କାଳିଆପାଣି (ରବି ନାରାୟଣ କର): ଏବେ ବଦଳି ଯାଇଛି ଏସିଆ ମହାଦେଶର ସର୍ବବୃହତ ବିହନ ଫାର୍ମ ଉଦ୍ୟାନ ବିଭାଗ ଅଧୀନ ଉଜୁଡ଼ା କ୍ଷେତ୍ରର ରୂପ। ରକ୍ଷଣାବେକ୍ଷଣ ଅଭାବରୁ ଅନାବନା ଘାସ ଥାଇ ବୁଦୁବୁଦୁକିଆ ବଣ ପାଲଟି ଯାଇଥିବା କ୍ଷେତ ୨ ବର୍ଷରେ ପ୍ରମୋଦଉଦ୍ୟାନ ପାଲଟି ଯାଇଛି। ବିଦେଶୀ କୋଳି ଓ ଭଳିକିଭଳି ଫୁଲଫଳ ସାଙ୍ଗକୁ ପନିପରିବା ଚାଷର ପ୍ରୟୋଗଶାଳା ହୋଇ ଆଗଧାଡ଼ିର କ୍ଷେତ୍ର ପ୍ରଦର୍ଶନ ମାନ୍ୟତା ପାଇଛି। ଯାଜପୁରଜିଲ୍ଲା ସୁକିନ୍ଦା ବ୍ଲକ ଦାମୋଦର ଗାଁରେ ଥିବା ଏହି ଫାର୍ମ ଏବେ ସାଧାରଣ କୃଷି, କୃଷକ, ଚାଷୀ, ଗୃହିଣୀ, ଛାତ୍ରଛାତ୍ରୀ ଓ ପରିବେଶବିତଙ୍କ ପାଇଁ ପରିଭ୍ରମଣର କ୍ଷେତ୍ର ହୋଇପାରିଛି।
ଫୁଟେ ପରିଧିର ବଡ଼ଗେଣ୍ଡୁ ଓ ଜିନିଆ ଫୁଲଗଛ, ସ୍ବତନ୍ତ୍ର ଗୋଲାପ ଓ ବାରମାସୀ ଗେଣ୍ଡୁ ବଗିଚା, ପିଟୁନିଆ, ଗ୍ଲାଡିଅସ ଓ ସାଲଭିଆ ଫୁଲବଗିଚା ପରିବେଷ୍ଟିତ ବିଭାଗୀୟ କାର୍ଯ୍ୟାଳୟ ଆକର୍ଷଣର କେନ୍ଦ୍ର ହୋଇପାରିଛି। ଥାଇଲାଣ୍ଡ ବରକୋଳି, ଉନ୍ନତ କିସମ ସପୁରିପଣସ, ଷ୍ଟ୍ର’ବେରି, ଅମୃତଭଣ୍ଡା ଓ କଦଳୀଚାଷକୁ ନେଇ ୧୦ ଏକର ଜମିର ଫଳବଗିଚା ଦର୍ଶକ ଓ ଗ୍ରାହକଙ୍କ ମନ ମୋହୁଛି। କଲମୀ ବାଇଗଣ(ଭିଏନ୍ଆର୍-୨୧୨), କଲରା, ବିନ, କାକୁଡ଼ି, ଝୁଡ଼ଙ୍ଗ, ଶାଗ, ଧଣିଆପତ୍ର, ପିଆଜଚାଷକୁ ନେଇ ପନିପରିବା କ୍ଷେତ ସବୁଜିମାରେ ଭରି ଯାଇଛି। ପେଟି କେନାଲ କଡ଼େକଡ଼େ ହରଡ଼ଚାଷ, କଲମୀ ପିଜୁଳି ଓ ଗୁଆ ଚାଷ କରାଯାଇଛି। ଆଚ୍ଛାଦିକରଣ ଓ ବୁନ୍ଦା ଜଳସେଚନ ପଦ୍ଧତିରେ ପାଣିମଡ଼ା ହେଉଛି। ଦୈନିକ ୪୫୦ ଟଙ୍କା ମଜୁରିରେ ୨୫ ଜଣ ଠିକା ଶ୍ରମିକ ଏଠାରେ କର୍ମନିଯୁକ୍ତି ପାଇଛନ୍ତି। ଗତ ୨ ଆର୍ଥିକ ବର୍ଷରେ ପାଖାପାଖି ୨୦ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ପାଇଥିବା ଫାର୍ମ ଗତବର୍ଷ କେବଳ ଆମ୍ବ ଓ କାଜୁକ୍ଷେତ୍ରରୁ ୧୧ ଲକ୍ଷ ଟଙ୍କା ଉଠାଇଛି। ବରକୋଳି, ସପୁରିପଣସ ଓ ପନିପରିବା ଚାଷରୁ ଆଶାନୁରୂପ ରୋଜଗାର ହୋଇପାରିଛି। ବର୍ଷତମାମ୍ ଏହା ସ୍ଥାନୀୟ ଚାଷୀଙ୍କୁ ଋତୁକାଳୀନ ପନିପରିବା ଚାରା ଯୋଗାଉଛି। ଓଡ଼ିଶା ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ କଲୁଙ୍ଗେ ଗୋରଖ ୱମାନ(ଭାବସେ) ଗତ ନଭେମ୍ବର ମାସ ୨୨ ତାରିଖ କ୍ଷେତ୍ର ପରିଦର୍ଶନରେ ଆସି ଏହି ଫାର୍ମକୁ ଦେଶର ପ୍ରମୁଖ ଆଗଧାଡ଼ିର ପ୍ରଦର୍ଶନ କ୍ଷେତ୍ର ଦର୍ଶାଇଥିଲେ।
ଆହୁରି ପଢ଼ନ୍ତୁ: Agriculture: ଓଡ଼ିଶା ଜାତୀୟ ମରୁଡ଼ି ପ୍ରଶମନ ପ୍ରକଳ୍ପର ଶୁଭାରମ୍ଭ ପାଇଁ ବୁଝାମଣା ପତ୍ର ସ୍ଵାକ୍ଷରିତ
/filters:format(webp)/sambad/media/media_files/2026/01/22/barry-2026-01-22-20-18-00.jpg)
୨୩ ହେକ୍ଟର ଜମିରେ ଆମ୍ବଚାଷ
କ୍ଷେତ୍ରଫଳ ଆଧାରରେ ଏସିଆ ମହାଦେଶର ସର୍ବବୃହତ ବିହନ ଫାର୍ମ ମାନ୍ୟତା ପାଇଥିବା ପାଖାପାଖି ୭ଶହ ହେକ୍ଟରର ସୁକିନ୍ଦା ବିହନ ଫାର୍ମର ଉଜୁଡ଼ା ରୂପକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଥିଲା। ପୁନରୁଦ୍ଧାର ଯୋଜନାରେ ଉଦ୍ୟାନ ବିଭାଗକୁ ୧୦୬.୫ ହେକ୍ଟର ଜମି ହସ୍ତାନ୍ତର କରାଯାଇଥିଲା। ୨୩ ହେକ୍ଟର ଜମିରେ ଆମ୍ବଚାଷ ଓ ୮ ହେକ୍ଟର ଜମିରେ କାଜୁଚାଷ ବ୍ୟତୀତ ଆଉକିଛି ହୋଇପାରିନଥିଲା। କ୍ବାର୍ଟର୍ସ ବ୍ୟବସ୍ଥା ସତ୍ତ୍ବେ କେହି ରହୁନଥିଲେ। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ବିକାଶରେ ବାଧକ ସାଜିଥିଲା। ୨୦୨୨ ମସିହା ଜୁଲାଇ ମାସରୁ ସହକାରୀ ଉଦ୍ୟାନ ଅଧିକାରୀ(ଏଏଚ୍ଓ) ତପନ କୁମାର ପାତ୍ର ଯୋଗଦେଇ ଫାର୍ମ ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ପ୍ରସ୍ତାବ ଦେଇଥିଲେ। ତତ୍କାଳୀନ ସହକାରୀ ନିର୍ଦ୍ଦେଶକ(ଏଡିଏଚ୍) ସୂର୍ଯ୍ୟମଣି ମହାରଣା ପ୍ରସ୍ତାବ ମଞ୍ଜୁର କରିଥିଲେ। ତାଙ୍କ ଅବସର ପରେ ଏଡିଏଚ୍ ରାଧାଶ୍ୟାମ ବେହେରା ନିୟମିତ ଫାର୍ମ ପରିଦର୍ଶନରେ ଆସି ବିଭାଗୀୟ ସହାୟତା ତ୍ବରାନ୍ବିତ କରାଇଛନ୍ତି। ଏଏଚଓ ଶ୍ରୀ ବେହେରା ବଦଳରେ ଏଏଚଓ ଶ୍ରୀ ପାତ୍ର ଫାର୍ମ କ୍ବାର୍ଟର୍ସରେ ଅବସ୍ଥାନ କରି ରକ୍ଷଣାବେକ୍ଷଣର ମଙ୍ଗୁଆଳ ସାଜିଛନ୍ତି।
ଆହୁରି ପଢ଼ନ୍ତୁ: Social Media: ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବ ଆନ୍ଧ୍ର!
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2026/01/22/img-2026-01-22-20-14-40.jpeg)