦୁଷ୍କର୍ମ କରିଥିଲା। ନାବାଳିକା ୭ ମାସର ଅନ୍ତଃସତ୍ତ୍ବା ହେବାରୁ ପରିବାର ଲୋକ ଏ ବିଷୟରେ ଜାଣିଥିଲେ। ଅଭିଯୁକ୍ତର ବଡ଼ବାପା ମଧ୍ୟ ନାବାଳିକାକୁ ଗର୍ଭପାତ କରିବାକୁ ଧମକ ଦେଇଥିଲେ ବୋଲି ପୀଡ଼ିତା ଅଭିଯୋଗପତ୍ରରେ ଦର୍ଶାଇଥିଲେ।
ଏନେଇ ନାବାଳିକା ୨୦୨୧ ଡିସେମ୍ବର ୨୫ ତାରିଖରେ ଜରି ବିଟ୍ ହାଉସରେ ଲିଖିତ ଅଭିଯୋଗ କରିଥିଲେ। ବିଂଝାରପୁର ଥାନାରେ ୬୬୬/୨୧ରେ ଦଫା ୩୭୬(୨)(ଏନ୍‌)/୨୯୪/୫୦୬/୩୪ ଆଇପିସି/ ସେକ୍ସନ ୬- ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହା ଭିତରେ ପୀଡ଼ିତା ଏକ ପୁତ୍ରସନ୍ତାନ ଜନ୍ମ ଦେଇଥିଲେ। ଶିଶୁ ଓ ଅଭିଯୁକ୍ତର ଡିଏନ୍‌ଏ ପରୀକ୍ଷାରୁ ଦିପୁନା ଦୁଷ୍କର୍ମ କରିଥିବା ସ୍ପଷ୍ଟ ହୋଇଥିଲା। ଏହି ମାମଲାରେ ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ଦିପୁନାକୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ରାଜୀବ ମହାନ୍ତି ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe