ଯାଜପୁର: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରଯାଉଛି। ନିୟମିତ ବନ୍ୟାବାତ୍ୟା ଲାଗି ରହିଥିବା ବେଳେ ପୀଡ଼ିତଙ୍କୁ ଉଦ୍ଧାର କରିବା ପାଇଁ ଡଙ୍ଗାର ଆବଶ୍ୟକତା ରହିଛି। ସ୍ଥାୟୀ ନାବିକ ଓ ଖଲାସୀ ନିଯୁକ୍ତି କରାନଯାଇ ଅସ୍ଥାୟୀ ଭାବେ କାମ ଚଳାଯାଉଥିବାରୁ ନଦୀକୂଳ ଏବଂ ବଣବୁଦାରେ ଡଙ୍ଗା ପଡ଼ିରହି ଖତ ଖାଉଛି।
ରସୁଲପୁର ବ୍ଲକରେ ଅସ୍ଥାୟୀ ନାବିକ ଭାବେ ନିଯୁକ୍ତି ହୋଇଥିବା ବିଜୟ କୁମାର ସାହୁ ବାଲେଶ୍ବରରେ ମାଛଧରା ଟ୍ରଲରରେ କାମ କରୁଛନ୍ତି। ସେହିପରି କୋରେଇ ବ୍ଲକର ନାବିକ ଅବିନାଶ କୁମାର ସାହୁ, ଯାଜପୁର ବ୍ଲକ୍ ନାବିକ ଅର୍ଦ୍ଧେନ୍ଦୁ କୁମାର ସାମଲ ଟାଟା କାରଖାନାରେ କାମ କରୁଥିବା ବେଳେ ଓ ଦଶରଥପୁର ବ୍ଲକ ନାବିକ ବିଜୟ କୁମାର ପଣ୍ଡା ଏଲଆଇସି କାମରେ ବ୍ୟସ୍ତ। ସେହିପରି ସୁକାନ୍ତ କୁମାର ବିଶ୍ବାଳ ବଡ଼ଚଣାରେ ଅସ୍ଥାୟୀ ଖଲାସୀ ଭାବେ ନିଯୁକ୍ତି ପାଇଥିବା ବେଳେ ଟାଟା କାରଖାନାରେ କାମ କରୁଛନ୍ତି।
ଯାଜପୁର ଜିଲ୍ଲାରେ ୩୫ଜଣ ନାବିକ ଓ ୩୧ଜଣ ଖଲାସୀ ଅସ୍ଥାୟୀ ନିଯୁକ୍ତି ପାଇଛନ୍ତି। ଏମାନଙ୍କୁ ଜୁନ୍ରୁ ଅକ୍ଟୋବର ପର୍ଯ୍ୟନ୍ତ ଭତ୍ତା ପାଉଥିବା ବେଳେ ବର୍ଷର ଅବଶିଷ୍ଟ ସମୟ ବେକାର ହୋଇ ବସି ରହୁଛନ୍ତି। ଏହି ସମୟରେ ବୋଟଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଖତ ଖାଉଛି। ନାବିକ ଓ ଖଲାସୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି ହେଉଛି।
Follow Us