ଯାଜପୁରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୦

Advertisment
ଯାଜପୁରରୁ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦୦

ଯାଜପୁର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୦୦ରେ ପହଞ୍ଚିଛି । ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଗତ ମାର୍ଚ୍ଚ ମାସ ୧୫ ତାରିଖରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲେ । ଆନ୍ୟ ପକ୍ଷରେ ଆଜି ବିଳମ୍ବିତ ରାତିରେ ୧୦୦ତମ କରୋନା ଆକ୍ରାନ୍ତ ଯାଜପୁର ଜିଲ୍ଲା ବିରଜାପୁର ଗାଁରୁ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ବୟସ  ୫୦ ବର୍ଷ ଓ ସେ କୋଲକାତା ଫେରନ୍ତା ବୋଲି ସୂଚନା ମିଳିଛି । ରାଜ୍ୟରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହେବାର ଠିକ୍ ୪୦ ଦିନ ପରେ  ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଛି । ଫଳରେ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୫କୁ ବଢ଼ିଛି।

ଆଜି ଯାଜପୁର ଜିଲ୍ଲାରୁ ସର୍ବମୋଟ ୬ ଜଣ କରୋନା ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି। ଆଜିର ଷଷ୍ଠ ସଂକ୍ରମିତ ବ୍ୟକ୍ତି ରାଜ୍ୟର ୧୦୦ତମ କରୋନା ଆକ୍ରାନ୍ତ ଭାବେ ପରିଗଣିତ ହୋଇଛନ୍ତି। ସେ ଚିହ୍ନଟ ହେବାର ଅଳ୍ପ କିଛି ସମୟ ପୂର୍ବରୁ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର କଟିକଟା ପଞ୍ଚାୟତରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କଟିକଟା ଗ୍ରାମରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ମଲ୍ଲିକାପୁର ପଞ୍ଚାୟତ ଅନ୍ତର୍ଗତ ମହାନ୍ତିପାଟଣା ଗ୍ରାମର ଜଣେ ଚିହ୍ନଟ ହୋଇଥିଲେ। ଆଜିର ୬ ଆକ୍ରାନ୍ତଙ୍କୁ ମିଶାଇଲେ ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା୧୮ହୋଇଛି ।

ଚିନ୍ତାର ବିଷୟ ହେଲା, ବର୍ତ୍ତମାନ ଯାଜପୁର ରାଜ୍ୟର ଦ୍ବିତୀୟ ସର୍ବାଧିକ ସଂକ୍ରମିତ ଜିଲ୍ଲାରେ ପରିଣତ ହୋଇଛି। ପୂର୍ବରୁ ଭଦ୍ରକ ଜିଲ୍ଲା ୧୬ କରୋନା ଆକ୍ରାନ୍ତଙ୍କ ସହ ଦ୍ବିତୀୟ ସ୍ଥାନରେ ଥିଲା। ଆଜି ପ୍ରଥମେ ଚିହ୍ନଟ ହୋଇଥିବା ୫ ଜଣ କରୋନା ଆକ୍ରାନ୍ତ ଗତ ୨୯ତାରିଖରେ ଏକ ବୋଲେରୋରେ କୋଲକାତାରୁ ଫେରିଥିଲେ। ୪ଜଣ କଟିକଟା ସ୍କୁଲରେ ସରକାରୀ ସଙ୍ଗରୋଧରେ ୧୪ ଦିନ କାଟି ଘରକୁ ଫେରିଥିବା ବେଳେ ମହାନ୍ତିପାଟଣା ଗ୍ରାମର ଆକ୍ରାନ୍ତଜଣକ ମଧ୍ୟ ଗାଁ ବିଦ୍ୟାଳୟରେ ସଂଗରୋଧରେ ଥିଲେ ବୋଲି ଜଣାପଡିଛି। ଆକ୍ରାନ୍ତମାନଙ୍କ ବୟସ ଯଥାକ୍ରମେ ୨୩,୪୯,୫୨, ୫୭ ଏବଂ ୩୯ ବୋଲି ଜଣାପଡ଼ିଛି।

publive-image

ଜିଲ୍ଲାର କଟିକଟା ଗ୍ରାମର ୪ଜଣ ଆକ୍ରାନ୍ତଙ୍କ ବିଷୟରେ ଯାଜପୁର ସିଡିଏମ୍‌ଓ ସୁଧାଂଶୁ ଶେଖର ବଳ ସ୍ପଷ୍ଟ କରିଥିବା ବେଳେ ମହାନ୍ତିପାଟଣା ଆକ୍ରାନ୍ତଙ୍କ ସଂପର୍କରେ ଡିଆଇପିଆରଓ ସନ୍ତୋଷ କୁମାର ସେଠୀ ସ୍ପଷ୍ଟ କରିଛନ୍ତି। ଏହି ସମସ୍ତ  ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ଜଣାପଡିଛି।ଯାଜପୁର ବ୍ଲକ୍ ଓ ଦଶରଥପୁର ବ୍ଲକ୍‌ରେ ଶତାଧିକ ଲୋକ କୋଲକାତାରୁ ଫେରିଥିବା ବେଳେ ଏବେ ଭୟଙ୍କର ସ୍ଥିତି ଉପୁଜିଛି। ଏବେ ସୁଦ୍ଧା ‌ଜିଲ୍ଲାରେ ମୋଟ ୧୮ଜଣ କରୋନା ରୋଗୀଙ୍କ ମଧ୍ୟରୁ ଯାଜପୁର ବ୍ଲକ୍‌ର ୭ଜଣ ଓ ଦଶରଥପୁର ବ୍ଲକ୍‌ର ୯ଜଣ, କୋରେଇର ଜଣେ ଓ ରସୁଲପୁର ବ୍ଲକ୍‌ ଅନ୍ତର୍ଗତ ବ୍ରହ୍ମବରଦା ଅଞ୍ଚଳର ଜଣେ  ଚିହ୍ନଟ ହୋଇଛନ୍ତି।  ବ୍ରହ୍ମବରଦା କରୋନା ରୋଗୀଙ୍କ ନିଜାମୁଦ୍ଦିନ ଲିଙ୍କ୍‌  ରହିଥିବା ବେଳେ  ଅନ୍ୟ ୧୭ଜଣ ରୋଗୀଙ୍କର କୋଲକାତା ଲିଙ୍କ୍ ‌ବୋଲି ସ୍ପଷ୍ଟ ହୋଇଛି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ବ୍ୟାପକ ପ୍ରସ୍ତୁତି କରିଥିବା ବେଳେ ମଧ୍ୟ ଏହା ନିୟନ୍ତ୍ରଣକୁ ଆସିପାରି ନାହିଁ ବରଂ ଧୀରେ ଧୀରେ ଏହାର କାୟା ବିସ୍ତାର କରୁଛି । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ୬୦ ଘଣ୍ଟା ପାଇଁ ସଟଡାଉନ୍ କରାଯାଇଛି । ରାଜ୍ୟ ସରକାର ଏହି ୩ଟି ଜିଲ୍ଲାର ଦାୟିତ୍ବ ୩ ଜଣ ବରିଷ୍ଠ ସଚିବଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe