ବନ୍ୟାର ୩ ମାସ ପରେ ବିପନ୍ନଙ୍କ ଦୁଃଖ; ବନ୍ଧହୁଡ଼ାରେ ପଲିଥିନ୍ ତଳେ କଟୁଛି ଶୀତରାତି

Advertisment
ବନ୍ୟାର ୩ ମାସ ପରେ ବିପନ୍ନଙ୍କ ଦୁଃଖ; ବନ୍ଧହୁଡ଼ାରେ ପଲିଥିନ୍ ତଳେ କଟୁଛି ଶୀତରାତି

The New Indian Express

ଦଶରଥପୁର: ବନ୍ୟାର ୩ ମାସ ପରେ ବି ବଦଳିନି ବିପନ୍ନଙ୍କ ଚିତ୍ର। ଏବେ ବି ବନ୍ୟା କ୍ଷତିଗ୍ରସ୍ତ ଲୋକମାନେ ବନ୍ଧହୁଡ଼ାରେ ପଲିଥିନ୍‌ ପଲା ମାରି ମୁଣ୍ଡ ଗୁଞ୍ଜିଛନ୍ତି। ଭାଙ୍ଗିଯାଇଥିବା ରାସ୍ତା ସେମିତି ପରିତ୍ୟକ୍ତ ହୋଇ ରହିଛି। ପାନୀୟଜଳ ମିଳୁନି। ବିଜୁଳି ବତି ଜଳୁନାହିଁ। ସଞ୍ଜ ନଇଁଲେ ଗାଁ ଅନ୍ଧାରରେ ଡୁବିଯାଉଛି। ଭାଙ୍ଗିଯାଇଥିବା ଘର ବି ଆଉ ସଳଖି ପାରୁନାହିଁ। ଅର୍ଥାଭାବ ଓ ଦାରିଦ୍ର୍ୟର ତାଡ଼ନାରେ ଲୋକେ ଭାଗ୍ୟକୁ ଭରସା କରି ପଡ଼ି ରହିଛନ୍ତି। ବୈତରଣୀର ପ୍ରଳୟଙ୍କରୀ ବନ୍ୟା ପରେ ଏହା ହେଉଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦତ୍ତପୁରର ଚିତ୍ର। ବୈତରଣୀରେ ୩ଟି ସ୍ଥାନରେ ଘାଇ ହୋଇଥିଲା। ଦତ୍ତପୁରଠାରେ ୩୦୦ ମିଟର ଘାଇ, ଶାଖାନଦୀ କାଣୀର ନୂଆଶାସନଠାରେ ୨୦୦ ଫୁଟର ଓ କଣ୍ଟପଡ଼ାରେ ୬୦ ଫୁଟର ଘାଇ ହୋଇଥିଲା। ଏଥିରେ ଶହଶହ ପରିବାର ବେଘର ହୋଇଥିଲେ। ଗାଁରେ ଚରିଯାଇଥିଲା ବାଲି। ବିଦ୍ୟୁତ୍‌ଠାରୁ ପାନୀୟଜଳ, ରାସ୍ତା ଆଦି ଭିତ୍ତିଭୂମି ଉଜୁଡ଼ିଯାଇଥିଲା। ଏବେ ବି ସେହି ଉଜୁଡ଼ାବସ୍ଥା ରହିଛି।

ଦତ୍ତପୁର ଗ୍ରାମର ସାଧୁ ଚରଣ ମଲ୍ଲିକଙ୍କ ପରିବାର ଘାଇ ହେବା ଦିନରୁ ନଦୀବନ୍ଧ ଉପରେ ରହୁଛନ୍ତି। ମିନତି ମଲ୍ଲିକ, ପାର୍ବତୀ ମଲ୍ଲିକ, ରମେଶ ମଲ୍ଲିକ, ନୁଖୁରୀ ମଲ୍ଲିକଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ଏହି ପରିବାର ଲୋକମାନେ ଏପର୍ଯ୍ୟନ୍ତ ପାଲ ଟାଙ୍ଗି ରହୁଛନ୍ତି। ନଦୀ ପାଖରେ ଘର ହୋଇଥିବାରୁ ଶୀତରାତିରେ ଅତି କଷ୍ଟରେ କାଳ କାଟୁଛନ୍ତି। ଅନ୍ୟପଟେ ବନ୍ୟାରେ ଧୋଇଯାଇଥିବା ରାସ୍ତା ମରାମତି ହୋଇନାହିଁ। ଖଣ୍ଡଖଣ୍ଡ କଂକ୍ରିଟ ପଡ଼ି ରହିଛି। ସେହିଭଳି ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ପଡ଼ିଛି। ମରାମତି ହେଉନଥିବାରୁ ଗାଁ ଅନ୍ଧାରରେ ରହିଛି। ଗୋଟିଏ ପଟେ ବନ୍ୟାମାଡ଼, ଅନ୍ୟପଟେ କରୋନା ମାଡ଼ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୋଲ୍‌ ହୋଇଯାଇଛି। ପାନୀୟ ଜଳ ଯୋଗାଣ ପାଇପ୍‌ ବନ୍ୟାଜଳରେ ଭାସିଯାଇଛି। ଏପର୍ଯ୍ୟନ୍ତ ଏହାକୁ ମରାମତି କରାଯାଇ ନଥିବାରୁ ସ୍ୱଚ୍ଛ ପାଣି ମିଳୁନାହିଁ। ଗାଁ, ରାସ୍ତା, ଘର ଭିତରେ ବନ୍ୟାଜଳ ପ୍ରବାହିତ ହୋଇ ବାଲି ଚରିଯାଇଛି। ବହୁସ୍ଥାନରେ ବାଲି ଉଠାଯାଇନାହିଁ। ବନ୍ୟାରେ ବେଘର ହୋଇଥିବା ପରିବାରକୁ ଏପର୍ଯ୍ୟନ୍ତ ତହସିଲ ପକ୍ଷରୁ ସହାୟତା ପ୍ରଦାନ କରାଯାଇନାହିଁ। ଗୋଟିଏପଟେ ପେଟ ଚିନ୍ତା, ଅନ୍ୟପଟେ ଚାଳ।

publive-image The New Indian Express

ବିପନ୍ନ ପରିବାର ଲୋକମାନେ ଘର କରିବା ସମ୍ଭବ ହେଉନାହିଁ। ସେମାନେ ବନ୍ଧ ଉପରେ ପାଲ ଟାଙ୍ଗି ଓ ଆଉ କେତେ ପରିବାର ଗାଁରେ ପାଲ ଟାଙ୍ଗି ରହୁଛନ୍ତି। ସେହି ପାଲ ତଳେ ଗାଈ, ଛେଳି, ମଣିଷ ଏକାଠି ରହିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏଥିନେଇ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିବା କ୍ଷତିଗ୍ରସ୍ତ ଲୋକମାନେ କହିଛନ୍ତି। ମାତ୍ର ପ୍ରଶାସନଯେଭଳି ତତ୍ପରତା ପ୍ରକାଶ କରିବା କଥା ତାହା କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ରାସ୍ତା ମରାମତି ସହ, ଆଲୁଅ, ପାନୀୟଜଳ ବ୍ୟବସ୍ଥା, ବାଲି ଉଠାଣ ଓ ଘର ଭଙ୍ଗା ସହାୟତା ପ୍ରଦାନ କରିବାକୁ ଗ୍ରାମର ସୁବ୍ରତ ମଲ୍ଲିକ, ଶରତ ମଲ୍ଲିକ, ଜିତେନ୍ଦ୍ର ମଲ୍ଲିକ, ଅଜୟ କୁମାର ମଲ୍ଲିକ, ସୁବ୍ରତ ମଲ୍ଲିକ, ସୁଦର୍ଶନ ମଲ୍ଲିକ, ଖୁଲଣା ମଲ୍ଲିକ, ମାଣିକ ମଲ୍ଲିକ, ପ୍ରତିମା ମଲ୍ଲିକ, ରାଜକିଶୋର ମଲ୍ଲିକ, ମଲ୍ଲିକା ମଲ୍ଲିକ, ଦେବୀଲତା ମଲ୍ଲିକ, ପ୍ରମିଳା ମଲ୍ଲିକ, ସାବିତ୍ର ମଲ୍ଲିକ, ସୁକାନ୍ତ ମଲ୍ଲିକ ପ୍ରମୁଖ ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe