ଯାଜପୁରସଦର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ରାହାସୋଇ ପଞ୍ଚାୟତରେ ମାଳମାଳ ଦୁର୍ନୀତି ଏବେ ସାମ୍ନାକୁ ଆସିଛି। କେଉଁଠାରେ କେବଳ ଫଳକ ଲଗାଇ ମନରେଗା ବିଲ୍ ହୋଇଛି। ଆଉ କେଉଁଠି ୧୦୦ ମିଟର ଗାତ ଖୋଳି ନାଳର ବିଲ୍ କରାଯାଇଛି। ସେହିପରି ୧୦୦ ମିଟର ମାଟି ପକାଇ ରାସ୍ତା ବିଲ୍ ଉଠାଯାଇଛି। ଏନେଇ ସ୍ଥାନୀୟ ସୂଚନା ଅଧିକାର କର୍ମୀ ଅଶୋକ କୁମାର ପତି ତଥ୍ୟ ମାଗିବା ସହ ଖୋଳତାଡ଼ କରିବାରୁ ତାଙ୍କୁ ହତ୍ୟା ଧମକ ଦିଆଯିବା ସହ ମିଥ୍ୟା ଜାତିଆଣ ମାମଲାରେ ଛନ୍ଦିବାକୁ ଉଦ୍ୟମ ଆରମ୍ଭ ହୋଇଯାଇଛି।
ରାହାସୋଇ ପଞ୍ଚାୟତରେ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ମନରେଗା ଯୋଜନାରେ ହୋଇଥିବା କାମ ସଂପର୍କିତ ତଥ୍ୟ ସୂଚନା ଅଧିକାରରେ ଶ୍ରୀ ପତି ମାଗିଥିଲେ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟ ସଂପର୍କରେ ମଧ୍ୟ ତଥ୍ୟ ମାଗିଥିଲେ। ତାଙ୍କୁ ୮୩୩ ପୃଷ୍ଠାର ତଥ୍ୟ ଦେବାକୁ ପୃଷ୍ଠା ପିଛା ୨ଟଙ୍କା ବଦଳରେ ୩ ଟଙ୍କା ହିସାବରେ ୨୫ଶହ ଟଙ୍କା ଦାବି କରାଯାଇଥିଲା। ପରେ ୯୬ ପୃଷ୍ଠାର ଅନାବଶ୍ୟକ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଥିଲା। ଏହାକୁ ବିରୋଧ କରି ସେ ପୁନର୍ବାର ଆବେଦନ କରିଥିଲେ। ଏହାପରେ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦଶରଥପୁର ଏବିଡିଓଙ୍କୁ ଟଙ୍କା ଫେରସ୍ତ ନିର୍ଦେଶ ହୋଇଛି।
ରାହାସୋଇ ପଞ୍ଚାୟତରେ ମନରେଗା ଯୋଜନାରେ ୨୦୨୩-୨୪ ଆର୍ଥିକ ବର୍ଷ​ରେ ଦାଣ୍ଡିପୋଖରୀ ପୁନରୁଦ୍ଧାର ନାଁରେ ୨ଲକ୍ଷ, ଶାସନ ନାଳ ୧୦୦ରୁ ୧୫୦ ମିଟର ମାଟି ଖୋଳିବା ପାଇଁ ୪ଲକ୍ଷ ବିଲ୍, ରାହାସୋଇଠାରେ ବାଲିଆପାଳକୁ ରାସ୍ତା ନିର୍ମାଣ ନାଁରେ ଦେଢ଼ଶହ ମିଟର ମାଟି ପକାଇ ୪ଲକ୍ଷ ବିଲ୍ କରାଯାଇଥିବା ଅଭିଯୋଗ ହୋଇଛି। ଯୋଗେଶ୍ବର ଗୋଷ୍ଠୀକେନ୍ଦ୍ର ପାଇଁ ୪ ଲକ୍ଷ ଟଙ୍କାର ଅଟକଳ ଫଳକ ଥିବାବେଳେ ସୂଚନା ଅଧିକାର ତଥ୍ୟରେ ଏହାର ମୂଲ୍ୟ ୨ ଲକ୍ଷ ୫୦ ହଜାର ଦର୍ଶାଯାଇଛି। ସେହପରି ଗଣେଶ ଗୋଷ୍ଠୀକେନ୍ଦ୍ରରେ ୪ ଲକ୍ଷର କାର୍ଯ୍ୟ ହୋଇଥିବା ବେଳେ ତଥ୍ୟରେ ଅଢ଼େଇ ଲକ୍ଷ ଦର୍ଶାଯାଇଛି। ଖାତା ନଂ ୧୯୧, ପ୍ଲଟ ନଂ ୧୪୨ ଗୋଚର ଜମିରେ ଏହି ନିର୍ମାଣ ହୋଇଛି। ଅନେକ ଜାଗାରେ ସୂଚନା ଅଧିକାର ତଥ୍ୟ ଓ ଫଳକରେ ତାଳମେଳ ନାହିଁ। ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟ ବିବରଣୀରେ ୧୩ଟି କାର୍ଯ୍ୟ କରାଯାଉଥିବା ସୂଚନା ଦିଆଯାଇଛି। ପ୍ରକଳ୍ପଗୁଡ଼ିକ ୨୦୨୩-୨୪ ଆର୍ଥିକ ବର୍ଷରୁ ୨୦୨୩-୩୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କରାଯାଇଥିବା ଦର୍ଶାଯାଇଛି।
ଏହି ସବୁ ଅନିୟମିତତାକୁ ବିରୋଧ କରିବାରୁ କିଛିଲୋକ ତାଙ୍କୁ ଗାଁରେ ରଖାଇ ନଦେବାକୁ ଧମକ ଦେବା ସହ ହତ୍ୟା ଧମକ ଦେଇଛନ୍ତି। ତାଙ୍କ ନାଁରେ ଥାନାରେ ମିଥ୍ୟା ଜାତିଆଣ ଅଭିଯୋଗ କରାଯାଇଛି। ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଶୋକ ଅଭିଯୋଗ କରିଛନ୍ତି। ଏଭଳି ଦୁର୍ନୀତିର ତଦନ୍ତ କରିବାକୁ ସେ ଦାବି କରିଛନ୍ତି।
Follow Us