ହରିଚନ୍ଦନପୁର/କାଳିଆପାଣି : ପାରିବାରିକ କଳହରୁ ଆଜି ଦୁଇଟି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗୋଟିଏ ସ୍ଥାନରେ ସ୍ୱାମୀକୁ ଟାଙ୍ଗିଆରେ ହାଣି ସ୍ତ୍ରୀ ହତ୍ୟା କରିଥିବାବେଳେ ଅନ୍ୟ ଏକ ସ୍ଥାନରେ ଭୁଜାଲିରେ ଭୁସି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ପ୍ରଥମ ଘଟଣାଟି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଗୌଣିଘଷା ପଞ୍ଚାୟତର ଅର୍ଜୁନଚୁଆ ଗ୍ରାମ ଖଡ଼ିଖମଣ ସାହିରେ ଘଟିଛି। ଗତକାଲି ରାତିରେ ଏହି ସାହିର ମାନ୍ଦ୍ରା ମାରାଣ୍ଡି (୪୦) ଓ ତାଙ୍କ ପତ୍ନୀ ମାୟାବତୀ ମାରାଣ୍ଡି(୩୫)ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଉତ୍ତ୍ୟକ୍ତ ହୋଇ ମାୟାବତୀ ଏକ ଟାଙ୍ଗିଆରେ ମାନ୍ଦ୍ରାଙ୍କୁ ହାଣିପକାଇଥିଲା। ଚୋଟ ପରେ ଚୋଟ ପକାଇବାରୁ ମାନ୍ଦ୍ରାଙ୍କ ମୃତ୍ୟୁ ହୋଇଥିଲା। ଆଜି ସକାଳେ ସ୍ୱାମୀଙ୍କ ମୃତଦେହକୁ ତାଲା ପକାଇ ଛୋଟ ଦୁଇଝିଅ ଓ ପୁଅଙ୍କୁ ହରିଚନ୍ଦନପୁର ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ। ପାଳଲହଡ଼ା ଥାନା କଇରା ଗାଁରେ ଅନ୍ୟ ଏକ ଘଟଣା ଘଟିଛି। ଏହି ଗାଁର କୋହ୍ଲ ଦେହୁରୀ (୩୦) ଓ ତା’ର ପତ୍ନୀ ପାର୍ବତୀ ଦେହୁରୀ ମଧ୍ୟରେ ଝଗଡ଼ା ହୋଇଥିଲା। କଳହ ଏତେ ଭୀଷଣ ରୂପ ନେଲା ଯେ କୋହ୍ଲ ରାତି ପ୍ରାୟ ସାଢ଼େ ବାରଟାବେଳେ ପାର୍ବତୀଙ୍କୁ ଏକ ଶାବଳ ଭୁସି ଦେଇଥିଲା। ଘଟଣାସ୍ଥଳରେ ପାର୍ବତୀଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ଅଭିଯୁକ୍ତ କୋହ୍ଲକୁ ଗିରଫ କରିବା ସହ ଏ ସଂପର୍କରେ ଏକ ହତ୍ୟା ମାମଲା ରୁଜୁକରି ତଦନ୍ତ ଚଳାଇଛି।
ପାରିବାରିକ କଳହରୁ ଦୁଇଟି ବୀଭତ୍ସ ହତ୍ୟାକାଣ୍ଡ : ସ୍ୱାମୀକୁ ସ୍ତ୍ରୀ; ସ୍ତ୍ରୀକୁ ସ୍ୱାମୀ
Advertisment
Follow Us