ଦଶରଥପୁର: ଶିଳାନ୍ୟାସର ୬ ବର୍ଷ ପରେ ବି ସରୁନି ସେତୁ କାର୍ଯ୍ୟ। ବ୍ୟୟ ଅଟକଳ ଥରକୁ ଥର ବଢ଼ିଚାଲିଛି। ଏଣେ ଲୋକେ ବାଉଁଶ ପୋଲ ଉପରେ ଭରସା କରି ଜୀବନକୁ ବାଜି ଲଗାଇ ଯାତାୟାତ କରୁଛନ୍ତି। ଯାଜପୁର ଜିଲ୍ଲା ବିଂଝାରପୁର ପୂର୍ତ୍ତ ବିଭାଗ ଅଧୀନ ମଙ୍ଗଳପୁର ସେକ୍ସନ ଅନ୍ତର୍ଗତ ବୈତରଣୀ ନଦୀର ଦତ୍ତପୁରଠାରେ ଚାଲିଛି ଏହି ସେତୁ ନିର୍ମାଣ। ପ୍ରାରମ୍ଭିକ ଭାବେ ଏହାର ବ୍ୟୟ ଅଟକଳ ଥିଲା ୩୮ କୋଟି ୭୫ ଲକ୍ଷ ଟଙ୍କା। ବିରଜା କନ୍ଷ୍ଟ୍ରକ୍ସନକୁ ଏହାର କାର୍ଯ୍ୟାଦେଶ ମିଳିଥିଲା। ୨୦୨୧ ଫେବ୍ରୁଆରି ୮ରେ ଏହାର କାମ ଆରମ୍ଭ ହୋଇ ୨୦୨୩ ଅଗଷ୍ଟ ୭ ରେ ଶେଷ କରିବାକୁ ଧାର୍ଯ୍ୟ ହୋଇଥିଲା। ଇତିମଧ୍ୟରେ ଅବଧି ସରିବାର ୮ ମାସ ବିତିଗଲାଣି। କାମ ଅଧା ମଧ୍ୟ ହୋଇନାହିଁ। ପୂର୍ତ୍ତ ବିଭାଗ ପକ୍ଷରୁ ଏହାର ନିର୍ମାଣ ମୂଲ୍ୟରେ ୭ କୋଟି ବୃଦ୍ଧି କରାଯାଇଛି। ବର୍ଦ୍ଧିତ ମୂଲ୍ୟ ୪୫ କୋଟି ୮୪ ଲକ୍ଷ ଟଙ୍କାରେ କାମ କରାଯାଇ ୨୦୨୪ ​ମାର୍ଚ୍ଚ ୩୧ ରେ କାମ ସାରିବାର ଅବଧି ସ୍ଥିର ହୋଇଥିଲା। ଏହି ସମୟରେ ମଧ୍ୟ ଠିକାସଂସ୍ଥା କାମ ସାରିବାରେ ବିଫଳ ହୋଇଛି।
ପ୍ରକାଶ ଥାଉକି ଉକ୍ତ ସେତୁ ନିର୍ମାଣ ହେଲେ ଯାଜପୁର ଜିଲ୍ଲା ଓ ଭଦ୍ରକ ଜିଲ୍ଲା ମଧ୍ୟରେ ଯୋଗାଯୋଗ ସହଜ ହେବା ସହିତ ବ୍ୟବସାୟିକ କାରବାର ମଧ୍ୟ ବୃଦ୍ଧି ପାଇବ। ସେହି ଲକ୍ଷ୍ୟ ନେଇ ୨୦୧୯ ଫେବ୍ରୁଆରି ୧୯ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ଅଥଚ କାମ ସାରିବାକୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧ୍ୟରେ ସେଭଳି ତତ୍ପରତା ​ଦେଖିବାକୁ ମିଳୁନାହିଁ। ବାଧ୍ୟ ହୋଇ ଲୋକମାନେ ବିପଦପୂର୍ଣ୍ଣ ବାଉଁଶଚାର ଉପରେ ଯାତାୟତ କରୁଛନ୍ତି। ପ୍ରତିବର୍ଷ ଦତ୍ତପୁର ଗାଁ ଲୋକ ମିଳିତ ଭାବେ ଏହି ବାଉଁଶ ପୋଲ ନିର୍ମାଣ କରୁଛନ୍ତି। ଗାଁ ଲୋକେ ଟଙ୍କା ଆଦାୟ କରି ବାଉଁଶ ପୋଲ ନିର୍ମାଣ କରିଆସୁଥିବା କହିଛନ୍ତି। ଏହା ସଂପୂର୍ଣ୍ଣ ଭାବେ ଅସ୍ଥାୟୀ ହୋଇଥିବାବେଳେ ନଦୀରେ ବଢ଼ି ଆସିଲେ ଏହି ବାଉଁଶ ପୋଲ ଖୋଲାଯାଇଥାଏ। ନଚେତ ଅନେକ ସମୟରେ ଏହା ଭାସିଯାଇଥାଏ। ଏହି ସମୟରେ ଲୋକମାନଙ୍କୁ ଘଣ୍ଟାଘଣ୍ଟା ଧରି ଡଙ୍ଗାକୁ ଅପେକ୍ଷା କରିବାକୁ ପଡ଼ିଥାଏ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us