Mines In Jajpur: ପରିତ୍ୟକ୍ତ କ୍ରୋମାଇଟ୍‌ ଖଣିରେ ମାଫିଆଙ୍କ ଆତଙ୍କରାଜ

ଯାଜପୁର ଜିଲ୍ଲା କାଳିଆପାଣି ଥାନା ଓଡ଼ିଶା ଖଣି ନିଗମର କ୍ରୋମାଇଟ୍‌ ବ୍ଲକ-୧ ଖଣିରେ ମଙ୍ଗଳବାର ବିଳମ୍ବିତ ରାତି ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଖଣି ଜଗିଥିବା ୨ ଠିକା ନିରାପତ୍ତାରକ୍ଷୀଙ୍କୁ ସଂଘବଦ୍ଧ ମାଫିଆ ଗାଡ଼ିରେ ଉଠାଇ ନେଇଥିଲେ।

Cromite

Chromite in Sukinda of Jajpur district. Photograph: (sambad.in)

କାଳିଆପାଣି (ରବି ନାରାୟଣ କର): ଯାଜପୁର ଜିଲ୍ଲା କାଳିଆପାଣି ଥାନା ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର କ୍ରୋମାଇଟ୍‌ ବ୍ଲକ-୧ ଖଣିରେ ମଙ୍ଗଳବାର ବିଳମ୍ବିତ ରାତି ମାଫିଆଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି। ଖଣି ଜଗିଥିବା ୨ ଠିକା ନିରାପତ୍ତାରକ୍ଷୀଙ୍କୁ ସଂଘବଦ୍ଧ ମାଫିଆ ଗାଡ଼ିରେ ଉଠାଇ ନେଇଥିଲେ। ଖଣିରେ ଡ୍ୟୁଟି ଛାଡ଼ି ପଳାଇବାକୁ ଚେତାବନୀ ଦେଇଥିଲେ। ସମାନ୍ତରାଳ ଭାବେ ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କରେ ଥାଇ ଫାଙ୍କା ଗୁଳିଚାଳନା କରି ଆତଙ୍କ ଭିଆଇଥିଲେ। ପ୍ରସଙ୍ଗକୁ ନେଇ ଓଏମ୍‌ସି ପକ୍ଷରୁ ଅଭିଯୋଗ ପରେ ଆଜି ସକାଳୁ ପୁଲିସ ଓ ଓଏମ୍‌ସି ନିରାପତ୍ତାବାହିନୀ ପକ୍ଷରୁ ସ୍ଥାନୀୟ ଇଲାକାରେ ଯୁଗ୍ମ ତଦନ୍ତ ଓ ବ୍ୟାପକ ଛାନଭିନ୍‌ କରାଯାଇଥିଲା। ହେଲେ ମାଫିଆ ଚିହ୍ନଟ କିମ୍ବା ସେମାନଙ୍କ ଗତିବିଧି ସଂପର୍କରେ କିଛି ସୁରାକ୍‌ ମିଳିନଥିବା କୁହାଯାଉଛି।

ନାଲିବତୀ ଗାଡ଼ିରେ ଆସି ଗୁଳିଚାଳନା

କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ୍ ରାଁସୋଳ ସେକ୍ସନ ଅଫିସ ଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଏହି ଖଣିରେ ମଙ୍ଗଳବାର ରାତି ୨ ଜଣ ନିରାପତ୍ତାରକ୍ଷୀ ଡ୍ୟୁଟିରେ ଥିଲେ। ରାତି ସାଢ଼େ ୧୨ରୁ ଗୋଟାଏ ମଧ୍ୟରେ ଖଣି ଭିତରକୁ ନାଲିବତି ଥାଇ ଏକ ବୋଲେରୋ ଓ ପଛେପଛେ ଅନ୍ୟ ଏକ ଗାଡ଼ି ଆସିଥଲା। ପୁଲିସ ପାଟ୍ରୋଲିଂ ଟିମ୍‌ ଭାବି ୨ ନିରାପତ୍ତାରକ୍ଷୀ ମାଫିଆଙ୍କୁ ସାଲ୍ୟୁଟ୍‌ କରିଥିଲେ। କିଛି ବୁଝିବା ଆଗରୁ ମାଫିଆମାନେ ଜଣେ ନିରାପତ୍ତାରକ୍ଷୀଙ୍କୁ ଗାଡ଼ି ଭିତରକୁ ଝିଙ୍କି ନେଇଥିଲେ। ଅନ୍ୟ ନିରାପତ୍ତାରକ୍ଷୀ ଜଣକ ଭୟରେ ପାଖ ଜଙ୍ଗଲକୁ ଦୌଡ଼ିଯାଇ ଆତ୍ମଗୋପନ କରିଥିଲେ। 

ଆହୁରି ପଢ଼ନ୍ତୁ: Debi Rath Died: ଡିଜେ ସାଉଣ୍ଡ କେମିତି ଆଣିଲା ମୃତ୍ୟୁ? ଦେବୀ 'ମାମା'ଙ୍କ ମୃତ୍ୟୁକୁ ନେଇ କଣ କୁହନ୍ତି ଡାକ୍ତର

ନିରାପତ୍ତାରକ୍ଷୀ ଭୟଭୀତ

ଏହି ସମୟରେ କିଛି ଦୂର କଲରଙ୍ଗି ଢାବାଛକ ପାଖାପାଖି ଟମକା-ମଙ୍ଗଳପୁର ସଡ଼କ ଉପରେ ଫାଙ୍କା ଗୁଳିଚାଳନାର ଶବ୍ଦ ଶୁଣାଯାଇଥିଲା। ନିରାପତ୍ତାରକ୍ଷୀ ଦ୍ବୟ ଭୀଷଣ ଡରି ଯାଇଥିଲେ। ଅପହୃତ ନିରାପତ୍ତାରକ୍ଷୀଙ୍କୁ ମାଫିଆମାନେ ବାଧ୍ୟକରାଇ କୌଶଳକରି ଅନ୍ୟ ନିରାପତ୍ତାରକ୍ଷୀଙ୍କୁ ଡକାଇଥିଲେ। ଆତ୍ମଗୋପନ କରିଥିବା ନିରାପତ୍ତାରକ୍ଷୀ ପହଞ୍ଚିବା କ୍ଷଣି ତାଙ୍କୁ ଭିଡ଼ିନେଇ ଗାଡ଼ିର ମଝିସିଟ୍‌ରେ ବସାଇ ଦେଇଥିଲେ। ଏହି ସମୟ ମଧ୍ୟରେ ନିରାପତ୍ତାରକ୍ଷୀଙ୍କ ଠାରୁ ସୂଚନାପାଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ କ୍ୟୁଆର୍‌ଟି ଟିମ୍‌ ସଦଳବଳ ଉକ୍ତ ଖଣି ପାଟ୍ରୋଲିଂରେ ଆସିଥିଲେ। ଖଣିରେ ନିରାପତ୍ତାରକ୍ଷୀ ଦ୍ବୟ ନଥିବା ଦେଖି ବ୍ୟାପକ ଖାନତଲାସୀ କରିଥିଲେ। ଏହା ମଧ୍ୟରେ ଘଟଣାସ୍ଥଳରୁ ୫ କିଲୋମିଟର ପାଖାପାଖି ଦୂର ଭାଲୁକିପାତଳା ଗାଁ ପାଖରେ ଜଣେ ମାଫିଆ ଗାଡ଼ିରୁ ପରିସ୍ରା କରିବା ପାଇଁ ଓହ୍ଲାଇବା ମଉକାରେ ୨ ନିରାପତ୍ତାରକ୍ଷୀ ତଳକୁ ଡେଇଁ ଅନ୍ଧାର ସୁଯୋଗରେ ଖସି ଆସିଥିଲେ। କିଛିକ୍ଷଣ ମଧ୍ୟରେ କ୍ୟୁଆର୍‌ଟି ଟିମ୍‌ ସଂପୃକ୍ତ ନିରାପତ୍ତାରକ୍ଷୀ ଦ୍ବୟଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ଟଣାଓଟରାରେ ଉଭୟଙ୍କ ୟୁନିଫର୍ମ ମଇଳା ହୋଇ ଚିରି ଯାଇଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: IND vs SA: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ସିରିଜ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଫେରିଲେ ରିଷଭ ପନ୍ତ

ଥାନାରେ ମାମଲା ରୁଜୁ

ଏ ସଂପର୍କରେ ଓଏମ୍‌ସି ଆଞ୍ଚଳିକ ପ୍ରବନ୍ଧକ ଇଂ ଅବନୀକାନ୍ତ ପ୍ରଧାନଙ୍କୁ ପଚାରିବାରେ ଘଟଣାକୁ ନେଇ ଥାନାରେ ଏତଲା ଦାଏର ହୋଇଥିବା କହନ୍ତି। ବନପାଳ ରାମ ତିରିଆଙ୍କୁ ପଚାରିବାରେ ବିଳମ୍ବିତ ରାତିରେ ଖଣିରେ ହୋ’ହଲ୍ଲା ଶବ୍ଦ ଶୁଣାଇଯାଇଥିଲା ବୋଲି ଏକାଧିକ ବନ କର୍ମଚାରୀ ତାଙ୍କୁ ସୂଚନା ଦେଇଥିବା କହିଛନ୍ତି। ସୂଚନାଯୋଗ୍ୟ ଯେ, ଗତବର୍ଷ ଏପ୍ରିଲ ମାସରୁ ଏହି ଖଣିରୁ ମାଫିଆମାନେ ଚୋରାରେ କ୍ରୋମାଇଟ୍‌ ଉତ୍ତୋଳନ କରୁଥିବା ସୂଚନା ମିଳିଥିଲା। ମେ ମାସ ୨୮ ତାରିଖରେ ବନ ବିଭାଗ ପକ୍ଷରୁ ଉକ୍ତ ଖଣିରେ ଚଢ଼ଉ କରାଯାଇ ଏକ ନୂଆ ଜେସିବି(ଓଡି-୦୫ବିଜେଡ୍‌-୧୬୭୮) ମେସିନ୍ ଓ ପାଖାପାଖି ୨୫ ମେଟ୍ରିକ୍‌ ଟନ୍‌ କ୍ରୋମାଇଟ୍‌ ଭର୍ତ୍ତି ହାଇୱା(ଓଆର୍‌-୦୪ପି-୧୦୧୫) ଜବତ କରାଯାଇଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe