ପରିବେଶ ସୁରକ୍ଷା ଦାୟିତ୍ବ ନିଜେ ନେବା : ବିଶ୍ବରଂଜନ

ବିଶ୍ବବ୍ୟାପୀ ଜଳବାୟୁ ପରିବର୍ତ୍ତନ ଏବେ ସବୁଠୁ ବଡ଼ ଚିନ୍ତାର କାରଣ ସାଜିଛି। ଋତୁଚକ୍ରରେ ପରିବର୍ତ୍ତନ ଘଟୁଛି, ମାତ୍ର ଅନୁଭୂତ ହେଉନାହିଁ। ପରିବେଶ ସୁରକ୍ଷା ଜୀବନ ରକ୍ଷାର ଏକମାତ୍ର ବିକଳ୍ପ।

Biswaranjan

ଯାଜପୁର: ବିଶ୍ବବ୍ୟାପୀ ଜଳବାୟୁ ପରିବର୍ତ୍ତନ ଏବେ ସବୁଠୁ ବଡ଼ ଚିନ୍ତାର କାରଣ ସାଜିଛି। ଋତୁଚକ୍ରରେ ପରିବର୍ତ୍ତନ ଘଟୁଛି, ମାତ୍ର ଅନୁଭୂତ ହେଉନାହିଁ। ପରିବେଶ ସୁରକ୍ଷା ଜୀବନ ରକ୍ଷାର ଏକମାତ୍ର ବିକଳ୍ପ। ଏ ଦିଗରେ କେବଳ ସରକାର କିମ୍ବା କୌଣସି ରାଜନୈତିକ ଦଳ, ସଂଗଠନ, କୌଣସି ସ୍ବେଚ୍ଛାସେବୀ ସଂସ୍ଥା ଚାହିଁଲେ ହେବନାହିଁ, ପରିବେଶ ସୁରକ୍ଷା ଦିଗରେ ପ୍ରତିଟି ବ୍ୟକ୍ତି ସଚେତନ ହେବା ଜରୁରୀ ବୋଲି ଯାଜପୁର ଜିଲ୍ଲା ବରୀ ନିର୍ବାଚନମଣ୍ଡଳୀ ବିଧାୟକ ବିଶ୍ବରଂଜନ ମଲ୍ଲିକ ଗୁରୁତ୍ବାରୋପ କରିଛନ୍ତି।

ମଙ୍ଗଳବାର ବରୀ ରାମଚନ୍ଦ୍ରପୁରଠାରେ ‘ସମ୍ବାଦ’ ପକ୍ଷରୁ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ମଲ୍ଲିକ କହିଲେ, ବରୀ ନିର୍ବାଚନମଣ୍ଡଳୀ ଏକ କୃଷିପ୍ରଧାନ ଅଞ୍ଚଳ। ଏଠାକାର ଲୋକେ ଧାନ, ପରିବାଠାରୁ ଆରମ୍ଭ କରି ତୈଳବୀଜ ଓ ଡାଲିଜାତୀୟ ଫସଲ କରି ଆତ୍ମନିର୍ଭର ହୋଇଛନ୍ତି। ବରୀ ଅଞ୍ଚଳରେ ଯଦିଓ ସବୁଜିମାମୟ ପରିବେଶ ରହିଛି, କିନ୍ତୁ ଏ ଅଞ୍ଚଳ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀର ଜଳ ଆଉ ଆଗଭଳି ନାହିଁ। ଉପରମୁଣ୍ଡରେ ଏହି ନଦୀକୁ ବିଭିନ୍ନ କାରଖାନାର ବର୍ଜ୍ୟଜଳ ବିଶୋଧନ କରାନଯାଇ ଛାଡ଼ି ଦିଆଯାଉଥିବାରୁ ନଦୀଜଳ ବ୍ୟବହାରଯୋଗ୍ୟ ହୋଇପାରୁ ନାହିଁ। ଭୂତଳଜଳ ଲବଣାକ୍ତ ଓ ଲୌହଯୁକ୍ତ ହେବାକୁ ବସିଲାଣି। ପ୍ରାୟ ୩୫ଟି ପଞ୍ଚାୟତର ଜନସାଧାରଣ ବ୍ରାହ୍ମଣୀ ନଦୀ ଉପରେ ନିର୍ଭରଶୀଳ ଥିବାରୁ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ ସରକାରଙ୍କୁ ଅବଗତ କରାଯାଇଛି।

ସେହିପରି ଜୈବିକ ଉପାୟରେ ଚାଷ କରିବାପାଇଁ ଚାଷୀଙ୍କୁ ସଚେତନତା କରାଯିବା ନିହାତି ଆବଶ୍ୟକ। ଅସନ୍ତୁଳିତ ପରିବେଶକୁ ସଜାଡ଼ିବାପାଇଁ ହେଲେ ସ‌ମସ୍ତେ ଏକ ହେବାକୁ ପଡ଼ିବ। ବ୍ୟାପକ ବୃକ୍ଷରୋପଣ ହିଁ ପରିବେଶକୁ ସନ୍ତୁଳିତ ରଖିବାର ଏକମାତ୍ର ବିକଳ୍ପ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ବରୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ି ‘ସମ୍ବାଦ’ର ପୁନଶ୍ଚ ପୃଥିବୀ ଅଭିଯାନ ପରିବେଶ ସୁରକ୍ଷା କ୍ଷେତ୍ରରେ ଏକ ବଳିଷ୍ଠ ପଦକ୍ଷେପ। ଆଗାମୀ ଦିନରେ ଏହା ବିରାଟ ଆନ୍ଦୋଳନର ରୂପ ନେବା ସହ ମୂଳ ଉଦ୍ଦେଶ୍ୟ ସାଧିତ କରିବାରେ ନିଶ୍ଚୟ ସହାୟକ ହେବ ବୋଲି କହିଥିଲେ।

ଜିଲ୍ଲାପରିଷଦ ସଭ୍ୟ ଦିଲ୍ଲୀପ କୁମାର ମହାନ୍ତି କହିଥିଲେ, ପରିବେଶ ସନ୍ତୁଳିତ ରହିଲେ ଆମ ଭବିଷ୍ୟତ ସୁରକ୍ଷିତ ହେବ। ଆଗାମୀ ପିଢ଼ି ମଧ୍ୟ ବଞ୍ଚି ରହିବେ। ବରୀ ନିର୍ବାଚନମଣ୍ଡଳୀକୁ ସବୁଜସୁନ୍ଦର କରିବା ଲାଗି ଯୁବପିଢ଼ି ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ପରିବେଶଜନିତ ସମସ୍ୟାଗୁଡ଼ିକୁ ବିଧାୟକ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲାପରିଷଦ ସଭ୍ୟ ସନ୍ତୋଷ କୁମାର ସାମଲ, ସମାଜସେବୀ ଅରବିନ୍ଦ ମହାନ୍ତି ଉପସ୍ଥିତ ଥିଲେ। ‘ସମ୍ବାଦ’ ଯାଜପୁର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରୀ ବ୍ଲକ୍‌ ପ୍ରତିନିଧି ସଂଜୟ କୁମାର ବେହେରା ଅତିଥି ପରିଚୟ ପ୍ରଦାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଶେଷରେ କନକ ନିଉଜ୍‌ ବରୀ ପ୍ରତିନିଧି ପ୍ରଶାନ୍ତ କୁମାର ଦ୍ବିବେଦୀ ଧନ୍ୟବାଦ ଦେଇଥିଲେ।

climate change

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe